Advertisment

MBBS ସିଟ୍‌ ପାଇଁ ହୋମିଓପାଥି ଡାକ୍ତର ଦେଲେ ୧୬ ଲକ୍ଷ, ମାସକରେ ମିଳିଗଲା ଡିଗ୍ରୀ

ହୋମିଓପାଥି ଡାକ୍ତର ଉତ୍ତର ପ୍ରଦେଶର ଗୋଟିଏ ବିଶ୍ୱବିଦ୍ୟାଳୟରେ MBBS ସିଟ ପାଇଁ ୧୬.୩୨ ଲକ୍ଷ ଟଙ୍କା ଦେଇଛନ୍ତି। ସେ ପୂରା ଟଙ୍କା ଦେବା ପରେ ତାଙ୍କୁ ମେଡିକାଲ ଡିଗ୍ରୀ ଓ ପ୍ରମାଣପତ୍ର ମିଳି ଯାଇଛି।

ଅଦ୍ୟତନ ହୋଇଛି
Gujarat

Gujarat

Advertisment

ଡାକ୍ତରୀପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ନିଟ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏସବୁ ଭିତରେ ମେଡିକାଲ ପାଠ୍ୟକ୍ରମକୁ ନେଇ ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ଗୁଜରାଟର ମେହସାନାରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା।

Advertisment

ଏଠାରେ ଜଣେ ହୋମିଓପାଥି  ଡାକ୍ତର ଉତ୍ତର ପ୍ରଦେଶର ଗୋଟିଏ ବିଶ୍ୱବିଦ୍ୟାଳୟରେ MBBS ସିଟ ପାଇଁ ୧୬.୩୨ ଲକ୍ଷ ଟଙ୍କା ଦେଇଛନ୍ତି। ସେ ପୂରା ଟଙ୍କା ଦେବା ପରେ ତାଙ୍କୁ ମେଡିକାଲ ଡିଗ୍ରୀ ଓ ପ୍ରମାଣପତ୍ର ମିଳି ଯାଇଛି। ସେ ଏଥିପାଇଁ କୌଣସି କ୍ଲାସ କରି ନାହାନ୍ତି କିମ୍ବା କୌଣସି ଡାକ୍ତରୀ ପରୀକ୍ଷା ମଧ୍ୟ ଦେଇ ନାହାନ୍ତି।

ତେବେ ସେ ଏହି ଡିଗ୍ରୀ ନକଲି ବୋଲି ଜାଣିବା ପରେ ୨୦୧୯ରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପ୍ରାୟ ୫ ବର୍ଷ ପରେ ଅର୍ଥାତ ୨୦୨୪ ମସିହା ଜୁନ ୧୪ରେ ହିଁ ଏନେଇ ଗୋଟିଏ ଏଫଆଇଆର ରୁଜୁ ହୋଇଛି।

Advertisment

୨୦୧୮ ମସିହା ଜୁଲାଇ ମାସରେ ୪୧ ବର୍ଷୀୟ ସୁରେଶ ପଟେଲ ମେଡିସିନରେ ଉଚ୍ଚ ଶିକ୍ଷା ପାଇଁ ଇଣ୍ଟରନେଟରେ ଖୋଜାଖୋଜି କରିଥିଲେ। ଏହି ସମୟରେ ସେ ଗୋଟିଏ ୱେବସାଇଟ ସଂସ୍ପର୍ଶରେ ଆସିଥିଲେ। ଏହି ୱେବସାଇଟ All India Alternative Medical Council ଫୋରମରେ ଏମବିବିଏସ ଡିଗ୍ରୀ ଦେଉଥିବା ଜାଣିବାକୁ ପାଇଥିଲେ।

ସୁରେଶ ତୁରନ୍ତ ୱେବସାଇଟରୁ ଡାକ୍ତର ପ୍ରେମ କୁମାର ରାଜପୁତ ନାମକ ଜଣେ ବ୍ୟକ୍ତିଙ୍କୁ ଫୋନ କରିଥିଲେ। ରାଜପୁତ ତାଙ୍କୁ ଡିଗ୍ରୀ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୁରେଶ କହିଛନ୍ତି, “ମୋର ଦ୍ୱାଦଶ ଶ୍ରେଣୀ ମାର୍କ ଅନୁସାରେ ମୋତେ MBBS ଡିଗ୍ରୀ ଦିଆଯିବ ବୋଲି ରାଜପୁତ କହିଥିଲେ। ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲି। କିନ୍ତୁ ସେ ମୋତେ କଥା ଦେଇଥିଲେ ଯେ ସବୁ କିଛି ପ୍ରଚଳିତ ନିୟମ ଅନୁସାରେ ହେବ। ତେଣୁ ମୁଁ ତାଙ୍କ କଥାକୁ ବିଶ୍ୱାସ କରି ନେଇଥିଲି।”

ରାଜପୁତ ଫୋନରେ ପଟେଲଙ୍କୁ କହିଥିଲେ ଯେ ତାଙ୍କୁ ୫ ବର୍ଷ ମଧ୍ୟରେ ଇଣ୍ଟର୍ଣ୍ଣ ଶିପ ଓ ପରୀକ୍ଷା ଦେବାକୁ ପଡ଼ିବ। ଏହାପରେ ନିୟମ ଅନୁସାରେ ତାଙ୍କୁ ଡିଗ୍ରୀ ମିଳିବ। ଏହା ଶୁଣିବା ପରେ ରାଜପୁତଙ୍କ କଥାରେ ପଟେଲ ରାଜି ହୋଇ ୫୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ଦେବା ପରେ ତାଙ୍କୁ ଝାନସୀରେ ଥିବା ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଆଡମିସନ ଚିଠି ଆସିଥିଲା।

ସୁରେଶ କହିଛନ୍ତି, “ରାଜପୁତ ମୋ ସହ ପ୍ରାୟ ୨୫ ଥର କଥା ହୋଇଛନ୍ତି। ଡାକ୍ତର ସୌକତ ଖାନ, ଡାକ୍ତର ଆନନ୍ଦ କୁମାର ଓ ଡାକ୍ତର ଅରୁଣ କୁମାର ମୋତେ ଏମବିବିଏସ୍‌ ଡିଗ୍ରୀ ଶେଷ କରିବାରେ ସହାୟତା କରିବେ ବୋଲି ରାଜପୁତ କହିଥିଲେ। ତାଙ୍କ କଥାରେ ମୁଁ ୨୦୧୮ ଜୁଲାଇ ୧୦ରୁ ୨୦୧୯ ଫେବୃଆରୀ ୨୩ ମଧ୍ୟରେ ମୋଟ ୧୬.୩୨ ଲକ୍ଷ ଟଙ୍କା ଦେଇଥିଲି।

ଏଥିସହ କ୍ଲାସ ଆରମ୍ଭକୁ ଅପେକ୍ଷା କରି ରହିଥିଲି। କିନ୍ତୁ କ୍ଲାସ କେବେ ଆରମ୍ଭ ହୋଇ ନଥିଲା। ୨୦୧୯ ମାର୍ଚ୍ଚ ମାସରେ କୋରିୟର ଦ୍ୱାରା ମୋ ପାଖକୁ ଗୋଟିଏ ପାର୍ସଲ ଆସିଥିଲା। ଏଥିରେ MBBS ମାର୍କଶିଟ, ଗୋଟିଏ ଡିଗ୍ରୀ ପ୍ରମାଣପତ୍ର, ଇଣ୍ଟର୍ଣ୍ଣଶିପ ଟ୍ରେନିଂ ପ୍ରମାଣପତ୍ର ଓ ଗୋଟିଏ ପଞ୍ଜୀକରଣ ପ୍ରମାଣପତ୍ର ଆସିଥିଲା। ଏଥିରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଷ୍ଟାମ୍ପ ମଧ୍ୟ ରହିଥିଲା।”

ସବୁ କିଛି ହଠାତ୍‌ ମିଳିଯିବାରୁ ସୁରେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ସିଧା ଏମସିଆଇ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସେ ଏନେଇ ପ୍ରଥମେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ୨୦୧୯ରେ ପୁଲିସ୍‌ର ଅହମଦାବାଦ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏ ସମ୍ପର୍କରେ ସୁରେଶ କହିଛନ୍ତି, “୨୦୧୯ରେ ମେହସାନା ପୁଲିସ ଟିମ ସହ ମୁଁ ଦିଲ୍ଲୀ ଯାଇଥିଲି। ଡାକ୍ତର ଆନନ୍ଦ କୁମାରଙ୍କ ନାଁରେ ଥିବା ଠିକଣାରେ ଆମେ ପହଞ୍ଚିଥିଲୁ। କିନ୍ତୁ ସେଠାରେ ସେମିତି କେହି ନଥିଲେ। ଦିଲ୍ଲୀରେ ଥିବା ଗୋଟିଏ ଘରୋଇ ବ୍ୟାଙ୍କର ବ୍ରାଞ୍ଚକୁ ଆମେ ଯାଇଥିଲୁ। ସେଠାରେ ଆମେ ଜାଣିବାକୁ ପାଇଲୁ ଯେ ଅଭିଯୁକ୍ତ ଜଣକ ଆହୁରି ଅନେକ ଲୋକଙ୍କୁ ଠକିଛନ୍ତି।”

ଏହାପରେ କିନ୍ତୁ ତଦନ୍ତ ଥମି ଯାଇଥିଲା। ସୁରେଶ ପଟେଲ କିନ୍ତୁ ହାର ମାନି ନଥିଲେ। ସେ ୨୦୨୩ ଡିସେମ୍ବର ମାସରେ ଅଧିକ ପ୍ରମାଣ ଯୋଗାଣ କରିଥିଲେ ଓ ମେହସାନା ଏସ୍‌ପି ଅଫିସରେ ଅଭିଯୋଗ କରିଥିଲେ। ଏବେ ପୁଣି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।

NEET Gujarat NEET Result MBBS Admission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe