Advertisment

ଲେଡିଜ ହଷ୍ଟେଲ ୱାଶରୁମରୁ ମିଳିଲା କ୍ୟାମେରା, ବିକ୍ରି ହୋଇଛି ୩୦୦ ଫଟୋ-ଭିଡିଓ

କ୍ୟାମେରା ଜରିଆରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇ କିଛି ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

author-image
Debibandita Barick
Students & Police

Students & Police

ମହିଳାଙ୍କ ସୁରକ୍ଷା ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ପୁଣି ଏକ ବିବ୍ରତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଲେଡିଜ ହଷ୍ଟେଲ ୱାଶରୁମରରୁ ମିଳିଛି ଲୁକ୍କାଇତ କ୍ୟାମେରା। ଏହି କ୍ୟାମେରା ଜରିଆରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇ କିଛି ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

Advertisment

କୃଷ୍ଣନ ଜିଲ୍ଲାର ଗୁଦଲାଭଲେରୁ ଇଞ୍ଜିନିୟରିଂ କଲେଜରେ ଏପରି ସଙ୍ଗୀନ ଘଟଣା ଘଟିଛି। ଘଟଣା ବାବଦରେ ଜଣାପଡ଼ିବା ପରେ ହଷ୍ଟେଲ ଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀମାନେ ଅସୁରକ୍ଷିତ ମନେ କରିବା ସହ ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀ ଗାଧୁଆ ଘରେ କ୍ୟାମେରା ଲୁଚା ଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଭୟଭୀତ ହୋଇ ପଡ଼ିବା ସହ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏପରି ସମ୍ବେଦନଶୀଳ ଘଟଣା ପାଇଁ ଉତ୍ତରଦାୟୀ କିଏ ରହିବ ଏବଂ ଆମେ ନ୍ୟାୟ ଚାହୁଁ ଦାବି କରି ଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଗତକାଲି ସନ୍ଧ୍ୟା ୭ ଟାରୁ ଆଜି ସକାଳ ପର୍ଯ୍ୟନ୍ତ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ।

Advertisment

ସେପଟେ ଏପରି ସଙ୍ଗୀନ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଖୋଳତାଡ଼ କରି ବଏଜ୍ ହଷ୍ଟେଲର ଜଣେ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବିଟେକ ଶେଷ ବର୍ଷର ଛାତ୍ର ବିଜୟ କୁମାର। ପୁଲିସ ତାଙ୍କ ଲାପଟପ୍ ଜବତ କରି ଅଧିକ ତଦନ୍ତ କରୁଛି। ମାମଲାରେ ଅନ୍ୟ କେହି ଜଡ଼଼ିତ ଅଛନ୍ତି କି ନାହିଁ ଜଣାପଡିନାହିଁ। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। 

ଖବର ଅନୁଯାୟୀ, ଲେଡିଜ ହଷ୍ଟେଲ ୱାଶରୁମରୁ ୩୦୦ ରୁ ଅଧିକ ଫଟୋ ଏବଂ ଭିଡିଓ ଲିକ ହୋଇଥିଲା ଏବଂ କିଛି ଛାତ୍ର ବିଜୟଙ୍କ ଠାରୁ ଏହିସବୁ ଭିଡିଓ କିଣିଥିବା କୁହାଯାଉଛି।

ସୂଚନା ଯୋଗ୍ୟ, ଏହାପୂର୍ବରୁ ବେଙ୍ଗାଲୁରୁରେ ଏକ ସମାନ ଘଟଣା ଘଟିଥିଲା। ଏକ ପ୍ରସିଦ୍ଧ କଫି ଦୋକାନରେ ମହିଳା ୱାଶରୁମରୁ ଲୁକ୍କାୟିତ କ୍ୟାମେରା ମିଳିଥିଲା। ଏହି ମାମଲାରେ ପୁଲିସ ଦୋକାନର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା।  

College Student Hidden Camera Student Protest