Advertisment

ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?

ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

author-image
Hemant Lenka
wife

wife

ନିଜ ମଥାର ସିନ୍ଦୁର ନିଜେ ପୋଛିଲେ। ସ୍ୱାମୀଙ୍କ ହାତ ଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ। ସ୍ୱାମୀ ପୂର୍ବତନ ପୁଲିସ୍‌ ମୁଖିଆ ହୋଇଥିଲେ ହେଁ ତାଙ୍କୁ ପତ୍ନୀ ଘର ଭିତରେ ମାରି ଦେଇଛନ୍ତି। ମାରିବା ପରେ ପଡ଼ୋଶୀଙ୍କୁ ଫୋନ କରି ‘ମୁଁ ରାକ୍ଷସକୁ ମାରି ଦେଇଛି’ ବୋଲି ମଧ୍ୟ କହିଛନ୍ତି।

Advertisment

କର୍ଣ୍ଣାଟକାର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ବେଙ୍ଗାଲୁରୁ ପୁଲିସ୍‌ ଏହି ଘଟଣାରେ ତାଙ୍କ ପତ୍ନୀ ପଲ୍ଲବୀ ଓ ଝିଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ପତ୍ନୀ ପଲ୍ଲବୀ ସ୍ୱାମୀ ଓମ ପ୍ରକାଶଙ୍କ ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗିବା ସହ ହାତ ଗୋଡ଼ ବାନ୍ଧି ଏଚଏସଆର ଲେଆଉଟ ଆବାସରେ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପଲ୍ଲବୀ ଓ ଓମ ପ୍ରକାଶଙ୍କ ଝିଅ କ୍ରିତିଙ୍କୁ ମଧ୍ୟ ପୁଲିସ୍‌ ହତ୍ୟା ଘଟଣାରେ ଅଟକ ରଖିଛି। ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ପୁଅ ପୁଲିସ୍‌ରେ ଅଭିଯୋଗ କରିବା ପରେ ପଲ୍ଲବୀ ଓ କ୍ରିତିଙ୍କୁ ଅଟକ ରଖି ଜେରା କରାଯାଉଛି। ପୁଲିସ୍‌ର କହିବା କଥା ଯେ ୬୮ ବର୍ଷୀୟ ଅବସରପ୍ରାପ୍ତ ଆଇପିଏସ ଅଫିସର ଓମ ପ୍ରକାଶ ଓ ପଲ୍ଲବୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏହି ସମୟରେ ପଲ୍ଲବୀ ନିଜ ଉପରେ ନିୟନ୍ତ୍ରଣ ହରାଇ ଓମ ପ୍ରକାଶଙ୍କ ମୁହଁକୁ ଲଙ୍କା ଗୁଣ୍ଡ ମାଡ଼ କରି ଛୁରୀ ଭୁଷି ହତ୍ୟା କରିଥିଲେ। ୩ ମହଲା ବିଶିଷ୍ଟ ଘରର ଗ୍ରାଉଣ୍ଡ ଫ୍ଲୋରରେ ରବିବାର ଏପରି ହତ୍ୟାକାଣ୍ଡ ଘଟିଛି। ପ୍ରକାଶଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ପୁଲିସ୍‌ ଗ୍ରାଉଣ୍ଡ ଫ୍ଲୋରରୁ ଜବନ କରିଛି।

Advertisment

ଓମ ପ୍ରକାଶଙ୍କୁ ଛୁରୀ ଭୁଷି ହତ୍ୟା କରିବା ପରେ ପଲ୍ଲବୀ ତାଙ୍କ ପଡ଼ୋଶୀଙ୍କୁ ଫୋନ କରିଥିଲେ। ଏଥିସହ ‘ମୁଁ ସେହି ରାକ୍ଷସକୁ ମାରି ଦେଇଥିବା’ କହିଥିଲେ। ପ୍ରକାଶଙ୍କ ପୁଅ କାର୍ତ୍ତିକେଶଙ୍କ କହିବା କଥା ଯେ ମା’ ପଲ୍ଲବୀ ପ୍ରାୟ ସପ୍ତାହେ ହେଲାଣି ବାପାଙ୍କୁ ମାରିବାକୁ ଧମକ ଦେଉଥିଲେ। କାର୍ତ୍ତିକେଶ କହିଛନ୍ତି, “ମା’ଙ୍କ ଧମକ ଯୋଗୁ ବାପା ବାଧ୍ୟ ହୋଇ ତାଙ୍କ ଭଉଣୀ (ପିଉସୀ)ଙ୍କ ଘରେ ରହିବାକୁ ଯାଇଥିଲେ। ହେଲେ ମୋ ସାନ ଭଉଣୀ କ୍ରିତି ୨ ଦିନ ତଳେ ସେଠାକୁ ଯାଇଥିଲା ଓ ବାପାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଏଠାକୁ ଆଣିଥିଲା।”

ଏହି ଭୟଙ୍କର ଘଟଣା ରବିବାର ଅପରାହ୍ନ ୫ଟାରେ ସାମ୍ନାକୁ ଆସିଥିଲା। କାର୍ତ୍ତିକେଶ କର୍ଣ୍ଣାଟକା ଗଲ୍ଫ ଆସୋସିଏସନରେ ଥିବା ବେଳେ ତାଙ୍କର ଜଣେ ପଡ଼ୋଶୀ ଏନେଇ ତାଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ କାର୍ତ୍ତିକେଶ ତୁରନ୍ତ ଘରକୁ ଦୌଡ଼ି ଆସିଥିଲେ। ସେ ଆସିଲା ବେଳକୁ ତାଙ୍କ ଘରେ ପୁଲିସ୍‌ ଓ ଅନ୍ୟ ଲୋକମାନେ ଉପସ୍ଥିତ ରହିଥିଲେ। ଓମ ପ୍ରକାଶ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ମୁଣ୍ଡ ଓ ଶରୀରରେ କ୍ଷତ ଚିହ୍ନ ରହିଥିଲା। ତାଙ୍କ ମୃତଦେହ ନିକଟରେ ଦୁଇଟି ଛୁରୀ ଓ ଭଙ୍ଗା କାଚ ବୋତଲ ମଧ୍ୟ ପଡ଼ିଥିଲା। ଓମ ପ୍ରକାଶଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଣ୍ଟ ଜନ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।

କାର୍ତ୍ତିକେଶ କହିଛନ୍ତି, “ମୋ ମା’ ପଲ୍ଲବୀ ଓ ଭଉଣୀ କ୍ରିତି ସବୁବେଳେ ବାପାଙ୍କ ସହ ପାଟିତୁଣ୍ଡ କରନ୍ତି। ମୁଁ ଭଲ ଭାବେ ଜାଣିଛି ଯେ ସେମାନେ ଏହି ହତ୍ୟାକାଣ୍ଡରେ ସାମିଲ ରହିଛନ୍ତି। ପୁଲିସ୍‌ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।”

ସବୁବେଳେ ଝଗଡ଼ା, ସମ୍ପତ୍ତି ବିବାଦ ଓ ମାନସିକ ରୋଗ

କର୍ଣ୍ଣାଟକାର ଦାନ୍ଦେଲି ସ୍ଥିତ ଥିବା ଗୋଟିଏ ଜମିକୁ ନେଇ ପରିବାର ମଧ୍ୟରେ ବିବାଦ ଚାଲିଥିଲା। ଏହାକୁ ନେଇ ପରିବାର ଭିତରେ ସବୁବେଳେ ଝଗଡ଼ା ହେଉଥିଲା। ନିକଟରେ ଏହି ପାଟିତୁଣ୍ଡ ଯୋଗୁ ପଲ୍ଲବୀ ଏଚଏସଆର ଲେଆଉଟ ପୁଲିସ୍‌ ଟେଷ୍ଟସନରେ ଅଭିଯୋଗ କରିଥିଲେ। ହେଲେ ତାଙ୍କ ଅଭିଯୋଗକୁ ପୁଲିସ୍‌ ଗୁରୁତ୍ୱର ସହ ନେଇ ନଥିଲା। ତେଣୁ ତାଙ୍କୁ ପୁଲିସ୍‌ ଷ୍ଟେସନ ବାହାରେ ଧାରଣା ଦେବାକୁ ପଡ଼ିଥିଲା। ପଲ୍ଲବୀଙ୍କ ମାନସିକ ଅବସ୍ଥା ଠିକ ନଥିଲା। ତାଙ୍କ ମାନସିକ ରୋଗର ଚିକିତ୍ସା ମଧ୍ୟ ଚାଲିଥିଲା। ଏବେ ବି ସେ ମେଡିସିନ ନେଉଛନ୍ତି। ବେଳେବେଳେ ପଲ୍ଲବୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଭୟଙ୍କର ଆଚରଣ ପ୍ରଦର୍ଶନ କରନ୍ତି। ଏହାକୁ ଦିନକୁ ଦିନ ବଢ଼ିବାରୁ ତାଙ୍କର ଚିକିତ୍ସା ଚାଲିଥିଲା।

ଓମ ପ୍ରକାଶ କିଏ?

୧୯୮୧ ବ୍ୟାଚର ଆଇପିଏସ ଅଫିସର ଓମ ପ୍ରକାଶଙ୍କ ଘର ବିହାରର ଚମ୍ପାରନରେ। କର୍ଣ୍ଣାଟକା ପୁଲିସ୍‌ ପାଇଁ ସେ ଢେର କାମ କରିଛନ୍ତି। ଜିଓଲୋଜିରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଓମ ପ୍ରକାଶ କର୍ଣ୍ଣାଟକା ପୁଲିସ୍‌ର ବିଭିନ୍ନ ପଦପଦବୀରେ କାମ କରିଥିଲେ। ୨୦୧୫ ମାର୍ଚ୍ଚ ୧ରୁ ସେ କର୍ଣ୍ଣାଟକାର ପୁଲିସ୍‌ ମହା ନିର୍ଦ୍ଦେଶକ ଭାବେ କାମ କରୁଥିଲା। ଏହି ପଦରେ ସେ ୨୦୧୭ ମାର୍ଚ୍ଚ ମାସ ଯାଏ ରହିଥିଲେ। ବଲ୍ଲାରୀ ଜିଲ୍ଲାର ଅତରିକ୍ତ ଏସ୍‌ପି ଭାବେ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ଏହାପରେ ସେ ଶିବମୋଗା, ଉତ୍ତର କନ୍ନଡ, ଚିକ୍କାମାଗାଲୁରୁ, ଲୋକାୟୁକ୍ତ ଓ ଅଗ୍ନିଶମ ସେବାରେ କାମ କରିଥିଲେ।

ତଦନ୍ତରୁ କ’ଣ ଜଣାପଡ଼ିଛି?

ତଦନ୍ତରୁ ଜଣାପଡ଼ିଛି ଯେ ଓମ ପ୍ରକାଶଙ୍କୁ ପଲ୍ଲବୀ ହତ୍ୟା କରିବା ପରେ ଜଣେ ପୁଲିସ୍‌ ଅଧିକାରୀଙ୍କ ପତ୍ନୀଙ୍କୁ ଫୋନ କରିଥିଲେ। ତାଙ୍କୁ ସେ ସ୍ୱାମୀ ଓମ ପ୍ରକାଶଙ୍କୁ ମାରି ଦେଇଥିବା କହିଥିଲେ। ଏହି ଖବର ଶୁଣିବା ପରେ ପୁଲିସ୍‌ ଅଧିକାରୀଙ୍କ ପତ୍ନୀ ଅନ୍ୟମାନଙ୍କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପଲ୍ଲବୀ ଓ ତାଙ୍କ ଝିଅଙ୍କୁ ନିଜ ହେପାଜତକୁ ନେଇଥିଲା। ଭୟଙ୍କର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପଲ୍ଲବୀ। ସେ ହିଁ ତାଙ୍କ ସ୍ୱାମୀ ଓମ ପ୍ରକାଶଙ୍କୁ ହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି। ଓମ ପ୍ରକାଶଙ୍କ ତଳି ପେଟ, ମୁଣ୍ଡ, ଛାତି ଓ ବେକରେ କ୍ଷତ ଚିହ୍ନ ରହିଛି। ହତ୍ୟାରେ ବ୍ୟବହୃତ ଦୁଇଟି ଛୁରୀ ମଧ୍ୟ ପୁଲିସ୍‌ ଜବତ କରିଛି।

ରିପୋର୍ଟରେ ଦାବି କରାଯାଇଛି ଯେ ଓମ ପ୍ରକାଶ କିଛି ସମ୍ପତ୍ତିକୁ ତାଙ୍କ ସମ୍ପର୍କୀୟଙ୍କ ନାଁରେ କରିଦେବାରୁ ପଲ୍ଲବୀଙ୍କ ସହ ତାଙ୍କର ଝଗଡ଼ା ଆରମ୍ଭ ହୋଇଥିଲା। ଏହି ଝଗଡ଼ା ହାତାହାତିର ରୂପ ନେଇଥିଲା ଓ ପଲ୍ଲବୀ ଏହି ସମୟରେ ଓମ ପ୍ରକାଶଙ୍କୁ ହତ୍ୟା କରିଛନ୍ତି। ହତ୍ୟାରେ ଝିଅ କ୍ରିତିଙ୍କ ଭୂମିକା କ’ଣ ରହିଛି, ତା’ର ଯାଞ୍ଚ ପୁଲିସ୍‌ ଆରମ୍ଭ କରିଛି।

Karnataka Wife Killed Husband