Advertisment

କେମିତି ଅଛି ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା; ସରକାରଙ୍କୁ ଘେରିଲେ ବିରୋଧୀ. କ’ଣ କହିଲେ ମୁଖ୍ୟମନ୍ତ୍ରୀ

ପୀଡ଼ିତାଙ୍କ ଚିକିତ୍ସା ପାଇଁ AIIMS ପକ୍ଷରୁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ୮ ଜଣ ଅଭିଜ୍ଞ ଡାକ୍ତରଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କମିଟି ପୀଡ଼ିତାଙ୍କ ଚିକିତ୍ସା ତଦାରଖ କରିବ।

ଅଦ୍ୟତନ ହୋଇଛି
undefined

Fire

Advertisment

ଅଧ୍ୟାପକଙ୍କ ବିରୋଧରେ ମାନସିକ ନିର୍ଯାତନା ଆଣି ଗତକାଲି ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ୱର ଏଫ୍‌ଏମ୍‌ ସ୍ୱୟଂଶାସିତ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ କିଛି ସୁଧାର ଆସିନି ବୋଲି ଆଜି କହିଛନ୍ତି ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ।

Advertisment

ସେ କହିଛନ୍ତି, ପୀତିଡ଼ାଙ୍କୁ ICU ଭେଣ୍ଟିଲେଟର୍‌ରେ ରଖାଯାଇଛି। ତାଙ୍କ ଶରୀରର ୯୫%ରୁ ଅଧିକ ପୋଡ଼ିଯାଇଛି। ଇଣ୍ଟରନାଲ୍‌ ଆଘାତ ଲାଗିଛି। ତାଙ୍କ କିଡ୍‌ନୀ ପ୍ରଭାବିତ ହୋଇଛି। ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ବିଭାଗର ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି।

ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଛାତ୍ରୀଙ୍କ ଚିକିତ୍ସା ପାଇଁ AIIMS ପକ୍ଷରୁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ୮ ଜଣ ଅଭିଜ୍ଞ ଡାକ୍ତରଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କମିଟି ପୀଡ଼ିତାଙ୍କ ଚିକିତ୍ସା ତଦାରଖ କରୁଛି।

Advertisment

ସେହିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଛାତ୍ରୀ ଜଣଙ୍କୁ ବଞ୍ଚାଇବାକୁ ସମସ୍ତ ଚେଷ୍ଟା କରାଯାଉଛି। ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। AIIMSର ବିଶେଷଜ୍ଞ ଟିମ୍ ଚିକିତ୍ସା ଜାରି ରଖିଛନ୍ତି।

ଏହି ଘଟଣାରେ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ନିଲମ୍ବନ କରାଯାଇଥିବା ବେଳେ ଅଭିଯୁକ୍ତ ଅଧ୍ୟାପକ ସମୀର କୁମାର ସାହୁଙ୍କୁ ଗିରଫ କରାଯିବା ସହିତ ନିଲମ୍ବନ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ ଟିମ୍ ବାଲେଶ୍ୱର ଯାଇଛନ୍ତି। ତଦନ୍ତ ରିପୋର୍ଟ ଆସିଲେ ଆକ୍ସନ୍ ନିଆଯିବ। କଠୋର ପଦକ୍ଷେପ ନେବାରେ ଅବହେଳା କରାଯିବ ନାହିଁ।

ସୁରକ୍ଷା ମାଗିଲେ ନିଲମ୍ବିତ ଅଧ୍ୟକ୍ଷ

ଏହି ଘଟଣାରେ ନିଲମ୍ବିତ ହୋଇଥିବା ଏଫ୍‌ଏମ୍ ସ୍ୱୟଂଶାସିତ ବହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ନିଜ ପାଇଁ ସୁରକ୍ଷା ମାଗିଛନ୍ତି। ଏନେଇ ଜିଲ୍ଲାପାଳଙ୍କଠାରେ ସେ ଦାବି କରିଛନ୍ତି।

ଶ୍ରୀ ଘୋଷ କହିଛନ୍ତି ଯେ ସେ ଆସନ୍ତାକାଲିଠାରୁ ଜିଲ୍ଲାପାଳଙ୍କ ଅଫିସ ଯାଇ ରିପୋର୍ଟ କରିବେ। ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ। ବଡ଼ ଘଟଣା ଘଟିଛି। କାହାରି ମନରେ କ’ଣ ଥିବ କେମିତି ଜଣାପଡ଼ିବ। ତେଣୁ ତାଙ୍କ ପ୍ରତି ବିପଦ ରହିଛି। ଯେହେତୁ ତଦନ୍ତ ଚାଲିଛି, ତେଣୁ ସେ ସୁରକ୍ଷା ମାଗିଥିବା କହିଛନ୍ତି।

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ କୁଳାଧିପତି ଭାବେ ସେ (ରାଜ୍ୟପାଳ) ଛାତ୍ରୀ ଜଣଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ନବୀନ। ଛାତ୍ରୀ ଜଣଙ୍କ ପ୍ରିନ୍ସିପାଲଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କିପରି ତାଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରାଗଲା। ମାସ ମାସ ଧରି ସେ ଭୟ ଏବଂ ଯନ୍ତ୍ରଣାରେ ବଞ୍ଚି ରହିଥିଲେ। ନିବେଦନ କରି ସେ ଅନେକ ଉଚ୍ଚ ପଦାଧିକାରୀଙ୍କୁ ଟ୍ୟାଗ୍ କରିଥିଲେ। ଶେଷ ପ୍ରୟାସ ବିଫଳ ହେବାରୁ ପ୍ରିନ୍ସିପାଲଙ୍କ ଚାମ୍ବର ବାହାରେ ଆତ୍ମାହୁତି ଉଦ୍ୟମ କଲେ ବୋଲି ନବୀନ ଲେଖିଛନ୍ତି।

କଂଗ୍ରେସର ଟାର୍ଗେଟ

ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ମହିଳା କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି। ସେ କହିଛନ୍ତି, ଛାତ୍ରୀ ଜଣଙ୍କୁ ଅଧ୍ୟାପକ ସମୀର ସାହୁ ବାରମ୍ବାର ନିର୍ଯାତନା ଦେଇଛନ୍ତି। ସେହି କଲେଜ୍‌ରେ ସ୍ଥାୟୀ ପ୍ରିନ୍ସିପାଲ୍‌ ନାହାନ୍ତି। ଛାତ୍ରୀ ଜଣଙ୍କ ଘଟଣା ସଂପର୍କରେ ବିଧାୟକ, ସାଂସଦ ଓ ପୁଲିସକୁ କହିଛନ୍ତି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଛାତ୍ରୀଙ୍କୁ ନ୍ୟାୟ ମିଳୁ। ଦୋଷୀଙ୍କୁ ଦଣ୍ତ ଦିଆଯାଉ।

ଏହି ଘଟଣାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର ବିଜେଡି। ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ଛାତ୍ର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ।

ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ମୁଖ୍ୟମନ୍ତ୍ରୀ

ଦିଲ୍ଲୀରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇସାରିଛି। ରିପୋର୍ଟ ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହା ସହିତ ମୁଖ୍ୟମନ୍ତ୍ରୀ ଏମ୍‌ସ ଯାଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିଛନ୍ତି। ସେ କହିଛନ୍ତି, ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡର ଚିକିତ୍ସା ଯୋଗାଇ ଦିଆଯାଉଛି। ଆଗାମୀ ୨୪ ଘଣ୍ଟା ଛାତ୍ରୀ ଜଣଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଭିଡିଓ କନ୍‌ଫରେନ୍ସରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି। ବର୍ତ୍ତମାନ ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି, ସ୍ଥାନାନ୍ତର ସମ୍ଭବ ନୁହେଁ। ଯଦି ଆଗକୁ ସ୍ଥିତି ସ୍ୱାଭାବିକ ହେବ, ତା’ହେଲେ ଦିଲ୍ଲୀ ଏୟାରଲିଫ୍ଟ କରାଯିବ।

କ’ଣ ଅଭିଯୋଗ କରିଥିଲେ ଛାତ୍ରୀ ଜଣଙ୍କ

ବାଲେଶ୍ୱରର ଏଫଏମ ସ୍ୱୟଂଶାସିତ କଲେଜର ଦ୍ୱିତୀୟ ବର୍ଷର ଏହି ଇଣ୍ଟିଗ୍ରେଟେଡ୍ ବିଏଡ୍‌ର ଛାତ୍ରୀ ଜଣଙ୍କ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଗତ ୧ ତାରିଖରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଥିଲେ,ଏଚ୍‌ଓଡି ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁ ମୋତେ ମାନସିକ ନିର୍ଯାତନା ଦେବା ସହିତ ଅପମାନିତ କରି ଚାଲିଛନ୍ତି। ଶ୍ରେଣୀ ଗୃହରେ ବ୍ୟାକ୍ ଲଗାଇ ଦେବାକୁ ଧମକ ଦେଉଛନ୍ତି। ୬ ବର୍ଷ ବସେଇ ଦେବା ପାଇଁ ସିଧା ଧମକ ଦେଉଛନ୍ତି। ତା’ ସହିତ ଅସଦାଚରଣ କରୁଛନ୍ତି। ମୋ ବ୍ୟକ୍ତିଗତ କଥାକୁ ମୋ ଘରକୁ ଜଣାଉଛନ୍ତି। ସବୁଠୁ ବଡ଼ କଥା ହେଉଛି ସେ ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ମୁଁ ମନା କରିଥିଲି। ତା’ପରେ ସେ ମୋ ସହିତ ଦୁର୍ବ୍ୟବହାର କରି ଚାଲିଛନ୍ତି। ତେଣୁ ମୁଁ ମାନସିକ ଚାପଗ୍ରସ୍ତ ହୋଇ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି। ଯଦି ଘଟଣାର ତର୍ଜମା/ତଦନ୍ତ କଲେଜ କର୍ତ୍ତୃପକ୍ଷ ନ କରିବେ ଓ ମୋତେ ନ୍ୟାୟ ନ ଦେବେ, ତା’ହେଲେ ମୁଁ ଆତ୍ମହତ୍ୟା କରିବି। ଆଉ ଏସବୁ ପାଇଁ ଏଚ୍‌ଓଡି ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ।

Self Immolation Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe