Advertisment

ଡାକ୍ତର କରୁଥିଲେ ଲିଙ୍ଗ ନିରୁପଣ; ପହଞ୍ଚିଗଲେ ଉପଜିଲ୍ଲାପାଳ

ପୂର୍ବରୁ ମଧ୍ୟ ଲିଙ୍ଗ ନିରୁପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢ଼ାଉ କରାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Cuttack

Cuttack

ଲିଙ୍ଗ ନିରୁପଣ ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ଫ୍ରେଣ୍ଡସ୍ କଲୋନୀରେ ଥିବା ଜଣେ ଡାକ୍ତରଙ୍କ ଘରେ ଏହି ରେଡ୍ ହୋଇଛି। ଏହି ରେଡରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଉପଜିଲ୍ଲାପାଳ ମଧ୍ୟ ସାମିଲ ଥିଲେ। ରେଡ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଓ ଲିଙ୍ଗ ନିରୁପଣ ମେସିନ ଜବତ କରିବା ସହ ଜଣେ ରୋଗୀଙ୍କୁ ଉଦ୍ଧାର କରିଛି ସ୍ୱାସ୍ଥ୍ୟ ବିଭାଗ। ଡାକ୍ତର ଜଣଙ୍କ ଦେବଗଡ଼ ସରକାରୀ ମେଡିକାଲରେ କାର୍ଯ୍ୟରତ ବୋଲି ଜଣାପଡିଛି। ପୂର୍ବରୁ ମଧ୍ୟ ଲିଙ୍ଗ ନିରୁପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢ଼ାଉ କରାଯାଇଥିଲା।

Advertisment

ଅନ୍ୟପକ୍ଷରେ ଡାକ୍ତର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋର ଆଗରୁ କ୍ଲିନିକ୍ ଥିଲା। ଏହି ସବୁ ଯନ୍ତ୍ରପାତି ସେଠାରେ ଥିଲା। କ୍ଲିନିକ୍ ବନ୍ଦ ହେବାପରେ ମୁଁ ଏହି ଯନ୍ତ୍ରପାତି ଗୁଡ଼ିକୁ ଘରକୁ ନେଇ ଆସିଥିଲି। ମୋ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା।

ସ୍ୱାସ୍ଥ୍ୟବିଭାଗର ଜଣେ ଅଧିକାରୀ କହିଛନ୍ତି, ଆମେ ରେଡ୍ କରିବା ପାଇଁ ତାଙ୍କ ଘରେ ପଶିଲା ବେଳେ ଜଣେ ଗର୍ଭବତୀ ମହିଳାଙ୍କର ଚେକଅପ୍ କରାଯାଉଥିଲା। ଆମକୁ ଦେଖି ଡାକ୍ତରଙ୍କ ସ୍ତ୍ରୀ ଧକ୍କା ମାରି ଭିତରକୁ ପଶିଯାଇ ଗର୍ଭବତୀ ମହିଳାଙ୍କୁ ଲୁଚାଇ ଦେଇଥିଲେ। ପରେ ମେସିନଟି ମଧ୍ୟ ରୋଷେଇ ଘରେ ଲୁଚେଇ ଦେଇଥିଲେ। ଆମେ ରୋଷେଇ ଘରୁ ଏହି ମେସିନଟିକୁ ପାଇଥିଲୁ।

Advertisment

ଉପଜିଲ୍ଲାପାଳ କହିଛନ୍ତି, ଲିଙ୍ଗ ନିରୁପଣ କରାଯାଉଥିବା ନେଇ ଆମ ପାଖରେ ଅଭିଯୋଗ ଥିଲା। ଆଜି ସକାଳେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଲିଙ୍ଗ ନିରୁପଣ ମେସିନ, କିଛି ଟଙ୍କା ଓ ମେଡିସିନ ଜବତ କରାଯାଇଛି। ପୂର୍ବରୁ ମଧ୍ୟ ଚଢ଼ାଉ କରାଯାଇଥିଲା। ଏଥିପାଇଁ ଡାକ୍ତରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଏଥିରେ ସେ ସୁଧୁରି ନଥିଲେ। ପୁଣି ସେହି କାମ କରୁଥିଲେ।

Cuttack