ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ୱାମୀ; ଲାଇନରେ ଥିଲେ ଆହୁରି ୪୯

ବାହା ହୋଇ ସ୍ତ୍ରୀମାନଙ୍କଠାରୁ ଟଙ୍କା ନେଇ ଅୟସ କରୁଥିଲେ। ସେମାନେ ଟଙ୍କା ମାଗିଲେ ବିଦେଶ ପଳାଇ ଯାଉଥିଲେ।

ଗିରଫ ଅଭିଯୁକ୍ତ

  • Published: Saturday, 03 August 2024
  • , Updated: 03 August 2024, 02:35 PM IST

ମିଛ କହି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ନେଇ ତଥା ସେମାନଙ୍କ ନାଁରେ ଲୋନ୍ ଉଠାଇ ବ୍ୟବସାୟ ସହିତ ମଉଜ କରୁଥିବା ଜଣେ ଠକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ତାଙ୍କ ନାଁ ସତ୍ୟଜିତ ମାନଗୋବିନ୍ଦ ସାମଲ (୩୪)। ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ। ଏବେ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରହୁଥିଲେ।

ଅଭିଯୁକ୍ତଙ୍କଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ଏକ ଧଳା ରଙ୍ଗର ବୋଲେନୋ କାର, ଏକ ବୁଲେଟ୍, ଏକ ଛୋଟ ବନ୍ଧୁକ, ଗୁଳି, ତିନିଟି ମୋବାଇଲ ଫୋନ୍ ଓ ୨ଟି ବିବାହ ଏଗ୍ରିମେଣ୍ଟ ପେପର ଜବତ କରାଯାଇଛି। ଏହା ସହିତ ତାଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ବିଭିନ୍ନ ଟ୍ରାଭେଲ୍ସରେ ଲାଗିଥିବା ତାଙ୍କର ଆହୁରି ୩ଟି କାରକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ମଧ୍ୟ ଜବତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଅଭିଯୁକ୍ତଙ୍କ ନାଁରେ କ୍ୟାପିଟାଲ ଥାନାରେ ଦୁଇ ଜଣ ମହିଳା ଏତଲା ଦେଇଥିଲେ। ଜୀବନସାଥୀ ମାଟ୍ରିମୋନିଆଲ ସାଇଟ୍ ଜରିଆରେ ଅଭିଯୁକ୍ତଙ୍କ ସହିତ ସେମାନଙ୍କର ପରିଚୟ ହୋଇଥିଲା। ସେମାନଙ୍କ ସହିତ ଚାଟିଂ କରିବା ପରେ ସେ ସେମାନଙ୍କୁ ବାହା ହେବାକୁ ରାଜି ହୋଇଥିଲେ। ଏହା ପରେ ଅଭିଯୁକ୍ତ ସେମାନଙ୍କ ସହିତ ସଂପର୍କ ରଖିଥିଲେ ଓ ସେମାନଙ୍କଠାରୁ ପଇସାପତ୍ର ସହିତ ଗାଡ଼ି ନେଇଥିଲେ। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଅଭିଯୁକ୍ତ ଜଣଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ନେଇଥିବା ବେଳେ ଅନ୍ୟ ଜଣଙ୍କଠାରୁ ୮ ଲକ୍ଷ ଟଙ୍କା ଓ ଏକ ବୁଲେଟ ନେଇଛନ୍ତି। ଏହି ଦୁଇ ମହିଳାଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାଟ୍ରିମୋନିଆଲ ସାଇଟ୍‌ରେ ଯାଞ୍ଚ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଟ ୪୯ ଜଣ ମହିଳାଙ୍କ ସହ ଚାଟିଂ ବା ବିଭିନ୍ନ ସ୍ତରରେ ସଂପର୍କରେ ଅଛନ୍ତି। ଦୁଇ ଜଣ ଆନୁଷ୍ଠାନିକ ଭାବେ ଏତଲା ଦେଇଥିବା ବେଳେ ଆମେ ଫୋନ୍ କରି ଆଉ ଦୁଇ ଜଣ ମହିଳାଙ୍କୁ ପଚାରିବାରେ ଅଭିଯୁକ୍ତ ସେମାନଙ୍କ ସହିତ ଏଗ୍ରିମେଣ୍ଟ କରି ବାହା ହୋଇଥିବା ଜଣାପଡ଼ିଛି। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କୋଲାକାତାର ଓ ଅନ୍ୟ ଜଣେ ଦିଲ୍ଲୀର।

ପୁଲିସ କମିଶନର ଶ୍ରୀ ପଣ୍ଡା କହିଛନ୍ତି ଯେ ଅଭିଯୁକ୍ତ ବିଶେଷ କରି ଛାଡ଼ପତ୍ର ପାଇଥିବା ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ମାଟ୍ରିମୋନିଆଲ ସାଇଟ୍ ଜାରଆରେ ସେମାନଙ୍କୁ ଜାଣିବା ପରେ ସେମାନଙ୍କ ସହିତ ଚାଟିଂ କରୁଥିଲେ ଓ ବିବାହ କରିବାକୁ ପ୍ରତିଶ୍ରୁତି ଦେଉଥିଲେ। ଏନେଇ ଏଗ୍ରିମେଣ୍ଟ ମଧ୍ୟ କରୁଥିଲେ। ଏଗ୍ରିମେଣ୍ଟ କଲା ପରେ ଅଭିଯୁକ୍ତ ସେମାନଙ୍କଠାରୁ ପଇସା ଓ ଗାଡ଼ି ନେଉଥିଲେ। ଗାଡ଼ିଗୁଡ଼ିକୁ ଟ୍ରାଭେଲ୍‌ ଏଜେନ୍ସୀ ଜରିଆରେ ଭଡ଼ାରେ ଲଗାଉଥିଲେ। ଯେତେବେଳେ ପୀଡ଼ିତାମାନେ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହୁଥିଲେ, ସେତେବେଳେ ସେ ଦୁବାଇ ପଳାଉଥିଲେ। ସେଠାରେ ବୁଲାବୁଲି କରି ଫେରି ଆସୁଥିଲେ। ଯେଉଁ ଦୁଇ ଜଣ ମହିଳା ଅଭିଯୋଗ କରିଛନ୍ତି, ସେମାନେ କହିଛନ୍ତି ଯେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦେଇଥିଲେ। ଯେହେତୁ ଅଭିଯୁକ୍ତ ୪୯ ଜଣ ମହିଳାଙ୍କ ସହିତ ସଂପର୍କରେ ଥିଲେ, ତେଣୁ ଅନ୍ୟ ପୀଡ଼ିତାମାନଙ୍କୁ ସହିତ ଆମେ ଯୋଗାଯୋଗ କରିଛୁ। ତାଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ମହିଳାଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଏହି ୪୯ ଜଣଙ୍କ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରର ମହିଳା ଅଛନ୍ତି। ଏ ନେଇ ଆହୁରି ତଦନ୍ତ ହେବ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ।

ସତ୍ୟଜିତଙ୍କ କଳାକାରନାମା ନେଇ ଅଭିଯୋଗ ପାଇବା ପରେ କମିଶନରେଟ ପୁଲିସ ତାଙ୍କୁ ଧରିବା ପାଇଁ ଫାସ ପକାଇଥିଲା। କାରଣ ସେ ଏମିତି ଠକେଇ କରିବା ପରେ ଦୁବାଇ ପଳାଉଥିଲେ। ସେ ସେଠାରେ ଷ୍ଟାର ବକ୍ସରେ ଚାକିରି ମଧ୍ୟ କରୁଥିଲେ। ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଜଣେ ମହିଳା ତାଙ୍କ ସହିତ ଚାଟିଂ କରି ତାଙ୍କୁ ଡକାଇଥିଲେ। ତା’ପରେ ତାଙ୍କୁ ଧରାଯାଇଥିଲା। ମାଟ୍ରିମୋନିଆଲ ସାଇଟ୍‌ରେ ସତ୍ୟଜିତ ନିଜକୁ ଆଇବି ଇନ୍ସପେକ୍ଟର ଭାବେ ପରିଚୟ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ନିଜକୁ ଜଣେ ପୁଲିସ୍ କର୍ମଚାରୀ ବୋଲି କହୁଥିଲେ।

ସୂଚନାଯୋଗ୍ୟ, ସତ୍ୟଜିତ ବିବାହିତ ହୋଇଥିବା ବେଳେ ମିଛ କହି ଆହୁରି ୪ ଜଣଙ୍କୁ ବିବାହ କରିଛନ୍ତି। ଉକ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣ ଥାନାରେ ଅଭିଯୋଗ କରିଥିବା ବେଳେ ଆଉ ୨ ଜଣଙ୍କ ସଂପର୍କରେ ପୁଲିସ୍ ମାଟ୍ରିମୋନିଆଲ୍ ସାଇଟ୍ ଓ ତାଙ୍କ ମୋବାଇଲ ଫୋନ୍ ଯାଞ୍ଚ ବେଳେ ସୂଚନା ପାଇଥିଲା।

Related story