Advertisment

ଭାରତରେ ରହି ପାକିସ୍ତାନ ପାଇଁ କାମ କରୁଥିଲେ, ବନ୍ଧା ହେଲେ ବ୍ଲଗର ଜ୍ୟୋତି ସମେତ ୬

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜ୍ୟୋତି ମାଲହୋତ୍ରା ନାମକ ମହିଳା ରହିଛନ୍ତି। ଟ୍ରାଭେଲ ୱିଥ ଜୋ ନାଁରେ ତାଙ୍କର ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ରହିଛି।

Jyoti

Jyoti

Advertisment

ପାକିସ୍ତାନ ପାଇଁ କାମ କରୁଥିବା ୬ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ହରିୟାଣାର ଜଣେ ଟ୍ରାଭେଲ ବ୍ଲଗର ଅଛନ୍ତି। ଏମାନେ ସମସ୍ତେ ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ। ଅଳ୍ପ କିଛି ଟଙ୍କା ପାଇଁ ଦେଶ ବିରୋଧରେ କାମ କରୁଥିଲେ। ଭାରତର ସମ୍ବେଦନଶୀଳ ତଥ୍ୟକୁ ସେମାନେ ପାକିସ୍ତାନୀଙ୍କୁ ଦେଉଥିବା ଜଣାପଡ଼ିଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ନେଟୱର୍କ ହରିୟାଣାରୁ ପଞ୍ଜାବ ଯାଏ ଲମ୍ବିଛି। ପ୍ରମୁଖ ଅପରେଟିଭମାନେ ଏଜେଣ୍ଟ, ଆର୍ଥିକ ଅଧିକାରୀ ଓ ସୂଚନାଦାତା ଭାବେ କାମ କରନ୍ତି।

Advertisment

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜ୍ୟୋତି ମାଲହୋତ୍ରା ନାମକ ମହିଳା ରହିଛନ୍ତି। ଟ୍ରାଭେଲ ୱିଥ ଜୋ ନାଁରେ ତାଙ୍କର ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ରହିଛି। ସୁରକ୍ଷା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଜ୍ୟୋତି ବେଶ କିଛି ବର୍ଷ ହେଲା ପାକିସ୍ତାନ ପାଇଁ କାମ କରୁଥିଲେ। ସେ ଟ୍ରାଭେଲ ବ୍ଲଗ କରିବା ନାଁରେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସମ୍ପର୍କରେ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ତଥ୍ୟ ଦେଇଛନ୍ତି।

କମିଶନ ଏଜେଣ୍ଟଙ୍କ ଦ୍ୱାରା ଭିସା ହାସଲ କରିବା ପରେ ଜ୍ୟୋତି ୨୦୨୩ରେ ପାକିସ୍ତାନ ମଧ୍ୟ ଗସ୍ତ କରିଥିଲେ। ପାକିସ୍ତାନ ଟ୍ରିପ ବେଳେ ଈଶାନ ଉର ରହିମ ଓରଫ ଦାନିଶଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା। ଦାନିଶ ହେଉଛନ୍ତି ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ଜଣେ କର୍ମଚାରୀ। ପହଲଗାମ ନରସଂହାର ପରେ ଦାନିଶଙ୍କୁ ଭାରତ ସରକାର ନିଲମ୍ବିତ କରି ସାରିଛନ୍ତି। ଜ୍ୟୋତିଙ୍କୁ ସେ ଏକାଧିକ ପାକିସ୍ତାନୀ ଗୁଇନ୍ଦା ଅପରେଟିଭଙ୍କ ସହ ପରିଚିତ କରାଇଥିଲେ।

Advertisment

ସେହି ଅପରେଟିଭମାନଙ୍କ ସହ ଜ୍ୟୋତି ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପଚାଟ ଭଳି ପ୍ଲାଟଫର୍ମରେ ନିୟମିତ ଯୋଗାଯୋଗ କରୁଥିଲେ। ସେହି ଅପରେଟିଭମାନଙ୍କ ମଧ୍ୟରୁ ଜଣେ ହେଲେ ଶକିର ଓରଫ ରାଣା ଶାହବାଜ। ତାଙ୍କ ନମ୍ବରକୁ ଜ୍ୟୋତି ନିଜ ମୋବାଇଲରେ ଜାଟ ରାନ୍ଧୱା ନାଁରେ ସେଭ କରିଥିଲେ।

ଜ୍ୟୋତି ଭାରତର ବିଭିନ୍ନ ପ୍ରତିଷ୍ଠାନ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ପଠାଉଥିଲେ। ସେହିପରି ସୋଶାଲ ମିଡିଆରେ ପାକିସ୍ତାନର ଗୁଣଗାନ ପାଇଁ ଚାଲିଥିବା ଅଭିଯାନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ପାକିସ୍ତାନୀ ଅପରେଟିଭଙ୍କ ସହ ଜ୍ୟୋତିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରି କି ସେ ତାଙ୍କ ସହ ଇଣ୍ଡୋନେସିଆର ବାଲି ମଧ୍ୟ ଯାଇ ବେଶ କିଛି ସମୟ କାଟିଥିଲେ। ଦାନିଶ ଦିଲ୍ଲୀରେ ଥିବା ବେଳେ ଜ୍ୟୋତି ତାଙ୍କ ସହ ମିଶି ପୂରା ନେଟୱର୍କକୁ ଚଳାଉଥିଲେ।

ଏସବୁ କାରନାମ ସାମ୍ନାକୁ ଆସିବା ପରେ ଜ୍ୟୋତିଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ସମେତ ଅଫିସିଆଲ ସିକ୍ରେଟ ଆକ୍ଟ ୧୯୨୩ର ଧାରା ୩,୪ ଓ ୫ ବଳରେ ଗିରଫ କରାଯାଇଛି। ଜ୍ୟୋତିଙ୍କ ଠାରୁ ଲିଖିତ ସ୍ୱୀକାରୋକ୍ତି ହାସଲ କରାଯାଇଛି ଓ ମାମଲାକୁ ହିସରାରେ ଥିବା ଅର୍ଥନୀତିକ ଅପରାଧ ଶାଖାକୁ ହସ୍ତାନ୍ତର କରାଯାଇଛି।

ଜ୍ୟୋତିଙ୍କ ବ୍ୟତୀତ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଘଟଣାରେ ଗିରଫ ହୋଇଥିବା ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ହେଲେ ୩୨ ବର୍ଷୀୟ ଗୁଜାଲା। ପଞ୍ଜାବର ମାଲେରକୋଟଲାରେ ତାଙ୍କ ଘର। ସେ ଜଣେ ବିଧବା। ୨୦୨୫ ମସିହା ଫେବୃଆରୀ ମାସରେ ଗୁଜାଲା ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନକୁ ଯାଇ ଭିସା ଆବେଦନ କରିଥିଲେ। ସେଠାରେ ତାଙ୍କର ଦେଖା ଦାନିଶଙ୍କ ସହ ହୋଇଥିଲା।

ଏହାପରେ ଉଭୟ ନିୟମିତ କଥାବାର୍ତ୍ତା ହେଉଥିଲେ। କଥାବାର୍ତ୍ତା ଆରମ୍ଭ ହେବା ପରେ ଦାନିଶ ତାଙ୍କୁ ହ୍ୱାଟସଆପ ବଦଳରେ ଟେଲିଗ୍ରାମରେ ଯୋଗାଯୋଗ କରିବାକୁ କହିଥିଲେ। ବିବାହାର ମିଥ୍ୟା ପ୍ରତିଶ୍ରୁତି ଦେଇ ଦାନିଶ ତାଙ୍କର ବିଶ୍ୱାସ ଜିତିଥିଲେ। ଭିଡିଓ କଲ ଓ ମେସେଜରେ କଥା ହୋଇ ଗୁଜାଲାଙ୍କ ସହ ସେ ରୋମାଣ୍ଟିକ ସମ୍ପର୍କ ସ୍ଥାପନ କରିଥିଲେ।

ସମୟକ୍ରମେ ଗୁଜାଲାଙ୍କୁ ଦାନିଶ ଟଙ୍କା ପଠାଇବା ଆରମ୍ଭ କରିଥିଲେ। ମାର୍ଚ୍ଚ ୭ରେ ଫୋନ ପେ’ରେ ୧୦ ହଜାର ଓ ମାର୍ଚ୍ଚ ୨୩ରେ ଗୁଗଲ ପେ’ରେ ଗୁଜାଲାଙ୍କ ପାଖକୁ ୨୦ ହଜାର ଟଙ୍କା ଆସିଥିଲା। ଏହାପରେ ୧୦ ହଜାର ଟଙ୍କାଙ୍କୁ ଦାନିଶ ଆଉ ଏକ ନମ୍ବରକୁ ପର୍ଯ୍ୟାୟକ୍ରମେ ପଠାଇବାକୁ ଗୁଜାଲାଙ୍କୁ କହିଥିଲେ। ତାଙ୍କ କଥାରେ ଗୁଜାଲା ଉକ୍ତ ନମ୍ବରକୁ ୧୮୦୦, ୮୯୯, ୬୯୯ ଓ ୩ ହଜାର ଟଙ୍କା ପଠାଇଥିଲେ।

ଏପ୍ରିଲ ୨୩ରେ ଗୁଜାଲା ତାଙ୍କର ବନ୍ଧୁ ବାନୁ ନସରୀନଙ୍କୁ ସାଙ୍ଗରେ ଧରି ପୁଣି ପାକିସ୍ତାନ ହାଇ କମିଶନକୁ ଯାଇଥିଲେ। ନସରୀନ ମଧ୍ୟ ଜଣେ ବିଧବା। ଦାନିଶ ସେମାନଙ୍କ ଭିସାକୁ ସୁନିଶ୍ଚିତ କରିଥିଲେ ଓ ଦିନକ ପରେ ଏହା ସେମାନଙ୍କୁ ମିଳିଥିଲା।

ଗୁଇନ୍ଦାଗିରି ମାମଲାରେ ଗିରଫ ହୋଇଥିବା ଅନ୍ୟମାନେ ହେଲେ ମାଲେରକୋଟଲାର ୟାମୀନ ମହମ୍ମଦ, ଦେବିନ୍ଦର ଢିଲନ ଓ ଅରମାନ। ୟାମୀନ ମହମ୍ମଦ ଆର୍ଥିକ କାରବାର ଓ ଭିସା ସହ ଜଡ଼ିତ କାମ ପାଇଁ ଦାନିଶଙ୍କ ସହ ହାତ ମିଳାଇଥିଲେ। ଢିଲନଙ୍କ ଘର ହରିୟାଣାର କୈଥାଲରେ। ସେ ଜଣେ ଶିଖ ଛାତ୍ର। ପାକିସ୍ତାନକୁ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଯାଇଥିବା ବେଳେ ସେ ଗୁଇନ୍ଦାଗିରି ନେଟୱର୍କରେ ଯୋଡ଼ି ହୋଇଥିଲେ।

ପଟିଆଲା କ୍ୟାଣ୍ଟନମେଣ୍ଟର ଏକାଧିକ ଭିଡିଓ ସେ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଇଛନ୍ତି। ହରିୟାଣାର ନୁହରେ ହେଉଛି ଅରମାନଙ୍କ ଘର। ଅରମାନ ଭାରତୀୟ ସିମ କାର୍ଡ ସପ୍ଲାଏ କରିବା ସହ ପାଣ୍ଠି ନେଣଦେଣ କଥା ବୁଝୁଥିଲା। ପାକିସ୍ତାନୀ ଗୁଇନ୍ଦା ଅପରେଟିଭଙ୍କ କଥାରେ ସେ ୨୦୨୫ ଡିଫେନ୍ସ ଏକ୍ସପୋକୁ ଯାଇ ତା’ର ତଥ୍ୟ ସଂଗ୍ରହ କରିଥିଲେ।

ଅଧିକାରୀଙ୍କ କହିବା କଥା ଯେ ଏହା ବିରାଟ ଗୁଇନ୍ଦାଗିରି ଅପରେସନ ସହ ଜଡ଼ିତ ମାମଲା। ଆର୍ଥିକ ଲୋଭ, ନକଲି ବାହାଘର ପ୍ରତିଶ୍ରୁତି ଓ ଅନ୍ୟ ଉପାୟରେ ବିଭିନ୍ନ ଲୋକଙ୍କୁ ଟ୍ରାପ କରାଯାଉଥିଲା। ଏହାପରେ ନିଜ ଉଦ୍ଦେଶ୍ୟକୁ ପୂରଣ କରୁଥିଲେ ପାକିସ୍ତାନୀ ଏଜେଣ୍ଟ। ଅଭିଯୁକ୍ତମାନେ ସେମାନଙ୍କ ଭୂମିକାକୁ ସ୍ୱୀକାର କରିଛନ୍ତି ଓ ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି।

Pakistan India Punjab Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe