ରକ୍ତଭିଜା ମୃତଦେହ, କଣ୍ଡମ ଓ ଅପ୍ରତ୍ୟାଶିତ ଅତିଥି: କେମିତି ଟ୍ରିପଲ ମର୍ଡରର ଫର୍ଦ୍ଦାଫାସ କରିଥିଲା ପୁଲିସ?

ଘର ଭିତରେ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଖୁସବୁଙ୍କ ବେଡରୁମ ଉପରେ ନଜର ପଡ଼ିଥିଲା। ସେଠାରୁ ପୁଲିସ୍‌କୁ ଗୋଟିଏ କଣ୍ଡମ ମିଳିଥିଲା।

Manoj

ମନୋଜ ଓ ପ୍ରୀତି (ଫାଇଲ ଫଟୋ)

Hemant Lenka
  • Published: Thursday, 13 March 2025
  • , Updated: 13 March 2025, 08:38 PM IST

୨୦୧୯ ମସିହା ଜୁନ ୨୩ ତାରିଖ। ସକାଳ ୮ଟା। ‍ବବଲୀ ନାମକ ଜଣେ ଘରୋଇ ସହାୟିକା ସବୁ ଦିନ ଭଳି ସେ କାମ କରୁଥିବା ବସନ୍ତ ବିହାର ସ୍ଥିତ ଘରକୁ ଆସିଥିଲେ। ଏଠାରେ ବୟସ୍କ ମାଥୁର ଦମ୍ପତିଙ୍କ ଘରେ ବବଲୀ କାମ କରନ୍ତି। ମାଥୁର ଦମ୍ପତି ବସନ୍ତ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟରେ ରହୁଥିଲେ।

୮୦ ବର୍ଷୀୟ ବିଷ୍ଣୁ ମାଥୁର କେନ୍ଦ୍ର ସରକାରଙ୍କ ଜଣେ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କ ପତ୍ନୀ ୭୫ ବର୍ଷୀୟ ଶଶି ମାଥୁର ପୂର୍ବରୁ ଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ବା ଏନଡିଏମସିରେ କାମ କରୁଥିଲେ। ଅବସର ପରେ ଶଶି ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ବେଡରେ କାଟନ୍ତି। ପ୍ରଥମ ମହଲାର ଫ୍ଲାଟରେ ଥିବା ମାଥୁର ପରିବାରର ଆଉ ଗୋଟିଏ ରୁମରେ ୨୦ ବର୍ଷୀୟ ଖୁସବୁ ନୌଟିୟାଲ ରୁହନ୍ତି। ସେ ଶଶିଙ୍କ ସେବା କରନ୍ତି।

ବବଲୀ ସବୁ ଦିନ ପରି ସେ ଦିନ ମଧ୍ୟ ମାଥୁରଙ୍କ ଘରେ ପହଞ୍ଚି ବେଲ ମାରିଥିଲେ। ହେଲେ ଭିତରକୁ କିଛି ଉତ୍ତର ଆସି ନଥିଲା। ସେ କିଛି ମିନିଟ ଅପେକ୍ଷା କରଥିଲେ ହେଁ କେହି କବାଟ ଖୋଲି ନଥିଲେ। ଏଥିରେ ବବଲୀ ଆଦୌ ବ୍ୟସ୍ତ ହୋଇ ନଥିଲେ। କାରଣ ପୂର୍ବରୁ ମଧ୍ୟ ମାଥୁର ଦମ୍ପତି କବାଟ ନ ଖୋଲିଲେ ସେ ନିଜ ପାଖରେ ରଖିଥିବା ଚାବିର ବ୍ୟବହାର କରି ଭିତରକୁ ଯାଆନ୍ତି।

ସେଦିନ ମଧ୍ୟ ସେ ସେମିତି କିଛି କରିବାକୁ ଯାଉଥିଲେ। କିନ୍ତୁ ସେ ଚାବି ଲକରେ ଭର୍ତ୍ତି କରିବା ପୂର୍ବରୁ ଜାଣିବାକୁ ପାଇଥିଲେ ଯେ କବାଟ ଖୋଲା ରହିଛି। ସେ ଭିତରକୁ ଯାଇଥିଲେ। କିନ୍ତୁ ଭିତରର ଦୃଶ୍ୟ ଦେଖି ତାଙ୍କ ଆଖିର ପଲକ ଆଉ ପଡ଼ିନଥିଲା। ଦମ୍ପତିଙ୍କ ରକ୍ତଭିଜା ମୃତଦେହ ଭିତରେ ପଡ଼ିଥିଲା। ସେମାନଙ୍କ ତଣ୍ଟି କଟା ଯାଇଥିବା ବେଳେ ଦେହରେ ଏକାଧିକ କ୍ଷତ ଚିହ୍ନ ରହିଥିଲେ। ଆଉ ଗୋଟିଏ ରୁମରେ ଖୁସବୁ ମଧ୍ୟ ନିସ୍ତେଜ ହୋଇ ପଡ଼ିଥିଲେ। ତାଙ୍କ ତଣ୍ଟି ବି କଟା ଯାଇଥିଲା।

ଘରର ଦୃଶ୍ୟ ଦେଖିଲେ ଲାଗୁଥିଲା ଯେ କେହି ବଳପୂର୍ବକ ଭିତରକୁ ପଶି ନାହାନ୍ତି। ଘରର ଟେବୁଲରେ ଚା’ କପ ବେଶ ସ୍ଥିର ଭାବେ ରହିଥିଲା। ଅବଶ୍ୟ କିଛି ସୁନା ଅଳଙ୍କାର ଘରେ ନଥିଲା। କିନ୍ତୁ ଘରେ ଥିବା ନଗଦ ଟଙ୍କାରେ ହାତ ମରା ଯାଇ ନଥିଲା। ଦମ୍ପତିଙ୍କ ମୋବାଇଲ ଫୋନ ଘରେ ନଥିଲା। ଘର ଭିତରେ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଖୁସବୁଙ୍କ ବେଡରୁମ ଉପରେ ନଜର ପଡ଼ିଥିଲା। ସେଠାରୁ ପୁଲିସ୍‌କୁ ଗୋଟିଏ କଣ୍ଡମ ମିଳିଥିଲା।

ତଥ୍ୟକୁ ସବୁ ଯୋଡ଼ିଥିଲା ପୁଲିସ୍‌

ଖୁସବୁ ପ୍ରାୟ ଗୋଟିଏ ବର୍ଷ ହେଲା ମାଥୁରଙ୍କ ଘରେ ରହୁଥିଲେ। ଦମ୍ପତିଙ୍କ ପୁଅ କିଛି ବର୍ଷ ତଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଶଶିଙ୍କ ଦେହ ଖରା ରହୁଥିବା ବେଳେ ତାଙ୍କର ଏକମାତ୍ର ଝିଅ ତାଙ୍କ ସ୍ୱାମୀ ଓ ପରିବାର ସହ ଦକ୍ଷିଣ ଦିଲ୍ଲୀରେ ରୁହନ୍ତି। ତେଣୁ ଦମ୍ପତି ସଂପୂର୍ଣ୍ଣ ଭାବେ ଖୁସବୁଙ୍କ ଉପରେ ନିର୍ଭରଶୀଳ ଥିଲେ।

ଯାଞ୍ଚ ବେଳେ ପଡ଼ୋଶୀମାନେ ପୁଲିସ୍‌କୁ କହିଥିଲେ ଯେ ଖୁସବୁଙ୍କ ବୟଫ୍ରେଣ୍ଡ ନିୟମିତ ଏଠାକୁ ଆସନ୍ତି। ଖୁସବୁକଙ୍କ ବେଡରୁମରୁ କଣ୍ଡମ ମିଳିଥିବାରୁ ପୁଲିସ ଭାବି ନେଇଥିଲା ଯେ ତାଙ୍କ ବୟଫ୍ରେଣ୍ଡ ହିଁ ମୁଖ୍ୟ ଅଭିଯୁକ୍ତ। ସେ ହତ୍ୟା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିବା ବେଳେ ସମ୍ଭବତଃ କଣ୍ଡମଟି ଗଳି ପଡ଼ିଛି। ପୁଲିସ୍‌ ତୁରନ୍ତ ଖୁସବୁଙ୍କ ବୟଫ୍ରେଣ୍ଡ ଓ ତାଙ୍କର କିଛି ଜଣାଶୁଣା ଲୋକଙ୍କୁ ଅଟକ ରଖି ଜେରା ଆରମ୍ଭ କରିଥିଲା।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଆମେ ସେମାନଙ୍କୁ ୭୨ ଘଣ୍ଟା ଜେରା କରିଥିଲୁ। କିନ୍ତୁ କୌଣସି ସନ୍ଦେହଜନକ ତଥ୍ୟ ମିଳି ନଥିଲା। ତେଣୁ ତଦନ୍ତ ସେହିଠାରେ ଅଟକି ଯାଇଥିଲା। ଆମେ ଜାଣିବାକୁ ପାଇଥିଲୁ ଯେ ହତ୍ୟା ସହ ମୁଖ୍ୟ ସନ୍ଦିଗ୍ଧର କୌଣସି ସମ୍ପର୍କ ନାହିଁ। ଆମ ତଦନ୍ତ ଭୁଲ ଟ୍ରାକରେ ଯାଉଥିଲା।”

ପୁଲିସ୍‌ ଏହାପରେ ସବୁ କିଛି ପୁଣି ମୂଳରୁ ଆରମ୍ଭ କରିଥିଲା। ପୁଲିସ୍‌ ଟିମ ମାଥୁରଙ୍କ ଝିଅ ଘରକୁ ଯାଇଥିଲା। ତାଙ୍କୁ କୌଣସି ଅଜବ ଘଟଣା କିଛି ନିକଟରେ ଘଟିଥିଲା କି ମନେପକାଇବାକୁ କହିଥିଲା। ମାଥୁରଙ୍କ ଝିଅ ବହୁତ ମନେ ପକାଇବା ପରେ ପ୍ରୀତି ଶେରାୱତଙ୍କ ନାଁ ନେଇଥିଲେ। ପ୍ରୀତି ବହୁ ବର୍ଷ ପରେ ମାଥୁର ଦମ୍ପତିଙ୍କ ପାଖକୁ ନିକଟରେ ବାରମ୍ବାର ଆସୁଥିଲେ ବୋଲି ଝିଅ ଜଣଙ୍କ ପୁଲିସ୍‌କୁ କହିଥିଲେ।

ପ୍ରୀତିଙ୍କ ମା’ ଓ ଶଶି ଏନଡିଏମସିରେ ଏକାଠି କାମ କରୁଥିଲେ। କିନ୍ତୁ ଅବସର ପରେ ସେମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ୪୨ ବର୍ଷୀୟ ପ୍ରୀତି ଦିଲ୍ଲୀ ନଙ୍ଗଲୋଇରେ ରୁହନ୍ତି। କାହିଁକି ସେ ପୁରୁଣା ସମ୍ପର୍କକୁ ହଠାତ୍ ଯୋଡ଼ିଥିଲେ? ବର୍ତ୍ତମାନ ସେ କେଉଁଠି? ପୁଲିସ୍‌ ଏ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲା।

ତଦନ୍ତକାରୀ ଟିମ ପ୍ରୀତିଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବା ପୂର୍ବରୁ ତାଙ୍କୁ ଗୁରଗାଓଁର ଗୋଟିଏ ହୋଟେଲ ରୁମରୁ ଠାବ କରିଥିଲା। ହତ୍ୟାର ୪ ଦିନ ପରେ ଅର୍ଥାତ ୨୦୧୯ ମସିହା ଜୁନ ୨୬ରେ ବିଷ୍ଣୁ ମାଥୁରଙ୍କ ହଜି ଯାଇଥିବା ଫୋନ କିଛି ସମୟ ପାଇଁ ଅନ ହେବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏହା ଥିଲା ପୁଲିସ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ପୁଲିସ୍‌ ଏହି ସିଗ୍ନାଲକୁ ପିଛା କରି ଗୁରଗାଓଁର ଗୋଟିଏ ହୋଟେଲରେ ପହଞ୍ଚିଥିଲା। ସେଠାରେ ପୁଲିସ୍‌ ପ୍ରୀତି ଓ ତାଙ୍କର ୩୯ ବର୍ଷୀୟ ଲିଭ ଇନ ପାର୍ଟନର ମନୋଜ ଭଟ୍ଟଙ୍କୁ ଦେଖି ଚକିତ ହୋଇଯାଇଥିଲା।

ମନୋଜ ହୋଟେଲରେ ବିଷ୍ଣୁ ମାଥୁରଙ୍କ ଫୋନ କିଛି ସମୟ ଅନ କରିବା ପରେ ପୁଣି ଅଫ କରି ଦେଇଥିଲେ। କିନ୍ତୁ ତାଙ୍କର ଏହି ଛୋଟିଆ ଭୁଲ ପୁଲିସ୍‌କୁ ସେଠାରେ ପହଞ୍ଚାଇ ଦେଇଥିଲା। ସେମାନଙ୍କୁ ଜେରା କରିବା ପରେ ପୁଲିସ୍‌ ଗୁରଗାଓଁର ଡିଏଲଏଫ ଫେଜ ୧ରେ ଥିବା ଶୁଶାନ୍ତ ଲୋକ ଅନ୍ତର୍ଗତ ପ୍ଲଟରେ ପହଞ୍ଚିଥିଲା। ସେଠାରେ ଥିବା ଅଳିଆ ଓ ମାଟିକୁ ସଫା କରି ପୁଲିସ୍‌ ହତ୍ୟାରେ ବ୍ୟବହୃତ ଛୁରୀ ଓ ସ୍କ୍ରୁ ଡ୍ରାଇଭର ଜବତ କରିଥିଲା।

ଏହାପରେ ଏମିତି କିଛି ଜିନିଷ ମିଳିଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେଠାରୁ ଆଉ ୨ଟି କଣ୍ଡମ ଷ୍ଟ୍ରିପ ମିଳିଥିଲା। ମାଥୁରଙ୍କ ଘରୁ ମିଲିଥିବା କଣ୍ଡମ ସହ ସହ ଏହାକୁ ପୁଲିସ୍‌ ମେଳ କରାଇଥିଲା। ସେଥିରୁ ୩ଟି ଯାକ କଣ୍ଡମ ଗୋଟିଏ ପ୍ୟାକେଟର ବୋଲି ପ୍ରମାଣିତ ହୋଇଥିଲା।

ଫ୍ୟାକ୍ଟେଟକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଥିଲା। ଫରେନ୍ସିକ ଯାଞ୍ଚରୁ ଜଣାପଡ଼ିଥିଲା ଯେ କଣ୍ଡମଗୁଡ଼ିକ ଗୋଟିଏ ପ୍ୟାକେଟର ୩ଟି ସେଟ୍‌। ରଙ୍ଗ ଓ ସାଇଜରେ ୩ଟି ଯାକ କଣ୍ଡମ ସମାନ। କଣ୍ଡମକୁ ଜାଣିଶୁଣି ଖୁସବୁଙ୍କ ବେଡ ରୁମରେ ରଖାଯାଇଥିଲା। କାରଣ ଏହାଦ୍ୱାରା ପୁଲିସ୍‌ର ସନ୍ଦେହ ତାଙ୍କ ବୟଫ୍ରେଣ୍ଡ ଆଡ଼କୁ ଯିବ। ତଦନ୍ତକୁ ବାଟବଣା କରିବାକୁ ସବୁ ପ୍ରକାରର ଯୋଜନା ହୋଇଥିଲା। ହେଲେ ପୁଲିସ୍‌ ସବୁ କିଛିର ପର୍ଦ୍ଦାଫାସ କରିଥିଲା।

ଲୋଭ ସଜାଇଲା ହତ୍ୟାକାରୀ

ପ୍ରୀତି ସବୁବେଳେ ନିଜସ୍ୱ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଚାହୁଁଥିଲେ। ନଙ୍ଗଲୋ ଚଞ୍ଚଲ ପାର୍କ ଅଞ୍ଚଳରେ ବଢ଼ିଥିବା ପ୍ରୀତି ୧୯୯୭ରେ ଲଜପତ ନଗରରେ ଥିବା ଫୁଡ ଆଣ୍ଡ କ୍ରାଫ୍ଟ ଇନିଷ୍ଟିଚ୍ୟୁଟରେ ପଢ଼ିଥିଲେ। ସେଠାରେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପରେ ସେ ମୋନାଲି ଚାଲି ଯାଇଥିଲେ। ଗୋଟିଏ ହୋଟେଲର ଫ୍ରଣ୍ଟ ଡେସ୍କରେ ସେ କାମ କରିଥିଲେ।

ପ୍ରୀତିଙ୍କ ବୟାନ ଅନୁସାରେ, ସେ ୨୦୦୦ ମସିହାରେ ଘର ଲୋକ ବୁଝିଥିବା ନିକୋଲାସ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କ ନାଁରୁ ସେ ଜଣେ ବିଦେଶୀ ବୋଲି ପ୍ରୀତି ଭାବୁଥିଲେ। କିନ୍ତୁ ନିକୋଲାସଙ୍କ ଘର ନଙ୍ଗଲୋଇରେ। ବାହାରର ଗୋଟିଏ ବର୍ଷ ପରେ ପ୍ରୀତି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ନିକୋଲାସ କିଛି କରୁ ନଥିବାରୁ ପ୍ରୀତି ବିଭିନ୍ନ ଘରୋଇ କମ୍ପାନୀରେ କାମ କରି ପରିବାର ଚଳାଉଥିଲେ। ୨୦୦୪ରେ ଦମ୍ପତି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା। ଜନ୍ମ ହୋଇଥିଲେ ହେଁ ନିକୋଲାସ ତାଙ୍କୁ ଛାଡ଼ି ପଳାଇଥିଲେ। ୨୦୦୬ରେ ସେ ପୁଣି ପ୍ରୀତିଙ୍କ ପାଖକୁ ଆସିଥିଲେ ଓ ୨୦୦୭ରେ ପୁଣି କେଉଁ ଆଡ଼େ ଚାଲି ଯାଇଥିଲେ।

ପରବର୍ତ୍ତୀ ୯ ବର୍ଷ ଧରି ପ୍ରୀତି ଦିଲ୍ଲୀ ଏନସିଆରର ବିଭିନ୍ନ ହୋଟେଲ ଓ କଲ ସେଣ୍ଟରରେ କାମ କରିଥିଲେ। ପରିବାର ଲୋକ ଝିଅର ଦେଖା ଶୁଣା କରିଥିଲେ। ୨୦୧୫ରେ ସେ ଗୁରଗାଓଁର ସେକ୍ଟର ୩୮ରେ ନିଜସ୍ୱ ହଷ୍ଟେଲ ଖୋଲି ବହୁ ଦିନର ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କର ଦେଖା ମନୋଜଙ୍କ ସହ ହୋଇଥିଲା। ସେ ଜଣେ ପ୍ରପର୍ଟି ଡିଲରର ପରିଚୟ ଦେଇ ପ୍ରୀତିଙ୍କ ନିକଟବର୍ତ୍ତୀ ହୋଇଥିଲେ।

ସେମାନେ ବହୁତ ଜଲଦି ବେଶ ଘନିଷ୍ଠ ହୋଇଯାଇଥିଲେ ଓ ୬ ମାସ ପରେ ମଦ ନିଶାରେ ୩୯ ବର୍ଷୀୟ ମନୋଜ ତାଙ୍କ ଭୟଙ୍କର ଅତୀତ ସମ୍ପର୍କରେ ପ୍ରୀତିଙ୍କୁ ଜଣାଇଥିଲେ। ପତ୍ନୀଙ୍କ ହତ୍ୟା କରିବା ମାମଲାରେ ସେ ୫ ବର୍ଷ ଜେଲରେ ଥିଲେ ବୋଲି ପ୍ରୀତିଙ୍କୁ କହିଥିଲେ।

ମନୋଜ ପୁଲିସ୍‌କୁ କହିଛନ୍ତି, “ପତ୍ନୀଙ୍କ ସହ ମୋର ପ୍ରବଳ ଝଗଡ଼ା ହେଉଥିଲା। ମୁଁ ପୂରା ହତାଶା ହୋଇ ପଡ଼ିଥିଲି। ୨୦୧୦ରେ ମୁଁ ଓ ମୋର ଜଣେ ସାଙ୍ଗ ମୋ ପତ୍ନୀଙ୍କୁ ହତ୍ୟା କରିଥିଲୁ।” ହତ୍ୟାକାଣ୍ଡ ପରେ ମନୋଜ ଜେଲ ଯାଇଥିଲେ। ୨୦୧୫ରେ ସେ ପ୍ରୀତିଙ୍କୁ ଭେଟିବାର କିଛି ସପ୍ତାହ ପୂର୍ବରୁ ହିଁ ଜେଲରୁ ବାହାରିଥିଲେ।

୨୦୧୭ ବେଳକୁ ମନୋଜ ଓ ପ୍ରୀତି ଗୁରୁଗାଓଁରେ ଏକାଠି ରହିବା ଆରମ୍ଭ କରିଥିଲେ। ଘାଟାରେ ଚାଲିଥିବା ପିଜି ବ୍ୟବସାୟକୁ ବନ୍ଦ କରି ଏକାଠି ରେଷ୍ଟୁରାଣ୍ଟ ଖୋଲିଥିଲେ। କିନ୍ତୁ ବ୍ୟବସାୟରେ କ୍ଷତି ହେବାରୁ ୨୦୧୮ରେ ସେମାନେ ରେଷ୍ଟୁରାଣ୍ଟକୁ ମଧ୍ୟ ବନ୍ଦ କରି ଦେଇଥିଲେ। ପ୍ରୀତି ପୁଣି କଲ ସେକ୍ଟରରେ କାମ କରିଥିବା ବେଳେ ମନୋଜ କିଛି କରି ନଥିଲେ। ସେ ବେକାର ହୋଇ ବୁଲୁଥିବା ବେଳେ ପ୍ରୀତିଙ୍କୁ ସବୁବେଳେ ମଦ ପିଇବାକୁ ଟଙ୍କା ମାଗୁଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହେଉଥିଲା।

୨୦୧୯ରେ ପ୍ରୀତି ଅସୁସ୍ଥ ହେବାକୁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା। ତାଙ୍କ ଆୟର ଉତ୍ସ ବନ୍ଦ ହୋଇଯାଇଥିଲା। ତଥାପି ମନୋଜ ତାଙ୍କୁ ଟଙ୍କା ମାଗି ଚାଲିଥିଲେ। ମନୋଜ ପୁଲିସକୁ କହିଛନ୍ତି, “ମୁଁ ତାଙ୍କୁ କହିଥିଲି ଯେ ମୋତେ ଟଙ୍କା ଦିଏ, ନଚେତ ଚାଲ କୌଣସି ବଡ଼ ଡକାୟତି କରିବା।” ଏକଥା ଶୁଣିବା ପରେ ପ୍ରୀତିଙ୍କ ଶଶି ମାଉସୀଙ୍କ କଥା ମନେପଡ଼ିଥିଲା। ଶଶି ହେଉଛନ୍ତି ପ୍ରୀତିଙ୍କ ମା’ଙ୍କ ପୁରୁଣା ବନ୍ଧୁ।

୨୦୧୯ ମସିହା ଜୁନ ୧୭ରେ ପ୍ରୀତି ଗୋଟିଏ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଥିଲେ। ଏତିକି ବେଳେ ମନୋଜ ତାଙ୍କୁ ଶଶି ମାଉସୀଙ୍କୁ ଫୋନ କରିବାକୁ କହିଥିଲେ। ସେହିଦିନ ସନ୍ଧ୍ୟାରେ ପ୍ରୀତି ସିଧା ମାଥୁର ଦମ୍ପତିଙ୍କ ଘରେ ପହଞ୍ଚି ଯାଇଥିଲେ। ପ୍ରୀତି ପୁଲିସ୍‌କୁ କହିଛନ୍ତି, “ତାଙ୍କ ଭଲ ମନ୍ଦ ପଚାରିବା ଆଳରେ ମୁଁ ସବୁ କିଛି ପଚାରି ବୁଝିଥିଲା। ସେ କେତେବେଳେ ଏକାକୀ ରହୁଛନ୍ତି? କେଉଁମାନେ ତାଙ୍କୁ ଓ ବିଷ୍ଣୁ ମଉସାଙ୍କୁ ଦେଖାକରିବାକୁ ଆସୁଛନ୍ତି? ଦୈନନ୍ଦିନ କାମ କ’ଣ? ସବୁ କିଛି ପଚାରିଥିଲି।”

ଏହାର କିଛି ଦିନ ପରେ ଅର୍ଥାତ ଜୁନ ୨୨ ତାରିଖ ରାତି ୯ଟା ବେଳେ ପ୍ରୀତି ଓ ମନୋଜ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ମନୋଜ କହିଛନ୍ତି, “ମୁଁ ପ୍ରୀତିଙ୍କୁ କଳା ପୋଷାକ ପିନ୍ଧିବାକୁ କହିଥିଲି। କିନ୍ତୁ ତାଙ୍କ ପାଖରେ କୌଣସି କଳା ରଙ୍ଗର ଟପ ନଥିଲା। ତେଣୁ ମୁଁ ତାଙ୍କୁ ଗଭୀର ବାଇଗଣୀ ରଙ୍ଗର ଟି-ଶାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିବାକୁ କହିଥିଲି।”

ରାତି ପ୍ରାୟ ୧୦.୩୦ ବେଳକୁ ପ୍ରୀତି ଓ ମନୋଜ ସେମାନଙ୍କ ଗୁରଗାଓଁ ସ୍ଥିତ ଘରକୁ କଳା ରଙ୍ଗର ବଜାଜ ପଲସର ଗାଡ଼ି ଧରି ବାହାରିଥିଲେ। ସେଠାରୁ ସେମାନେ ସିଧା ବସନ୍ତ ଆପାର୍ଟମେଣ୍ଟ ଯାଇଥିଲେ। ପଡ଼ୋଶୀ ଓ ସିସିଟିଭିକୁ ଚକମା ଦେବା ପାଇଁ ମନୋଜ ତାଙ୍କ ବାଇକକୁ କିଛି ଦୂରରେ ରଖିଥିଲେ। ପ୍ରୀତି ମଧ୍ୟ ଓଢ଼ଣୀରେ ମୁହଁକୁ ଢାଙ୍କି ଦେଇଥିଲେ। ସେମାନେ ଚାଲିଚାଲି ମାଥୁରଙ୍କ ଘରେ ପହଞ୍ଚିଥିଲେ ଓ ବେଲ ମାରିଥିଊ। ରାତି ୧୧.୧୫ରେ କିଏ ଆସିଛି ବୋଲି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଖୁସବୁ, ବିଷ୍ଣୁ ଓ ଶଶି।

ପ୍ରୀତି ଘଟଣା ସମ୍ପର୍କରେ ଆହୁରି କହିଛନ୍ତି, “ଖୁସବୁ ଘରର ଦ୍ୱାର ଖୋଲିଥିଲେ। ମଉସା ଓ ମାଉସୀ ସେଠାରେ ରହିଥିଲେ। ଏତେ ରାତିରେ ଆମେ କାହିଁକି ଆସିଛୁ ବୋଲି ପ୍ରଶ୍ନ କରିଥିଲେ। ମୁଁ କହିଥିଲି ଯେ ଆମେ ଏହି ରାସ୍ତାରେ ଯାଉଥିଲୁ। ତେଣୁ ଦେଖା କରିବାକୁ ଚାଲି ଆସିଲୁ।” ଏସବୁ ଭିତରେ ବୃଦ୍ଧ ଦମ୍ପତି ମେଡସିନ ଖାଇ ନିଜ ବେଡରୁମକୁ ଚାଲି ଯାଇଥିଲେ। ମନୋଜ ଏହାପରେ ଖୁସବୁଙ୍କୁ ଟିଭି ଲଗାଇ ସାଉଣ୍ଡ ଦେବାକୁ କହିଥିଲେ। ସେ ଚୌକିରେ ବସି ନିଜ ସହ ଆଣିଥିବା ମଦ ପିଇଥିଲେ। ସେ ମଦ ପିଇବା ବେଳେ ବିଡି ଟାଣିଥିଲେ ଓ ପ୍ରୀତି ସିଗାରେଟ ଲଗାଇଥିଲେ। ସେମାନେ ଖୁସବୁଙ୍କୁ ଚା’ କରିବାକୁ ବି କହିଥିଲେ।

ଖୁସବୁ ଚା’ ଧରି ଆସିବା ସହ ଏହାକୁ ଟେବୁଲ ଉପରେ ରଖୁଥିବା ବେଳେ ମନୋଜ ତାଙ୍କୁ ଜାବୁଡ଼ି ଧରି ତାଙ୍କ ବେକ ଓ ଶରୀରରେ ଛୁରୀ ଭୁଷି ପକାଇଥିଲେ। ଟିଭିର ସାଉଣ୍ତ ଅଧିକ ଥିବାରୁ ଖୁସବୁଙ୍କ ଚିତ୍କାର ମାଥୁର ଦମ୍ପତିଙ୍କ ପାଖରେ ପହଞ୍ଚି ପାରି ନଥିଲା।

ଖୁସବୁଙ୍କ ଗଳା କାଟି ତଳେ ଫିଙ୍ଗି ଦେବା ପରେ ମନୋଜ ଓ ପ୍ରୀତି ତାଙ୍କ ମୁଖ୍ୟ ଟାର୍ଗେଟ ପାଖକୁ ଯାଇଥିଲେ। ପ୍ରୀତି ବେଡ ରୁମ ବାହାରେ ଛିଡ଼ା ହୋଇଥିବା ବେଳେ ମନୋଜ ଭିତରକୁ ଯାଇ ଦମ୍ପତିଙ୍କୁ ଛୁରୀ ଓ ସ୍କ୍ରୁ ଡ୍ରାଇଭରରେ ଆକ୍ରମଣ କରି ଚାଲିଥିଲେ। ପୂରା ଘର ରକ୍ତରେ ଭିଜି ଯାଇଥିଲେ। ହତ୍ୟା କରିବା ପରେ ସେ ଲୁଟ ଆରମ୍ଭ କରିଥିଲେ।

ମନୋଜ କହିଛି, “ଆମେ ସାଇବାବାଙ୍କ ଫଟୋ ଲାଗିଥିବା ଗୋଟିଏ ସୁନା ଚେନ, ହୀରା ଖଚିତ ମୁଦି, ଗୋଟିଏ ସୁନା କଡ଼ା, ୪ଟି ସୁନା ଚୁଡ଼ି ଓ ଅଆଉ କିଛି ଅଳଙ୍କାର ସେଠାରୁ ଆଣିଥିଲୁ।”

ସେଠାରୁ ଉଭୟ ଗୁରଗାଓଁ ସ୍ଥିତ ଘରକୁ ଆସିଥିଲେ। ମନୋଜ ସେଠାରେ ନିଜର ରକ୍ତଭିଜା ଟି-ଶାର୍ଟ, ଜୋତା ଓ ଦମ୍ପତିଙ୍କ ମୋବାଇଲ ଫୋନକୁ ଗୋଟିଏ ପଲିଥିନରେ ଭର୍ତ୍ତି କରିଥିଲେ। ଆଉ ଏକ ଜରିରେ ହତ୍ୟାରେ ବ୍ୟବହୃତ ଛୁରୀ ଓ ସ୍କ୍ରୁ ଡ୍ରାଇଭରକୁ ପୂରାଇଥିଲେ। ମନୋଜ ଅପରାଧର ପ୍ରମାଣ ନଷ୍ଟ କରିବାକୁ ଯାଇଥିବା ବେଳେ ପ୍ରୀତି ନିଜର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ପ୍ରୀତି କହିଛନ୍ତି, “ମୁଁ ଏକୁଟିଆ ଥିବାରୁ ପୂରା ଡରି ଯାଇଥିଲି। ତେଣୁ ଗୁରଗାଓଁର ସେକ୍ଟର ୩୧ରେ ଥିବା ହୋଟେଲକୁ ଚାଲି ଯାଇଥିଲି। ସେଠାରୁ ଆସିବା ପରେ ମନୋଜ ମୋତେ ଫେଜ ୧ରେ ଥିବା ଆଉ ଗୋଟିଏ ହୋଟେଲକୁ ନେଇ ଯାଇଥିଲେ।”

ସେଠାରେ ଉଭୟ ଲୁଟ ଅଲଙ୍କାରକୁ ଭାଗ କରିଥିଲେ। ୨୦୧୯ ଜୁନ ୨୩ରେ ପ୍ରୀତି ସଦନ ବଜାର ଅଞ୍ଚଳରେ ଥିବା ଗୋଟିଏ ଅଳଙ୍କାର ଦୋକାନକୁ ଯାଇ ୪ଟି ସୁନା ଚୁଡ଼ି ଓ କଡ଼ାକୁ ବିକ୍ରି କରିଥିଲେ। ସ୍ୱାମୀଙ୍କ ଚିକିତ୍ସା ପାଇଁ ସେ ସୁନା ବିକ୍ରି କରୁଥିବା ଦୋକାନୀଙ୍କୁ କହି ୧.୫ ଲକ୍ଷ ଟଙ୍କା ଆଣିଥିଲେ। ହୋଟେଲକୁ ଫେରି ଉକ୍ତ ଟଙ୍କା ସେ ମନୋଜଙ୍କୁ ଦେଇଥିଲେ।

ଜେରା ବେଳେ ମନୋଜ ପୁଲିସକୁ କହିଛନ୍ତି ଯେ “ଏସବୁ ଘଟଣା କେମିତି ଘଟେ ସେ ବିଷୟରେ ମୁଁ ଭଲ ଭାବେ ଅବଗତ ଥିଲି। ପ୍ରମାଣ ନଥିଲେ ବେଲରେ ବାହାରିକା ସଜହ ହେବ। ଜେଲରେ ଥିବା ବେଳେ ମୁଁ କଏଦୀମାନଙ୍କ ଠାରୁ ହତ୍ୟା ଘଟଣାରୁ କେମିତି ଖସିବାକୁ ହେବ ତା’ର କୌଶଳ ଶିଖିଥିଲି।”

ମନୋଜ ହତ୍ୟା ଘଟଣାରେ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ପୂରା ଚେଷ୍ଟା କରିଥିଲେ। ମାଥୁରଙ୍କ ଘରକୁ ସେ ସମ୍ପତ୍ତି କାଗଜ ନେଇ ଆସିଥିଲେ। କନ୍ତୁ ନଗଦ ଟଙ୍କାରେ ହାତ ମାରି ନଥିଲେ। ଏହାଦ୍ୱାରା ପୁଲିସ୍‌ର ନଜା ସମ୍ପର୍କୀୟମାନଙ୍କୁ ଆଡ଼କୁ ଯିବ ବୋଲି ସେ ଆଶା କରିଥିଲେ। ମାଥୁରଙ୍କ ଘରକୁ ଯିବା ବେଳେ ସେ ନିଜର ଫୋନ ମଧ୍ୟ ଟ୍ରାକ ଆଶଙ୍କାରେ ନେଇ ନଥିଲେ। ଜେଲରେ ୫ ବର୍ଷ ରହିବା ବେଳେ ସେ ଏସବୁ କଳା ଶି‌ଖିଥିଲେ। ସେହିପରି ସେ ଖୁସବୁଙ୍କ ରୁମରେ ଜାଣିଶୁଣି ଗୋଟିଏ କଣ୍ଡମ ରଖିଥିଲେ। ଏଥିଯୋଗୁ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡଙ୍କୁ ପ୍ରଥମେ ମୁଖ୍ୟ ସନ୍ଦିଗ୍ଧ ଭାବେ ଜେରା କରିଥିଲା।

Related story