Advertisment

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ, ଆସିଥିଲା ସାଂଘାତିକ ଅଭିଯୋଗ

ହୃଷିକେଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ଅବଗତ ହେବା ପରେ ବରଗଡ଼ ସିଡିଏମ୍‌ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

author-image
Jitendra Garnayak
Hrushikesh Bhoi

Hrushikesh Bhoi

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହୃଷିକେଶ ଭୋଇଙ୍କୁ ସରକାରୀ ଚାକିରିରୁ ନିଲମ୍ବନ କରାଯାଇଛି। ଆଜି ବରଗଡ଼ ସିଡିଏମ୍‌ଓ ନିରୂପମା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। 

Advertisment

ହୃଷିକେଶ ଭୋଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। କିଛି ଦିନ ତଳେ ସେ ଏକ ମୃତଦେହ ନେଇ ଗାଇସିଲାଟ ବ୍ଲକର ଏକ ଗାଁକୁ ଯାଇଥିଲେ। ସେଠାରେ ମୃତଦେହ ପହଞ୍ଚାଇବା ପରେ ସେ ମୃତକଙ୍କ ପରିବାର ଲୋକଙ୍କୁ ୩୦୦୦ ଟଙ୍କା ମାଗିଥିଲେ। ମୃତକଙ୍କ ପରିବାର ଲୋକେ ହୃଷିକେଶଙ୍କୁ ୩୦୦୦ ଟଙ୍କା ଦେଇଥିଲେ ଓ ପରେ ଘଟଣା ସଂପର୍କରେ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। 

ହୃଷିକେଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ଅବଗତ ହେବା ପରେ ବରଗଡ଼ ସିଡିଏମ୍‌ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ହୃଷିକେଶଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇବା ସହିତ ଘଟଣାର ତଦନ୍ତ କରିବା ପାଇଁ ଏକ ଟିମ୍ ଗଠନ କରିବାକୁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିଲେ ସିଡିଏମ୍‌ଓ। 

Advertisment

ତଦନ୍ତ ବେଳେ ହୃଷିକେଶ ଭୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ନେଇ ହୃଷିକେଶ ଭୋଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

ରିପୋର୍ଟ- ବରଗଡ଼ରୁ ଧର୍ମଦତ୍ତ 

Dhanu Yatra Bargarh Dhanu Yatra