/odisha-reporter/media/post_attachments/uploadimage/library/16_9/16_9_0/Cuttack_1694609733.jpg)
Cuttack
ବେଆଇନ୍ ଭାବେ କ୍ଲିନିକରେ ଚାଲୁଥିଲା ଲିଙ୍ଗ ନିରୂପଣ। ସେଥିପାଇଁ ଦଲାଲଙ୍କ ମାଧ୍ୟମରେ ଓଡ଼ିଶାର କୋଣ ଅନୁକୋଣରୁ ଗର୍ଭବତୀଙ୍କୁ ଅଣାଯାଉଥିଲା। ସେଠାରେ ଲିଙ୍ଗ ନିରୂପଣ କରାଯାଉଥିଲା। ଆଉ ମାଲାମାଲ୍ ହେଉଥିଲେ କ୍ଲିନିକ୍ ଓ ନର୍ସିଂ ହୋମ୍ ମାଲିକ। ସିଲ୍ଭର ସିଟି କଟକରୁ ଆସିଛି ଏପରି ଅଭିଯୋଗ। ଆଜି ସ୍ୱାସ୍ଥ୍ୟ ବିଭାଗର ୩ଟି ଟିମ୍ କଟକରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲିଙ୍ଗ ନିରୂପଣ ମେସିନ୍ ଜବତ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।
କଟକ ଟାଉନ୍ରେ ମାଳ ମାଳ କ୍ଲିନିକ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲିଛି। ସେଥିରେ ବେଆଇନ୍ ଭାବେ ଲିଙ୍ଗ ନିରୂପଣ ହେଉଥିବା ଅଭିଯୋଗ ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଆଜି ବିଶେଷ ସୂତ୍ରରୁ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ବାଦାମବାଡ଼ି ରକ୍ସି ଲେନ୍, ଲିଙ୍କ ରୋଡ୍ ସମେତ ୩ଟି ସ୍ଥାନରେ କରି ଚଢ଼ଉ କରିଥିଲା। ଦୁଇଟି ସ୍ଥାନରୁ ଦୁଇଟି ଅଲଟ୍ରାସାଉଣ୍ଡ ମେସିନ, ଜେଲ୍ ଓ କିଛି ମେଡିସିନ୍ ଜବତ କରିଛି। ମେସିନ୍ଟି ବେଆଇନ୍ ଭାବେ ଲିଙ୍ଗ ନିରୁପଣ କାମରେ ବ୍ୟବହାର ହେଉଥିବା ଜଣାପଡ଼ିଛି।
ରାଜ୍ୟ ବାହାରୁ ଦଲାଲ୍ଙ୍କ ଜରିଆରେ ଗର୍ଭବତୀ ମହିଳାଙ୍କୁ ଅଣାଯାଉଥିଲା। ସେଠାରେ ଲିଙ୍ଗ ନିରୂପଣ କରାଯାଉଥିଲା। ଏଥିପାଇଁ ମୋଟା ଆକାରରେ ଟଙ୍କା ବେଆଇନ୍ ଭାବେ ଆଦାୟ କରାଯାଉଥିଲା। ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ ଜଗତସିଂହପୁର ଜିଲ୍ଲାର ଭିକାରୀ ପରିଡ଼ା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସେ ବର୍ତ୍ତମାନ ଫେରାର ଅଛନ୍ତି। ତାଙ୍କୁ ଗିରଫ କରାଗଲେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ କହିଛି।
କଟକ ସହରରେ ଏଭଳି ବେଆଇନ୍ ଲିଙ୍ଗ ନିରୂପଣ ନୂଆ ନୁହେଁ। କିଛିଦିନ ତଳେ କଟକ ଫ୍ରେଣ୍ଡସ୍ କଲୋନୀଠାରେ ଜଣେ ଜଣାଶୁଣା ଡାକ୍ତରଙ୍କ ଘରୁ ବେଆଇନ୍ ଲିଙ୍ଗ ନିରୂପଣ ମେସିନ ଜବତ ହୋଇଥିଲା। ଅଲଟ୍ରାସାଉଣ୍ଡ ମେସିନ ସହ କିଛି କମ୍ପ୍ୟୁଟର ଜବତ କରିବା ସହ ଡାକ୍ତରଙ୍କୁ ଗିରଫ କରିଥିଲା ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
