Advertisment

ଗଞ୍ଜେଇ ଭାବି କାର ଅଟକାଇଥିଲେ, ସିକ୍ରେଟ୍‌ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲରୁ ଅଧିକ ରୁପା

ସିକ୍ରେଟ୍‌ ଚ୍ୟାମ୍ୱରରେ ରୁପା ଅଳଙ୍କାର ଥିବା ଦେଖି ଅବକାରୀ ବିଭାଗ ଜିଏସ୍‌ଟି ବିଭାଗକୁ ଖବର ଦେଇଥିଲା। ଜିଏସ୍‌ଟି ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସିକ୍ରେଟ୍‌ ଚ୍ୟାମ୍ୱରରେ ଥିବା ରୁପା ଅଳଙ୍କାର ଜବତ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Silver

Silver

ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ କାର୍‌ ଅଟକାଇ ଥିଲା। ହେଲେ ସେହି କାର୍‌ର ସିକ୍ରେଟ୍‌ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍‌ରୁ ଅଧିକ ରୁପା ଅଳଙ୍କାର। ଏପରି ଚିତ୍ର ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ୍‌ ୱେ’ରେ ଦେଖିବାକୁ ମିଳିଛି। ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାରଖଣ୍ଡକୁ ଯାଉଥିବା ଜଣାପଡ଼ିଛି।

Advertisment

ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ୍‌ ୱେ’ର ମାଝିପାଲି ଟୋଲ୍‌ ଗେଟ୍‌ ନିକଟରେ ଗାଡି ଯାଞ୍ଚ କରୁଥିଲେ। ସେହି ସମୟରେ ମହାରାଷ୍ଟ୍ର ନମ୍ୱର ପ୍ଲେଟ୍‌ ଥିବା ଏକ କାର୍‌କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କାର୍‌ ସିଟ୍‌ରେ ସିକ୍ରେଟ୍‌ ଚ୍ୟାମ୍ୱର ହୋଇଥିବା ଦେଖିବାକୁ ମିଳିଥିଲା। ସେହି ଚ୍ୟାମ୍ୱରରେ ଗଞ୍ଜେଇ ଥିବା ଭାବି ଅବକାରୀ ବିଭାଗ ଖୋଲିଥିଲା। ହେଲେ ସେଥିରୁ ରୁପା ଅଳଙ୍କାର ଥିବା ଦେଖିବାକୁ ମିଳିଥିଲା।

ସିକ୍ରେଟ୍‌ ଚ୍ୟାମ୍ୱରରେ ରୁପା ଅଳଙ୍କାର ଥିବା ଦେଖି ଅବକାରୀ ବିଭାଗ ଜିଏସ୍‌ଟି ବିଭାଗକୁ ଖବର ଦେଇଥିଲା। ଜିଏସ୍‌ଟି ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସିକ୍ରେଟ୍‌ ଚ୍ୟାମ୍ୱରରେ ଥିବା ରୁପା ଅଳଙ୍କାର ଜବତ କରିଥିଲା। ଯେଉଁଥିରେ କାନଫୁଲ, ପାଉଁଞ୍ଜି, ଦୀପ, ଗ୍ଲାସ ଆଦି ରହିଛି। ଜବତ ହୋଇଥିବା ରୁପାର ଓଜନ ୧ କ୍ୱିଣ୍ଟାଲ୍‌ ୬୬ କେଜି ୪୦୦ ଗ୍ରାମ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ଜିଏସ୍‌ଟି ବିଭାଗ। ଏହି ଅଳଙ୍କାର ମହାରାଷ୍ଟ୍ରରୁ ଝାରଖଣ୍ଡ ଯାଉଥିଲା।

Advertisment

ଜିଏସ୍‌ଟି ବିଭାଗର ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତିମାନେ କିଛି ଡକ୍ୟୁମେଣ୍ଟ ଦେଇଛନ୍ତି। ସେହି ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଛି। ତେବେ ସିକ୍ରେଟ୍‌ ଚ୍ୟାମ୍ୱରରେ କ’ଣ ପାଇଁ ଅଳଙ୍କାର ଚାଲାଣ ହେଉଥିଲା, ତାହା ଉପରେ ତଦନ୍ତ ଚାଲିଛି ବୋଲି ଜିଏସ୍‌ଟି ବିଭାଗ ପକ୍ଷରୁ କୁହାଯାଇଛି।

ରିପୋର୍ଟ- ସମ୍ୱଲପୁରରୁ ସଞ୍ଜୟ ଜେନା

Sambalpur GST