ରକ୍ତଛିଟା, ଚତୁର କ୍ୟାବ ଡ୍ରାଇଭର: କେମିତି ଧରାପଡ଼ିଲେ ପୁଅ ହତ୍ୟାକାରୀ ସୂଚନା ସେଠ୍‌?

ରକ୍ତଛିଟା, ସତର୍କ ହୋଟେଲ କର୍ମଚାରୀ, ତଥ୍ୟ ରଖିଥିବା ପୁଲିସ୍ ଓ ଚାପ ସମୟରେ ଆଦୌ ବିଚଳିତ ହୋଇ ନଥିବା କ୍ୟାବ ଡ୍ରାଭରଙ୍କୁ ଯୋଗୁ ସୂଚନା ଧରା ପଡ଼ିଛନ୍ତି।

ସୂଚନା ସେଠ୍‌ ଓ ଘଟଣା ଘଟିଥିବା ହୋଟେଲ (ଫାଇଲ ଫଟୋ)

  • Published: Tuesday, 09 January 2024
  • , Updated: 09 January 2024, 06:15 PM IST

ନିଜର ୪ ବର୍ଷର ପୁଅକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ସେଠ୍‌ ଏବେ ପୁଲିସ୍‌ ପଞ୍ଝାରେ। ସେ ଗୋଆରେ ପୁଅକୁ ହତ୍ୟା କରି ବ୍ୟାଗରେ ଭର୍ତ୍ତି କରି ବେଙ୍ଗାଲୁରୁ ଯାଉଥିଲେ। ତେବେ ଅଧା ବାଟରେ ଅର୍ଥାତ ୪୦୦ କିମି ବାଟ ଅତିକ୍ରମ କରିବା ପରେ ଧରାପଡ଼ିଛନ୍ତି। କିନ୍ତୁ ସେ ଏତେ ବାଟ ଯାତ୍ରା କରିଥିଲେ ମଧ୍ୟ ହତ୍ୟା ସମ୍ପର୍କରେ କେହି ବି ଟିକିଏ ସୂଚନା ପାଇ ନଥିଲେ। ବେଙ୍ଗାଲୁରୁ ଠାରୁ ୨୦୦ କିମି ଦୂରରେ ସୂଚନାଙ୍କ ସବୁ ଖେଳ ଶେଷ ହୋଇଛି। ସେ ଏବେ ପୁଲିସ୍‌ ପଞ୍ଝାରେ ପଡ଼ିଛନ୍ତି।

ତେବେ ରକ୍ତଛିଟା, ସତର୍କ ହୋଟେଲ କର୍ମଚାରୀ, ତଥ୍ୟ ରଖିଥିବା ପୁଲିସ୍ ଓ ଚାପ ସମୟରେ ଆଦୌ ବିଚଳିତ ହୋଇ ନଥିବା କ୍ୟାବ ଡ୍ରାଭରଙ୍କୁ ଯୋଗୁ ସୂଚନା ଧରା ପଡ଼ିଛନ୍ତି। ସୂଚନା ହେଉଛନ୍ତି ବେଙ୍ଗାଲୁରୁରେ ଥିବା ଗୋଟିଏ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟ ଅପ୍ କମ୍ପାନୀର ଏଆଇ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ। ସେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ପରେ କୋର୍ଟ ତାଙ୍କୁ ୬ ଦିନ ପାଇଁ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ଦେଇ ଗୋଆର ରାଜଧାନୀ ପାଣାଜୀରେ ବରିଷ୍ଠ ପୁଲିସ୍‌ ଅଧିକାରୀ ନିଧିନ ଭାଲସନ ହୋଟେଲ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସୂଚନା ଯାତ୍ରା କରୁଥିବା ଟ୍ୟାକ୍ସି ଡ୍ରାଇଭରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। ସେମାନଙ୍କ ପାଇଁ ପୁଲିସ୍‌ ସୂଚନାଙ୍କୁ ଗିରଫ କରିପାରିଛି ବୋଲି ଭାଲସନ କହିଛନ୍ତି।

ପୂରା ଦେଶକୁ ଦୋହଲାଇ ଦେଇଥିବା ଏହି ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ଏଯାଏ ମିଳିନି। କ’ଣ ପାଇଁ ଜନ୍ମ କଲା ମା’ ନିଜ ଛୁଆକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲା, ତା’ହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଗୋଆ ହୋଟେଲରେ ପୁଅକୁ ହତ୍ୟା କରି ମା’ ଜଣଙ୍କ ଗୋଟିଏ ବ୍ୟାଗରେ ଏହାକୁ ଭର୍ତ୍ତି କରିଥିଲେ। ଶେଷରେ ବେଙ୍ଗାଲୁରୁ ଯିବା ପାଇଁ ସୂଚନା ବୁକ କରିଥିବା କ୍ୟାବରୁ ବ୍ୟାଗରେ ଭର୍ତ୍ତି ମୃତଦେହ ପୁଲିସ୍‌ ଉଦ୍ଧାର କରିଛି।

କ’ଣ ହୋଇଥିଲା?

ଜାନୁଆରୀ ୬ରେ ପୁଅ ସହ ସୂଚନା ସେଠ ଉତ୍ତର ଗୋଆର କାଣ୍ଡୋଲିମର ଗୋଟିଏ ସର୍ଭିସ ଆପାର୍ଟମେଣ୍ଟକୁ ଯାଇଥିଲେ। ସେଠାରେ ସେ ଦୁଇ ଦିନ ରହିବା ପରେ ଗୋଟିଏ ବଡ଼ ବ୍ୟାଗ ଧରି ବାହାରିଥିଲେ। ରୁମରୁ ବାହାରିବା ପୂର୍ବରୁ ସେ ହୋଟେଲ କର୍ମଚାରୀଙ୍କୁ କ୍ୟାବ ବୁଝିବା ପାଇଁ କହିଥିଲେ।

କାରରେ ୬୦୦ କିମି ଦୂରତା ଯିବା ପାଇଁ ୧୨ ଘଣ୍ଟା ସମୟ ଲାଗିବ ଓ ବିମାନରେ ଗଲେ ୯୦ ମିନିଟ ଭିତରେ ସୂଚନା ବେଙ୍ଗାଲୁରୁରେ ପହଞ୍ଚି ଯିବେ। ତେଣୁ ହୋଟେଲ କର୍ମଚାରୀମାନେ ତାଙ୍କୁ ବିମାନ ବୁକ କରିବାକୁ କହିଥିଲେ। ହେଲେ ସେ କ୍ୟାବରେ ଯିବାକୁ ଚାହିଁଥିଲେ। ତାଙ୍କ ଡିମାଣ୍ଡ ଅନୁସାରେ ହୋଟେଲ କର୍ମଚାରୀମାନେ ମଧ୍ୟ କାର ବୁକ କରିଦେଇଥିଲେ।

ସୂଚନା ସେଠଙ୍କୁ କେମିତି ଗିରଫ କଲା ପୁଲିସ୍‌?

ବେଙ୍ଗାଲୁରୁ ଠାରୁ ୨୦୦ କିମି ଦୂର କର୍ଣ୍ଣାଟକାର ଚିତ୍ରଦୁର୍ଗ ଜିଲ୍ଲାରୁ ପୁଲିସ୍‌ ସୂଚନାଙ୍କୁ ଗିରଫ କରିଛି। ସୋଲ ବାନୟାନ ଗ୍ରାଣ୍ଡରେ ସୂଚନା ରହୁଥିଲେ। ସେ ରୁମ ଛାଡ଼ିବା ପରେ ଜଣେ କର୍ମଚାରୀ ଏହାକୁ ସଫା କରିବା ପାଇଁ ଯାଇଥିଲେ। ସଫା କରୁଥିବା ବେଳେ କିଛି ରକ୍ତ ଛିଟା ତାଙ୍କ ନଜରକୁ ଆସିଥିଲା। ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସୂଚନା ଯାଉଥିବା କ୍ୟାବକୁ ଟ୍ରାକ କରିଥିଲା। କ୍ୟାବ ଡ୍ରାଇଭରଙ୍କ ସହ ପୁଲିସ୍‌ ଯୋଗାଯୋଗ କରିବା ସହ କୋଙ୍କଣୀ ଭାଷାରେ କଥା ହୋଇଥିଲା। ସୂଚନା ଯେମିତି ଏ ସମ୍ପର୍କରେ କିଛି ନ ଜାଣିବେ, ସେନେଇ ପୁଲିସ୍‌ ଡ୍ରାଇଭରଙ୍କୁ ସତର୍କ କରାଇଥିଲା। ଡ୍ରାଇଭର ଜଣଙ୍କ କୋଙ୍କଣୀ ଭାଷାରେ କଥା ହେଉଥିବାରୁ ସୂଚନା କିଛି ବି ବୁଝି ପାରିଲେ ନାହିଁ।

ସେହିପରି ଡ୍ରାଇଭର ଜଣଙ୍କ ମଧ୍ୟ ପୁଲିସ୍‌ର ସୂଚନା ପାଇଁ ଆଦୌ ବିଚଳିତ ହୋଇ ନଥିଲେ। ପୁଲିସ୍‌ର କଥା ମାନି ସେ ନିକଟସ୍ଥ ପୁଲିସ୍‌ ଷ୍ଟେସନ ନିଜର କାର ନେଇ ଯାଇଥିଲେ।

ସେଠାରେ ପୁଲିସ୍‌ ତାଙ୍କୁ ପୁଅ ସମ୍ପର୍କରେ ପଚାରିଥିଲେ। ହେଲେ ସେ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ତାଙ୍କ ବ୍ୟାଗ ଯାଞ୍ଚ କରାଯିବା ବେଳେ ପିଲାଟିର ମୃତଦେହ ମିଳିଥିଲା। ପୁଲିସ୍‌ ଏହାକୁ ଆଧାର କରି ମାମଲା ରୁଜୁ କରିବା ସହ ସୂଚନାଙ୍କୁ ଗିରଫ କରିଥିଲା।

Related story