Advertisment

୮୦ ଲକ୍ଷ ଟଙ୍କାର କାର୍‌ ପାଇଁ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ, ସ୍ୱାମୀ ଅଟକ

୮୦ ଲକ୍ଷ ଟଙ୍କାର କାର୍‌ କିଣିବାକୁ ମନ ବଳାଇଲେ ଜ୍ୱାଇଁ। ଏଥିପାଇଁ ଶ୍ୱଶୁରଙ୍କଠାରୁ ଟଙ୍କା ଆଣିବାକୁ ପତ୍ନୀଙ୍କ ଉପରେ ପକାଉଥିଲେ ଚାପ । ମାତ୍ର ଟଙ୍କା ନ ମିଳିବାରୁ ପାଲଟିଗଲେ ରାକ୍ଷାସ । ଆଉ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ।

author-image
Niharika Rout
ଅଦ୍ୟତନ ହୋଇଛି
Murder

Murder

୮୦ ଲକ୍ଷ ଟଙ୍କାର କାର୍‌ କିଣିବାକୁ ମନ ବଳାଇଲେ ଜ୍ୱାଇଁ। ଏଥିପାଇଁ ଶ୍ୱଶୁରଙ୍କଠାରୁ ଟଙ୍କା ଆଣିବାକୁ ପତ୍ନୀଙ୍କ ଉପରେ ପକାଉଥିଲେ ଚାପ । ମାତ୍ର ଟଙ୍କା ନ ମିଳିବାରୁ ପାଲଟିଗଲେ ରାକ୍ଷାସ । ଆଉ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ। ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନରେ ଏକ କପଡ଼ା ଝୁଲାଇଥିବା ବେଳେ ମୃତଦେହ ତଳେ ପଡ଼ିଥିଲା । ନୃଶଂସ ପିତାଙ୍କ ଏପରି ନାରକୀୟ କାଣ୍ଡ ୪ ବର୍ଷର ପୁଅ ଦେଖି ଦେଇଛି। ବାପା ସମେତ ପରିବାରର ଅନ୍ୟମାନେ ମା’କୁ ପିଟି ପିଟି ମାରି ଦେଇଥିବା କୁନି ପିଲାଟି ବଖାଣିଛି। 

Advertisment

ଏପରି ଏକ ଲୋମଟାଙ୍କୁରା ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଘଟିଛି। ପୁଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ମୃତ ଶିକ୍ଷୟିତ୍ରୀଜଣକ ହେଉଛନ୍ତି ପଦ୍ମିନୀ ପ୍ରଧାନ l ।

ପଦ୍ମିନୀ ୯ ବର୍ଷ ପୂର୍ବେ ଚମ୍ପତିପୁର ଗାଁର ତପନ ସ୍ୱାଇଁଙ୍କୁ ବିବାହ କରିଥିଲେ। ସେ ଓଡଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ୱାମୀ ଇଟାମାଟି କଲେଜରେ କ୍ଲର୍କ ଥିଲେ। ଉଭୟଙ୍କ ବୈବାହିକ ଜୀବନ ବେଶ୍‌ ଭଲ ଭାବେ କଟୁଥିବା ବେଳେ ୪ ବର୍ଷର ଏକ ପୁଅ ଥିଲା ।

Advertisment

କିନ୍ତୁ କିଛି ଦିନ ହେବ ବାପ ଘରୁ ୮୦ ଲକ୍ଷ ଟଙ୍କା ଆଣିବା ପାଇଁ ତପନ ଓ ତାଙ୍କ ପରିବାର ଲୋକେ ପଦ୍ମିନୀଙ୍କ ଉପରେ ଚାପ ପକାଉଥିଲେ। ଏପରିକି ଜମିବାଡ଼ି କିଣିବାକୁ ଟଙ୍କା ଦେବାକୁ ସେମାନେ ପଦ୍ମିନୀଙ୍କୁ ବାଧ୍ୟ କରୁଥିଲେ। ମାତ୍ର ପଦ୍ମିନୀ ମନା କରିବାରୁ ସେମାନେ ତାଙ୍କୁ ମାରଧର କରୁଥିଲେ।

ଗତକାଲି ବିଳମ୍ବିତ ରାତିରେ ଏହି କଥାକୁ ନେଇ ତପନଙ୍କ ପରିବାର ଲୋକେ ପଦ୍ମିନୀଙ୍କୁ ପ୍ରବଳ ପିଟିଥିଲେ। ମିଳିତ ଆକ୍ରମଣ ଯୋଗୁ ପଦ୍ମିନୀଙ୍କ ମୁଣ୍ଡ ଫାଟିଯିବାରୁ ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲ। ଏଥିରେ ତପନ ତାଙ୍କ ଭାଇ ଓ ପରିବାରର ଅନ୍ୟ ସଦସ୍ୟ ବି ସାମିଲ ଥିବା ଜଣାଯାଇଛି।

ଏହାପରେ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ  ଫ୍ୟାନ୍‌ରେ ଏକ ରଶି ଲଗାଇ ଦେଇଥିବା ବେଳେ ମୃତଦେହ ତଳେ ଚଟାଣରେ ପଡ଼ିଥିଲା।  ପଦ୍ମିନୀଙ୍କ ମୁଣ୍ଡ ପଛ ପଟୁ ଫାଟି ଯାଇଥିବା ପରିବାର ଲୋକେ ଦେଖିଥିଲେ। ତେଣୁ ଝିଅକୁ ପିଟି ପିଟି ଶାଶୁ ଘର ଲୋକେ ମାରି ଦେଇଥିବା ସେମାନେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ୍‌ ତପନଙ୍କୁ ଅଟକ ରଖି ଥାନାକୁ ନେଇଥିବା ବେଳେ ପରିବାରର ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି ।

ତେବେ ଏହି ଘଟଣାର ମୁଖ୍ୟ ସାକ୍ଷୀ ହେଉଛନ୍ତି ପଦ୍ମିନୀଙ୍କ ୪ ବର୍ଷର ପୁଅ। ନିଜ ମା’ଙ୍କ ମୃତ୍ୟୁକୁ ନିଷ୍ପାପ ଶିଶୁଟି ଦେଖିଥିବା ବେଳେ ଏବେ ସମସ୍ତଙ୍କ ଆଗରେ ଏହି ଛାତି ଥରା କାହାଣୀ ବଖାଣୁଛି।

Murder Nayagarh Arrest Dowery Death