Group Clash in Cuttack City College
ଅଶାନ୍ତ ହେଲା କଲେଜ ପରିସର। ବିଗିଡ଼ିଲା ଶୈକ୍ଷିକ ବାତାବରଣ। କଟକ ରାଜବଗିଚା ସିଟି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍। କଲେଜ ଛାତ୍ରଛାତ୍ରୀଙ୍କୁ କିଛି ପୂରାତନ ଛାତ୍ର ଓ ଅଣଛାତ୍ର ଗଞ୍ଜେଇ ଟାଣିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀମାନେ ମନା କରିବାରୁ ଏହି ଗୋଷ୍ଠୀ ଛାତ୍ରଛାତ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବାଦାମବାଡ଼ି ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।
ଛାତ୍ରଛାତ୍ରୀଙ୍କ କହିବା ମୁତାବକ, କିଛି ଛାତ୍ର ଓ ଅଣଛାତ୍ର ମିଶି 'ବ୍ଲାକ ବ୍ରଦର୍ସ୍' ନାମକ ଏକ ଗ୍ରୁପ ତିଆରି କରିଛନ୍ତି। ଏହି ଗ୍ରୁପରେ ଥିବା ସଦସ୍ୟମାନଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି। କିଛିଦିନ ତଳେ କଲେଜରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏହି ଗ୍ରୁପର ପିଲାମାନେ ଗିରଫ ହୋଇଥିଲେ। ଏମାନେ ଏବେ ବି ପ୍ରତ୍ୟେକ ଦିନ ନିଶାଶକ୍ତ ଅବସ୍ଥାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ପାସ କରିବା ସହ ଅସଦାଚରଣ କରୁଛନ୍ତି। ନିଶା ସେବନ ପାଇଁ ସେମାନେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ ଏହି 'ବ୍ଲାକ ବ୍ରଦର୍ସ୍' ଗ୍ରୁପର ପିଲାମାନେ ଆଜି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବାବେଳେ ସେମାନଙ୍କୁ ବିରୋଧ କରିବାରୁ ସେମାନେ ଯୁକ୍ତ ୨ ଛାତ୍ରଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି। ଅନ୍ୟ କିଛି ଛାତ୍ରଛାତ୍ରୀଙ୍କୁ ନିଶା ସେବନ ପାଇଁ ସେମାନେ ବାଧ୍ୟ କରିଥିଲେ। ଏନେଇ ପୁଲିସକୁ ଅବଗତ କରିବାରୁ ଥାନା ଅଧିକାରୀ କିଛି ନବୁଝି ଓଲଟା ଥାନା ପରିସରରେ ଅଭିଯୋଗ କରିବାକୁ ଆସିଥିବା କଲେଜ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ପ୍ରାଥମିକ ପ୍ରମାଣ ଭାବେ ନିଆଯାଇ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରିଥିବା କହିଛନ୍ତି ଜୋନ୍ ୫ ଏସିପି ସ୍ୱସ୍ତିକ ପଣ୍ଡା। ସେ କହିଛନ୍ତି ଯେ ଏହି ଘଟଣାରେ ଉଭୟ ଗୋଷ୍ଠୀର କିଛି ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ କଲେଜ୍ କର୍ତ୍ତୃପକ୍ଷ ଓ କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯାଉଛି। ନିଶା ସେବନ ପାଇଁ ସେମାନେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବା ଅଭିଯୋଗ ଉପରେ ତଦନ୍ତ କରାଯିବ। ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ (ବ୍ଲାକ ବ୍ରଦର୍ସ୍) ଗ୍ରୁପର ଆକ୍ଟଭିଟି କଣ, ଏହା ଉପରେ ପୁଲିସ ତଦନ୍ତ କରିବ ବୋଲି ଜୋନ୍ ୫ ଏସିପି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us