Advertisment

ପୁଲିସର ନିର୍ଯାତନା: ବିନା ମାମଲାରେ ବେଡ଼ି ପକାଇ ଯୁବକଙ୍କୁ ଦୁଇ ଦିନ ଥାନାରେ ରଖିଲେ, ସାଂସଦଙ୍କ ହସ୍ତକ୍ଷେପ ପରେ ଛାଡ଼ିଲେ

ଏଭଳି ଏକ ଅସଭ୍ୟ ପରମ୍ପରା ଭୋଗରାଇ ଥାନାରେ ରହିଛି। ଆଗରୁ ମଧ୍ୟ ଏମିତି ଏକ ଘଟଣାରେ ଆଇଆଇସିଙ୍କୁ ଫୋନ୍ କରିଥିଲି। ସେଥର ବି ଜଣେ ବ୍ୟକ୍ତିଙ୍କୁ ବେଡ଼ି ପକାଇ ରଖିଥିଲେ ବୋଲି ସାଂସଦ କହିଛନ୍ତି।

ଅଦ୍ୟତନ ହୋଇଛି
MP Pratap Sarangi

MP Pratap Sarangi

Advertisment

ମାମଲା ରୁଜୁ ନକରି ଜଣେ ବ୍ୟକ୍ତିଙ୍କ ହାତ ଓ ଗୋଡ଼କୁ ବେଡ଼ିରେ ବାନ୍ଧି ଦୁଇ ଦିନ ପର୍ଯ୍ୟନ୍ତ ଥାନାରେ ରଖିଲେ ଥାନା ଅଧିକାରୀ। ସାଂସଦଙ୍କ ହସ୍ତକ୍ଷେପ ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ମୁକ୍ତ କରାଯାଇଛି। ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ।

Advertisment

ଥାନାରେ ପୁଲିସର ନିର୍ଯାତନାର ଶିକାର ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ କାର୍ତ୍ତିକଚନ୍ଦ୍ର ଭୋଳ। ତାଙ୍କ ଘର ଜୟରାମପୁର ଗାଁରେ। ଏକ ବାଇକ୍‌ ଅଦଳବଦଳ କଥାକୁ ନେଇ ବାରବାଟିଆ ଗ୍ରାମର ଜୟନ୍ତୀ ରଥ ନାମ୍ନୀ ଜଣେ ମହିଳା କାର୍ତ୍ତିକଙ୍କ ନାଁରେ ଭୋଗରାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗତକାଲିଠାରୁ ତାଙ୍କୁ ଥାନାରେ ଅଟକ ରଖିଥିଲା। ହାତ ଓ ଗୋଡ଼କୁ ଲୁହା ଶିକୁଳିରେ ବାନ୍ଧି ତାଙ୍କୁ ଥାନାରେ ଅଟକ ରଖାଯାଇଥିଲା। ତାଙ୍କୁ ପ୍ରବଳ ମାଡ଼ ମଧ୍ୟ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଘଟଣା ସଂପର୍କରେ କାର୍ତ୍ତିକଙ୍କ ପତ୍ନୀ ବିଜେପି ନେତା ଆଶିଷ ପାତ୍ରଙ୍କୁ ଜଣାଇଥିଲେ। ଆଶିଷ ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଅବଗତ କରାଇଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସାଂସଦ ନିଜେ ଭୋଗରାଇ ଥାନାରେ ପହଞ୍ଚିଥିଲେ। କାର୍ତ୍ତିକଙ୍କୁ ବେଡ଼ି ପକାଇ ରଖାଯାଇଥିବା ଦୃଶ୍ୟ ନିଜେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଦେଖିଥିଲେ। ସେ ବାଲେଶ୍ୱର ଏସ୍‌ପିଙ୍କୁ ଭିଡିଓ କଲ୍‌ କରି ଭୋଗରାଇ ଥାନା ପୁଲିସ୍‌ର ନିର୍ଯାତନାର ଦୃଶ୍ୟ ଦେଖାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କାର୍ତ୍ତିକଙ୍କୁ ମୁକ୍ତ କରାଯାଇଥିଲା।

Advertisment

କର୍ମଚାରୀ ଅଭାବରୁ ତଥା ହାଜତର ଅବସ୍ଥା ଠିକ୍ ନଥିବାରୁ କାର୍ତ୍ତିକଙ୍କୁ ସେମିତି ରଖାଯାଇଥିଲା ବୋଲି କହି ପରୋକ୍ଷରେ ନିଜ କାର୍ଯ୍ୟକୁ ଠିକ୍ ବୋଲି ଥାନାରେ ଉପସ୍ଥିତ ପୁଲିସ୍ କର୍ମଚାରୀମାନେ ସାଂସଦଙ୍କୁ ସଫେଇ ଦେବାକୁ ପ୍ରୟାସ କରିଥିଲେ। ହେଲେ ସାଂସଦ ଏସବୁକୁ ଗ୍ରହଣ କରି ନଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାରେ ଆହୁରି ଅନେକ ବିକଳ୍ପ ଥିଲା ବୋଲି ସେ କହିଥିଲେ।

ତେବେ ଭୋଗରାଇ ଥାନାରେ ଏମିତି ଅମାନବୀୟ କାର୍ଯ୍ୟ ପ୍ରଥମ ଥର ଘଟିନାହିଁ ବୋଲି କହିଛନ୍ତି ସ୍ଥାନୀୟ ବିଜେପି ନେତା ଆଶିଷ ପାତ୍ର। ସେ କହିଛନ୍ତି, ପୂର୍ବରୁ ସାମାନ୍ୟ କଥାକୁ ନେଇ, ଯେଉଁଥିରେ ମାମଲା ବି ହୋଇପାରିବ ନାହିଁ, ଦୁଇ ଜଣ ବ୍ୟକ୍ତି ଥାନାକୁ ଆଣି ବେଡ଼ି ପକାଇ ଏକାଧିକ ଦିନ ଅଟକ ରଖାଯାଇଥିଲା। ତେଣୁ ଏହି ଥାନା ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରି ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏଭଳି ଏକ ଅସଭ୍ୟ ପରମ୍ପରା ଭୋଗରାଇ ଥାନାରେ ରହିଛି। ଆଗରୁ ମଧ୍ୟ ଏମିତି ଏକ ଘଟଣାରେ ଆଇଆଇସିଙ୍କୁ ଫୋନ୍ କରିଥିଲି। ସେଥର ବି ଜଣେ ବ୍ୟକ୍ତିଙ୍କୁ ବେଡ଼ି ପକାଇ ରଖିଥିଲେ। ଛୋଟ ଛୋଟ ଅପରାଧ କରୁଥିବା ଲୋକଙ୍କୁ ଧରୁଛନ୍ତି, କିନ୍ତୁ ବଡ଼ ଅପରାଧ କରୁଥିବା ଲୋକଙ୍କୁ ଛାଡ଼ି ଦେଉଛନ୍ତି। ଏନେଇ ମୋ ପାଖରେ ନିର୍ଦ୍ଦିଷ୍ଟ ଖବର ଅଛି। ଏବେ ଯେଉଁ ଘଟଣା ଘଟିଛି ତାହା ବି ବେଆଇନ। ତାଙ୍କ (କାର୍ତ୍ତିକ) ବିରୋଧରେ କୌଣସି ଏତଲା ପଞ୍ଜୀକୃତ ହୋଇନାହିଁ। ବିନା ପଞ୍ଜୀକରଣରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିନା ଅନୁସନ୍ଧାନରେ ଦଣ୍ଡ ଦିଆଯାଇଛି। ଏହା ଅତ୍ୟନ୍ତ ଗର୍ହିତ କାମ। ଏହି ଘଟଣାରେ ଅଭିଯୋଗ ହେଉଛି, ଜଣେ ଲୋକ ତା’ ମୋଟର ସାଇକେଲ ଅନ୍ୟ ଜଣଙ୍କୁ ଦେଇ ତାଙ୍କ ମୋଟର ସାଇକେଲ ଆଣିଥିଲେ ଚଲାଇବା ପାଇଁ। କିନ୍ତୁ ପରେ ଆଉ ଫେରାଇ ନାହାନ୍ତି। ଏହି ଅଭିଯୋଗରେ ପୁଲିସ କାହାକୁ ଗିରଫ କରି କୋର୍ଟ ଚାଲାଣ କରିପାରିବ ନାହିଁ। ଏଫଆଇଆର ରେଜିଷ୍ଟ୍ରେସନ କଲେ ବି ନୋଟିସ୍ ଦେଇ ଛାଡ଼ିଦେବା କଥା। ଏପରି ଛୋଟିଆ କଥା, ଯାହାର ସତ୍ୟତା ପ୍ରମାଣିତ ହୋଇନାହିଁ, ସେଥିରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଦିନ ହେଲା ବେଡ଼ି ପକାଇ ରଖିଛନ୍ତି। ଯଦି ଅଭିଯୋଗ କରିଥିବା ପକ୍ଷ ଥାନାକୁ ଆସିପାରିଲେ ନାହିଁ, ତା’ହେଲେ ତାଙ୍କୁ (କାର୍ତ୍ତିକ) ତା’ପରଦିନ ଆସିବକୁ କହି ଛାଡ଼ି ଦେଇଥା’ନ୍ତ। ଏହା କିଛି ବଡ଼ କଥା ନୁହେଁ। ତାଙ୍କୁ ବେଡ଼ି ପକାଇ ରଖିବାର କିଛି ଆବଶ୍ୟକତା ନଥିଲା। ଏମିତି କରି ପୁଲିସ ନିୟମକୁ ଉଲ୍ଲଂଘନ କରୁଛି। ତେଣୁ ମୁଁ ଏହାର ତୀବ୍ର ପ୍ରତିବାଦ କଲି ଓ ଏସ୍‌ପିଙ୍କୁ ସବୁକଥା କହିଲି। ଘଟଣା ସଂପର୍କରେ ମୁଁ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇବି ଓ କାର୍ଯ୍ୟାନୁଷ୍ଠାନ ଦାବି କରିବି।

ଥାନା ଅଧିକାରୀଙ୍କ ବିରୋଧରେ ଏତଲା ଦେଲେ କାର୍ତ୍ତିକଙ୍କ ପତ୍ନୀ

ଥାନାରୁ ମୁକୁଳିବା ପରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ କାର୍ତ୍ତିକ ଭୋଳ। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଅନ୍ୟପକ୍ଷରେ ଭୋଗରାଇ ଥାନାରେ ଥାନା ଅଧିକାରୀଙ୍କ ନାମରେ ଏତଲା ଦେଇଛନ୍ତି  କାର୍ତ୍ତିକଙ୍କ ପତ୍ନୀ ସବିତା ଭୋଳ। ସେ ତାଙ୍କ ଏତଲାରେ ତାଙ୍କ ସ୍ୱାମୀଙ୍କୁ ଥାନାରେ ଦିଆଯାଇଥିବା ନିର୍ଯାତନା ବିଷୟରେ ଉଲ୍ଲେଖ କରିଛନ୍ତି। କାର୍ତ୍ତିକଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ସେମାନଙ୍କ ସହିତ କେମିତି ଦୁର୍ବ୍ୟବହାର କରିଥିଲେ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ, ତାହା ବି ଉଲ୍ଲେଖ କରିଛନ୍ତି। କାର୍ତ୍ତିକ ଏବେ ମରଣ ସହିତ ଲଢ଼େଇ କରୁଛନ୍ତି। ଟଙ୍କା ଖାଇ ଥାନା ବାବୁ ତାଙ୍କ ସ୍ୱାମୀଙ୍କର ଏପରି ଅବସ୍ଥା କରିଛନ୍ତି ବୋଲି ସେ ଅଭିଯୋଗ କରିବା ସହିତ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe