Advertisment

ଭାଉଜକୁ ମାଡ଼ିବସି ବିଷ ପିଆଇଲା ଦିଅର; ବଡ଼ଭାଇ ବିରୋଧ କରିବାରୁ ବେକ କାଟିଦେଲା

ବିଲରେ ଚାଷ କାମ କରୁଥିବା ବେଳେ ସାନ ଭାଇ ଭୋବିନି ପାତ୍ର, ତାଙ୍କ ସ୍ତ୍ରୀ ଓ ପୁଅ ପପୁନ ସେଠାରେ ପହଞ୍ଚିଥିଲେ। ଅଭିଯୋଗ ଅନୁସାରେ ଭୋବିନି ପ୍ରଥମେ ତାଙ୍କ ଭାଉଜଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ସେ ତଳେ ପଡ଼ି ଯାଇଥିଲେ।

author-image
Manoranjan Sial
Crime

Crime

ଏଠି ରକ୍ତର ସମ୍ପର୍କ ମୂଲ୍ୟହୀନ! ସମ୍ପତ୍ତି ସବୁକିଛି। ସେଥିପାଇଁ ତ ଗଡ଼ିଲା ମୁଣ୍ଡ। ଭାଇ କାଟିଲା ଭାଇର ମୁଣ୍ଡ। ଆଉ ଭାଉଜକୁ ପିଆଇଲା ବିଷ। କେଇହାତ ଜମି ପାଇଁ ଏହି ରକ୍ତାକ୍ତ ସଂଘର୍ଷ ଘଟିଛି। ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଆଜି ଏମିତି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ସମେଇଗୁଡ଼ା ଗାଁର ରାଜୁ ପାତ୍ରର ୪ ଭାଇ। ଦୀର୍ଘ ଦିନ ଧରି ଜମି ଭାଗବଣ୍ଟାକୁ ନେଇ ଭାଇମାନଙ୍କ ଭିତରେ ତୀକ୍ତତା ଲାଗି ରହିଥିଲା। ବଡ଼ଭାଇ ରାଜୁଙ୍କୁ ଚାଷ କରିବାକୁ ଦେଉନଥିଲେ ସାନ ଭାଇ ଭୋବିନି ପାତ୍ର। ଯେଉଁଥିପାଇଁ ଅନେକ ସମୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେଉଥିଲା। ଆଜି ସକାଳେ ରାଜୁ ଓ ତାଙ୍କ ପତ୍ନୀ ବିଲକୁ କାମ କରିବାକୁ ଯାଇଥିଲେ।

ବିଲରେ ଚାଷ କାମ କରୁଥିବା ବେଳେ ସାନ ଭାଇ ଭୋବିନି ପାତ୍ର, ତାଙ୍କ ସ୍ତ୍ରୀ ଓ ପୁଅ ପପୁନ ସେଠାରେ ପହଞ୍ଚିଥିଲେ। ଅଭିଯୋଗ ଅନୁସାରେ ଭୋବିନି ପ୍ରଥମେ ତାଙ୍କ ଭାଉଜଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ସେ ତଳେ ପଡ଼ି ଯାଇଥିଲେ। ତା’ପରେ ତାଙ୍କ ପାଟିରେ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଥିଲା। ନିଜ ପତ୍ନୀଙ୍କୁ ଆକ୍ରମଣ ହେଉଥିବା ଦେଖି ଅଳ୍ପ ଦୂରରେ କାମ କରୁଥିବା ରାଜୁ ସେଠାକୁ ଧାଇଁ ଆସିଥିଲେ। ହେଲେ ୩ ଜଣ ମିଶି ତାଙ୍କ ବେକ କାଟି ଦେଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଖବର ପାଇ ସାହି ପଡ଼ିଶା ଓ ପରିବାର ଲୋକ ବିଲରେ ପହଞ୍ଚିଥିଲେ। ଗୁରୁତର ଆହତ ହୋଇଥିବା ରାଜୁଙ୍କ ପତ୍ନୀଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଆକ୍ରମଣ ପରେ ଭୋବିନି ପାତ୍ର, ପତ୍ନୀ ଓ ପୁଅ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି। ଜମି ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ରିପୋର୍ଟ- ଆସିକାରୁ ମନୋଜ ମୁନୀ

Ganjam Murder Crime