ହଂସିତା-ଅନୀଲ୍‌ଙ୍କ ଠକାମିର ପୋଲ୍‌ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!

ହଂସିତା-ଅନୀଲଙ୍କ ଅଫିସ୍‌ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍‌କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।

ମହାଠକ ଅନୀଲ ମହାନ୍ତି ଓ ହଂସିକା ଅଭିଲିପ୍ସା(ଫାଇଲ ଫଟୋ)

  • Published: Tuesday, 14 January 2025
  • , Updated: 14 January 2025, 05:43 PM IST

ସାମ୍ନାକୁ ଆସିଲା ଠକ ଯୋଡି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ଅଫିସରେ କାର୍ଯ୍ୟ କରୁଥିବା ପୂର୍ବତନ କର୍ମଚାରୀଙ୍କ ବୟାନ୍। କେମିତି ଅନୀଲ ମହାନ୍ତିଙ୍କ କମ୍ପାନୀ ଜରିଆରେ ହଂସିତା ବିଭିନ୍ନ ବହୁ ରାଷ୍ଟ୍ରୀୟ କମ୍ପାନୀର ସିଏସ୍‌ଆର୍‌ ଫଣ୍ଡ ହାତେଇଥିଲେ, ତାହାର ଗୁମର ଖୋଲିଛନ୍ତି। ଖାଲି ସତିକି ନୁହେଁ, ବଡ଼ବଡ଼ିଆଙ୍କ ଫଟୋ ସହ ନିଜ ଫଟୋ ଏଡିଟିଂ କରି ଯୋଡ଼ି କିଭଳି କାରନାମା କରୁଥିଲେ ତାହାର ମଧ୍ୟ ଖୁଲାସା କରିଛନ୍ତି ପୂର୍ବତନ କର୍ମଚାରୀ ଜଣକ।

ହଂସିତା-ଅନୀଲଙ୍କ ଅଫିସ୍‌ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X (ଛଦ୍ମନାମ) ପୁଲିସ୍‌କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା। ସେଇଠି ଆମେ ପରିଚିତ ହୋଇଥିଲୁ। ଏହାପରେ ଅନୀଲ ମହାନ୍ତିଙ୍କ କମ୍ପାନୀରେ ଚାକିରି କରିବା ପାଇଁ ମୁଁ ହଂସିତା ମାଡ଼ାମଙ୍କୁ ଅନୁରୋଧ କରିଥିଲି। ସେ ମୋ’ କଥାରେ ରାଜି ହୋଇ ୨୦୨୩ ମସିହା ଡିସେମ୍ୱର ଅଫିସ୍‌ରେ ଚାକିରି ଦେଇଥିଲେ। ମାସକ ୩୫ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଏଥିପାଇଁ କୌଣସି ନିଯୁକ୍ତିପତ୍ର ଦେଇନଥିଲେ। ଅନୀଲ ମହାନ୍ତି ଆଣ୍ଡ କମ୍ପାନୀର ଅଫିସ୍‌ ଏକ୍‌ଜିକ୍ୟୁଟ୍‌ ଭାବେ ରଘୁନାଥପୁରରେ ଥିବା ଅଫିସ୍‌ରେ କାମ କରୁଥିଲି। ସେହି ସମୟରେ ଅନୀଲ ମହାନ୍ତି ଓ ହଂସିତା ମାଡ଼ାମ ଉଭୟ ସାଙ୍ଗ ହୋଇ ଅଫିସ୍‌ ଆସୁଥିଲେ। ହଂସିତା ମାଡ଼ାମଙ୍କୁ ଅନୀଲ ମହାନ୍ତି ନିଜର ବିଜ୍‌ନେସ୍‌ ପାର୍ଟନର ବୋଲି କହୁଥିଲେ।

ପୂର୍ବତନ କର୍ମଚାରୀ Mr X ଆହୁରି ଲେଖିଛନ୍ତି, Hardwik Infra Limited PVT Ltd Company ରେଜିଷ୍ଟ୍ରସନ୍‌ ହେଲା ପରେ ମୁଁ ସେହି ଅଫିସ୍‌ରେ ଅଫିସ୍‌ ଲେଟର, MOU, ESL ବୋକାରୋକୁ ମେଲ୍‌ କରିଥିଲି। ଅନୀଲ ଆଣ୍ଡ କମ୍ପାନୀ ESL ବୋକାରୋର ସିଏସ୍‌ଆର ଆକ୍ଟିଭିଟି ପ୍ରୋଜେକ୍ଟ କାମ ନେଇଥିଲା। ଦୁଇ ମାସ ପରେ ୨୦୨୪ ମାର୍ଚ୍ଚରେ ମୁଁ ବୋକାରୋରେ ଅନୀଲ ମହାନ୍ତି ଆଣ୍ଡ କମ୍ପାନୀର ଏକ୍‌ଜିକ୍ୟୁଟିଭ ଭାବେ କାମ କରୁଥିଲି। ଦରମା ଠିକ ଭାବେ ନଦେବାରୁ ୨୦୨୪ ଜୁନ୍‌ ମାସରେ ଚାକିରି ଛାଡ଼ିଦେଲି ବୋଲି ସେ ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି, ଚାକିରି ଛାଡ଼ିବା ପରେ ଅନୀଲ ମହାନ୍ତି ଓ ହଂସିତା ମାଡ଼ାମଙ୍କ ସହିତ ମୋର ସମ୍ପର୍କ ଥିଲା। ଫୋନ୍‌ରେ କଥାବାର୍ତ୍ତା ହେଉଥିଲି। ହଂସିତା ମାଡ଼ାମ ମୋତେ ତାଙ୍କ ଅଫିସ୍‌ ଲେଟର, ମେସେଜ ଓ ଅଫିସ୍‌ କାମ ଯାହା ଦେଉଥିଲେ, ତାହା କରି ତାଙ୍କୁ ପଠାଇ ଦେଉଥିଲି। ମୁଁ ଅଫିସ୍‌ କାମ କରିବା ସମୟରେ ଜାଣିଲି ଯେ ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ବୋଲି ସେ ଲେଖିଛନ୍ତି।

ଫଟୋ ଏଡିଟ୍‌କୁ ନେଇ Mr X ଲେଖିଛନ୍ତି, ୨୦୨୪ ଜୁନ୍‌ ୨୮ ତାରିଖରେ ହଂସିତା ମାଡ଼ାମ ତାଙ୍କ ଫଟୋ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଫଟୋ ଏଡିଟ୍‌ କରି ଗୋଟିଏ ଫଟୋ କରିବା ପାଇଁ କହିଥିଲେ। ତାଙ୍କର ଅନୁରୋଧରେ ଫଟୋ ଏଡିଟ୍‌ କରି ଗୋଟିଏ ଫଟୋ କରିଥିଲି। ଆଉ ସେହି ଫଟୋକୁ ତାଙ୍କ ହ୍ୱାଟ୍ସଆପ୍‌ରେ ପଠାଇଥିଲି। କେଉଁ କାମ ପାଇଁ ସେ ଫଟୋ ତିଆରି କରିଥିଲେ, ତାହା ଜଣିନାହିଁ ବୋଲି ହଂସିତାଙ୍କର ଏହି ପୂର୍ବତନ କର୍ମଚାରୀ ଜଣକ ଲେଖିଛନ୍ତି।

Related story