ହନିମୁନ ବେଳେ ଇନ୍ଦୋରର ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ସୋନମ ପ୍ରେମିକ ରାଜ କୁଶୱାଙ୍କ ସହ ମିଶି ମେଘାଳୟରେ ହତ୍ୟା କରିବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏବେ ପୂରା ଦେଶରେ ଏହି ମର୍ଡର ମିଷ୍ଟ୍ରୀ ଟ୍ରେଣ୍ଡ କରୁଛି। ଏସବୁ ଭିତରେ ଅପରେସନ ହନିମୁନ ଜରିଆରେ ମେଘାଳୟ ପୁଲିସ୍ ସୋନମ ଓ ତାଙ୍କର ସହଯୋଗୀମାନଙ୍କୁ କେମିତି ଟ୍ରାକ କରିଥିଲା, ତା’ର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି।
ରାଜା ଓ ସୋନମଙ୍କୁ ଶେଷ ଥର ପାଇଁ ମେ’ ୨୩ରେ ମେଘାଳୟର ନୋଙ୍ଗ୍ରିଟ ଗାଁରେ ଥିବା ଶିପ୍ରା ହୋମଷ୍ଟେରୁ ଚେକ ଆଉଟ କରିବା ବେଳେ ଦେଖିବାକୁ ମିଳିଥିଲା। ଜୁନ ୨ରେ ରାଜାଙ୍କ ମୃତଦେହ ମଳିଥିବା ବେଳେ ସୋନମଙ୍କୁ ଏହାର ସପ୍ତାହକ ପରେ ଉତ୍ତର ପ୍ରଦେଶର ଗାଜିପୁରରୁ ଠାବ କରାଯାଇଛି। କୁହାଯାଉଛି ସେ ସୋନମ ଓ ତାଙ୍କ ପ୍ରେମିକ ରାଜ କୁଶୱା ମିଳିତ ଭାବେ ଆକାଶ, ଆନନ୍ଦ ଓ ବିକାଶଙ୍କୁ ଟଙ୍କା ଦେଇ ରାଜାଙ୍କୁ ହତ୍ୟା କରିଛନ୍ତି।
କେମିତି ଖସିଥିଲେ ସୋନମ?
ମେ’ ୧୧ରେ ରାଜାଙ୍କୁ ବାହା ହେବାର ମାତ୍ର କିଛି ଦିନ ପରେ ସୋନମ ତାଙ୍କୁ ହତ୍ୟା କରିବା ପାଇଁ ପ୍ରେମିକ ରାଜଙ୍କ ସହ ମିଶି ଯୋଜନା କରିଥିଲେ। ବାହାଘରର ୯ ଦିନ ପରେ ସୋନମ ଓ ରାଜା ମେଘାଳୟକୁ ହନିମୁନ ଟ୍ରିପରେ ଯାଇଥିଲେ। ଦିନକ ପରେ ସେମାନେ ମେଘାଳୟର ରାଜଧାନୀ ଶିଲଂରେ ପହଞ୍ଚିଥିଲେ। ମେ’ ୨୧ ତାରିଖରେ ରାଜର ପିଲା ଦିନର ବନ୍ଧୁ ଆକାଶ, ଆନନ୍ଦ ଓ ବିକାଶ ଇନ୍ଦୋରରୁ ରାଜାଙ୍କୁ ହତ୍ୟା କରିବା ପାଇଁ ଗୁହାଟୀ ଆସିଥିଲେ। ସେଠାରୁ ସେମାନେ ଶିଲଂ ଗସ୍ତ କରିଥିଲେ। ହତ୍ୟାକାଣ୍ଡ ମେ’ ୨୩ରେ ହୋଇଥିଲା।
ଅପରାଧ ଘଟିଥିବା ସ୍ଥାନରୁ ୧୦ କିମି ଦୂରରେ ସୋନମକୁ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ରାଜାଙ୍କୁ ହତ୍ୟା କରାଯାଇ ସାରିଥିଲା। ସୋନମ ନିଜେ ହିଁ ୩ ସୁପାରୀ କିଲର୍ଙ୍କୁ ଚିତ୍କାର କରି ରାଜାଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହତ୍ୟାକାଣ୍ଡ ପରେ ସୋନମ ଓ ୩ ହତ୍ୟାକାରୀ ଘଟଣାସ୍ଥଳର ୧୧ କିମି ଦୂରରେ ଏକାଠି ହୋଇଥିଲେ।
ରାଜ ମେଘାଳୟ ଯାଇ ନଥିଲେ। କିନ୍ତୁ ସେ ନିୟମିତ ଭାବେ ସୋନମ ଯୋଗାଯୋଗରେ ଥିଲେ। ସୋନମ ସେଠାରୁ ଗୁହାଟୀ ଯାଇଥିଲେ। ଗୁହାଟୀରୁ ଟ୍ରେନ ଯୋଗେ ଇନ୍ଦୋରରେ ପହଞ୍ଚିଥିଲେ। ମେ’ ୨୫ରେ ସେ ଇନ୍ଦୋରରେ ପହଞ୍ଚି ରାଜଙ୍କୁ ଦେଖା ହୋଇଥିଲେ। ରାଜ ତାଙ୍କ ପାଇଁ ଭଡ଼ାରେ ରହିବାକୁ ଗୋଟିଏ ରୁମ ବ୍ୟବସ୍ଥା କରିଥିଲେ। କିନ୍ତୁ ଦୁଇ ଜଣ ଏକାଠି ରହି ନଥିଲେ। ରାଜ ନିକଟସ୍ଥ ହୋଟେଲରେ ରହିଥିଲେ।
ପରବର୍ତ୍ତୀ ଅବସ୍ଥାରେ ରାଜ ଓ ତାଙ୍କର ସହଯୋଗୀମାନେ ସୋନମଙ୍କ ପାଇଁ ଗୋଟିଏ କାରର ବ୍ୟବସ୍ଥା କରିଥିଲେ। ଉକ୍ତ କାରରେ ସେ ଉତ୍ତର ପ୍ରଦେଶ ଯାଇଥିଲେ। ଜୁନ ୮ ବିଳମ୍ବିତ ରାତିରେ ସୋନମ ବେଶ ଯୋଜନାବଦ୍ଧ ଭାବେ ନିଜେ ପୀଡ଼ିତା ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ଗାଜିପୁର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଦେହରେ ଜ୍ୱର ମଧ୍ୟ ରହିଥିଲା।
ପୁଲିସ୍ ନିକଟରେ ସୋନମ ନିଜକୁ ପୀଡ଼ିତା ଭାବେ ଚିତ୍ରିତ କରିଥିଲେ। ତାଙ୍କୁ ନିଶା ଦିଆଯାଇ ଏଠାକୁ ଅଣାଯାଇଥିବା ସେ ଦାବି କରିଥିଲେ। ସୋନମ ଏକଥା ନିଜ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ସୋମବାର ଭୋର ପ୍ରାୟ ୩ଟା ବେଳେ ସୋନମ ନିଜ ପରିବାର ଲୋକଙ୍କୁ ଫୋନ କରି ସେ ଗାଜିପୁର-ବାରାଣସୀ ରୋଡରେ ଥିବା ଗୋଟିଏ ଢାବାରେ ରହିଥିବା ଜଣାଇଥିଲେ।
ତାଙ୍କ ପରିବାର ତୁରନ୍ତ ଏସମ୍ପର୍କରେ ମଧ୍ୟପ୍ରଦେଶ ପୁଲିସ୍କୁ ଅବଗତ କରାଇଥିଲେ। ମଧ୍ୟପ୍ରଦେଶ ପୁଲିସ୍ ଉତ୍ତର ପ୍ରଦେଶ ପୁଲିସ ଓ ଉତ୍ତର ପ୍ରଦେଶ ପୁଲିସ୍ ସ୍ଥାନୀୟ ପୁଲିସ୍କୁ ଜଣାଇବାରୁ ସୋନମ ଗିରଫ ହୋଇଥିଲେ। ସେ ନିଜକୁ ପୀଡ଼ିତା ଭାବେ ସଜାଇ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବିଫଳ ହୋଇଛନ୍ତି।
ଅପରେସନ ହନିମୁନ
ମେଘାଳୟ ପୁଲିସ୍ ଅପରେସନ ହନିମୁନ ଆରମ୍ଭ କରିଥିଲା ଓ ଘଟଣାର ତଦନ୍ତ କରିବାକୁ ୧୨୦ ଜଣ କର୍ମଚାରୀଙ୍କୁ ନେଇ ୨୦ଟି ଟିମ ଗଠନ କରିଥିଲା। ସନ୍ଦିଗ୍ଧ ଠିକଣାରେ ଜୁନ ୭ରେ ରେଡ କରାଯାଇଥିଲା ଓ ସୋନମଙ୍କ ସହ ଦେଖାଯାଇଥିବା ୩ ଜଣ ସନ୍ଦିଗ୍ଧ ବିଷୟରେ ତଥ୍ୟ ହାସଲ କରିଥିଲା। ଅଭିଯୁକ୍ତମାନଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରାଯାଇଥିଲା। ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଥିଲା ଯେ ସୋନମ ଓ ରାଜା ଗୁହାଟୀ ହୋଟେଲରେ ରହିବା ସମୟରେ ସାମ୍ନା ଦୋକାନରୁ ଗୋଟିଏ ଧାରୁଆ ଛୁରୀ କିଣିଥିଲେ। ସମ୍ଭବତଃ ସେହି ଛୁରୀରେ ରାଜାଙ୍କୁ ହତ୍ୟା କରାଯାଇଛି। କାରଣ ତାଙ୍କ ମୃତଦେହ ନିକଟରୁ ମିଳିଥିବା ଛୁରୀ ଅବିକଳ ଗୁହାଟୀରୁ କିଣା ଯାଇଥିବା ଛୁରୀ ସହ ମେଳ ଖାଉଛି।
ସୋନମ ଓ ରାଜା ହନିମୁନ ପାଇଁ ମେଘାଳୟ ଆସିଥିଲେ ହେଁ ସେମାନେ ଏକାଠି ଗୋଟିଏ ହେଲେ ଫଟୋ ଉଠାଇ ନଥିଲେ। ସେହିପରି ସୋଶାଲ ମିଡିଆରେ ମଧ୍ୟ ଗୋଟିଏ ବି ଫଟୋ ଶେୟାର କରି ନଥିଲେ। ଏହାକୁ ଦେଖି ସୋନମ ଓ ରାଜାଙ୍କ ସମ୍ପର୍କକୁ ନେଇ ପୁଲିସ୍ ସନ୍ଦେହ କରିଥିଲା।
ହତ୍ୟାକାଣ୍ଡ ପରେ ମଧ୍ୟ ସୋନମ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ମେ’ ୨୩ ତାରିଖ ରାତି ୨.୧୫ରେ ସେ ରାଜାଙ୍କ ସୋଶାଲ ମିଡିଆ ଆକାଉଣ୍ଟରୁ ସେମାନଙ୍କ ସମ୍ପର୍କ ୭ ଜନ୍ମର ବୋଲି କହି ଗୋଟିଏ ପୋଷ୍ଟ କରିଥିଲେ। ରାଜାଙ୍କ ମୃତଦେହ ମିଳିବା ମାତ୍ରେ ସୋନମ ପୁଲିସ୍ର ସନ୍ଦେହ ଘେରରେ ଥିଲେ। କିନ୍ତୁ ସୋଶାଲ ମିଡିଆର ପୋଷ୍ଟ ଦେଖିବା ପରେ ପୁଲିସ୍ ରାଜାଙ୍କ ହତ୍ୟା ପଛରେ ସୋନମଙ୍କ ହାତ ଥିବା ନିଶ୍ଚିତ ହୋଇଥିଲା।
ପୁଲିସ୍ ଆକାଶଙ୍କ ରକ୍ତ ଭିଜା ଶାର୍ଟକୁ ରାଜାଙ୍କ ମୃତଦେହ ନିକଟରୁ ଠାବ କରିଥିଲା। ଆକାଶଙ୍କ ଶାର୍ଟ ରକ୍ତରେ ଭିଜି ଯାଇଥିବାରୁ ସୋନମ ନିଜର ରେନି କୋଟ୍ ତାଙ୍କୁ ଦେଇଥିଲେ। ଘଟଣା ସ୍ଥଳରୁ ୬ କିମି ଦୂରରେ ଉକ୍ତ ରେନି କୋଟକୁ ପୁଲିସ୍ ଠାବ କରିଥିଲା। ପୁଲିସ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ସେମାନଙ୍କର ଗୋଟିଏ ପ୍ଲାନ ଥିଲା ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।