Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଅଭିଯୁକ୍ତକୁ ଧରାଇଲା ବ୍ଲୁଥୁଟ ହ୍ୟାଣ୍ଡସେଟ୍‌

ସଞ୍ଜୟକୁ ପୁଲିସ୍‌ ଗୋଟିଏ ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ଯୋଗୁ ଧରିବାକୁ ସକ୍ଷମ ହୋଇଛି। ଅପରାଧ ଘଟାଇବା ପରେ ସଞ୍ଜୟର ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ସେଠାରେ ପଡ଼ି ଯାଇଥିଲା।

author-image
Hemant Lenka
stop Rape

stop Rape

ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ କୋଲକାତା ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲ୍‌ରୁ ଶୁକ୍ରବାର ରାତିରେ ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ଛାତ୍ରୀଙ୍କ ମୃତଦେହ ମିଳିଥିଲା।

Advertisment

ପୁଲିସ୍‌ ଏହି ଘଟଣାରେ ନାଗରିକ ସ୍ୱେଚ୍ଛାସେବୀ ଭାବେ କୋଲକାତା ପୁଲିସ୍‌ ଦ୍ୱାରା ନିଯୁକ୍ତି ପାଇଥିବା ସଞ୍ଜୟ ରୟକୁ ଗିରଫ କରିଛି। ତେବେ କୋଲକାତା ପୁଲିସ୍‌ କମିଶନର ବିନୀତ ଗୋୟଲ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟର ପ୍ରଫେସନକୁ ସାର୍ବଜନୀନ କରି ନାହାନ୍ତି। ହେଲେ ସଞ୍ଜୟ ପୁଲିସ୍‌ ଦ୍ୱାରା ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସ୍ୱେଚ୍ଛାସେବୀଙ୍କୁ ମଧ୍ୟରୁ ଜଣେ ବୋଲି ଜଣାପଡ଼ିଛି।

ସାମ୍ବାଦିକମାନେ ବାରମ୍ବାର ସଞ୍ଜୟର ପ୍ରଫେସନ ସମ୍ପର୍କରେ ପ୍ରଶ୍ନ କରିବାକୁ ଗୋୟଲ କହିଛନ୍ତି, “ସେ ଯିଏ ବି ହେଉଥାଉ ପଛେ, ସେ ଜଣେ ଅପରାଧୀ ଓ ସେ ଅତ୍ୟନ୍ତ ଭୟଙ୍କର କାଣ୍ଡ ଘଟାଇଛି। ସେ ସବୁଠାରୁ କଠିନ ଦଣ୍ଡ ପାଇବାକୁ ଯୋଗ୍ୟ। ତା’ ବିରୋଧରେ ସମସ୍ତ ପ୍ରକାରର ପ୍ରମାଣ ସଂଗ୍ରହ କରାଯାଇଛି। ଶବବ୍ୟବଚ୍ଛେଦ ରିପୋର୍ଟରେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ତାଙ୍କ ଆଖିରେ ଭୟଙ୍କର କ୍ଷତ ଚିହ୍ନ ରହିବା ସହ ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା।”

Advertisment

ସଞ୍ଜୟକୁ ପୁଲିସ୍‌ ଗୋଟିଏ ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ଯୋଗୁ ଧରିବାକୁ ସକ୍ଷମ ହୋଇଛି। ଅପରାଧ ଘଟାଇବା ପରେ ସଞ୍ଜୟର ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ସେଠାରେ ପଡ଼ି ଯାଇଥିଲା। ଏହାକୁ ଆଧାର କରି ପୁଲିସ୍‌ ୬ ଘଣ୍ଟା ମଧ୍ୟରେ ସଞ୍ଜୟ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା।

କୋଲକାତା ସମେତ ପୂରା ଦେଶକୁ ଦୋହଲାଇ ଦେଇଥିବା ଏହି ଭୟଙ୍କର ଘଟଣାର ତଦନ୍ତ ପାଇଁ ପୁଲିସ୍‌ ୭ ଜଣିଆ ଏଆଇଟି ଗଠନ କରିଥିଲା। ଏସଆଇଟି ୩୩ ବର୍ଷୀୟ ସଞ୍ଜୟକୁ ଜେରା କରିବା ପରେ ଗିରଫ କରିଛି।

୨୦୧୯ରେ ସଞ୍ଜୟ ରୟ ସ୍ୱେଚ୍ଛାସେବୀ ଭାବେ କୋଲକାତା ପୁଲିସ୍‌ ଦ୍ୱାରା ନିଯୁକ୍ତି ପାଇଥିଲା। ନିଯୁକ୍ତି ପାଇବା ପରଠାରୁ ଅଧିକାଂଶ ସମୟ ସେ ଆରଜି କର ହସ୍ପିଟାଲରେ ଥିବା ପୁଲିସ୍‌ ଆଉଟପୋଷ୍ଟରେ ମୁତୟନ ହେଉଥିଲା। ତେଣୁ ସେ ବେଶ ସହଜରେ ହସ୍ପିଟାଲ ବିଭିନ୍ନ ବିଭାଗକୁ ଯାଇ ପାରୁଥିଲା। ଏହାର ଫାଇଦା ଉଠାଇ ସେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଟ୍ରେନି ଡାକ୍ତରଙ୍କୁ ସେମିନାଲ ହଲ ଭିତରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା। 

ଟ୍ରେନି ଡାକ୍ତରଙ୍କ ମୃତଦେହ ନିକଟକରୁ ପୁଲିସ୍‌ ଗୋଟିଏ ଛିଣ୍ଡା ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ପାଇଥିଲା। ସିସିଟିଭି ଫୁଟେଜରୁ ମଧ୍ୟ ଜଣାପଡ଼ିଥିଲା ଯେ ସେମିନାର ରୁମକୁ ସଞ୍ଜୟ ଭୋର ୪ଟାରେ ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ସହ ଯାଇଥିଲା। କିନ୍ତୁ ୪୦ ମିନିଟ ପରେ ସେ ବିଲଡିଂରୁ ବାହାରିବା ବେଳେ ତା’ ବେକରେ ଉକ୍ତ ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ନଥିଲା।

ଉକ୍ତ ବ୍ଲୁଥୁଟ ହ୍ୟାଣ୍ଡସେଟ୍‌କୁ ପୁଲିସ୍‌ ସଞ୍ଜୟର ମୋବାଇଲ ସହ ଯୋଡ଼ିବାରୁ ଏହା ଆପେଆପେ କନେକ୍ଟ ହୋଇଯାଇଥିଲା। ସେ ହିଁ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୁଲିସ ନିଶ୍ଚିତ ହୋଇଥିଲା। ସଞ୍ଜୟ ମଧ୍ୟ ଜେରା ବେଳେ କାନ୍ଦି କାନ୍ଦି ନିଜ ଅପରାଧକୁ ସ୍ୱୀକାର କରିଛି।

ପୁଲିସ୍‌ କହିଛି ଯେ ସଞ୍ଜୟ ବିରୋଧରେ ଅନେକ ପ୍ରମାଣ ମିଳିଛି। ରାତି ତମାମ ପ୍ରମାଣ ସଂଗ୍ରହ କରାଯିବା ପରେ ଗିରଫଦାରୀ ହୋଇଛି। ସିସିଟିଭି ଫୁଟେଜ ଠାରୁ ବିଭିନ୍ନ ପ୍ରକାରର ପ୍ରମାଣ ପୁଲିସ୍‌ କୋର୍ଟରେ ଉପସ୍ଥାପନ କରି କଠୋର ଦଣ୍ଡବିଧାନ ପାଇଁ ଅନୁରୋଧ କରାଯିବ ବୋଲି ପୁଲିସ୍‌ କହିଛି।

ସଞ୍ଜୟକୁ ଗିରଫ ପରେ ସେଲଦା କୋର୍ଟରେ ହାଜର କରାଯାଇଥିଲେ। ତା’ ପାଇଁ କୌଣସି ଓକିଲ ପକ୍ଷ ରଖି ନଥିଲେ। ଶୁଣାଣି ବେଳେ ସରକାରୀ ଓକିଲ ଆରଜି କର ଘଟଣାକୁ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ସହ ତୁଳନା କରିଥିଲେ। କୋର୍ଟ ଏକଥା ଶୁଣିବା ପରେ ଅଭିଯୁକ୍ତକୁ ୧୪ ଦିନ ପାଇଁ ପୁଲିସ୍‌ ରିମାଣ୍ଡରେ ପଠାଇ ଦେଇଛନ୍ତି।

Kolkata Kolkata Police Kolkata Murder Case Kolkata Doctor Murder Case