Advertisment

ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବଢ଼ୁଛି ବିଷ୍ଣୁପଦଙ୍କ ଅଡ଼ୁଆ

ରାଜ୍ୟ ଉଦ୍ୟୋଗକୁ ନଦେଇ କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ ହାଇସ୍କୁଲ କାମ ବାଣ୍ଟିଥିଲେ ବିଷ୍ଣୁପଦ। କେବଳ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗକୁ ବି ସ୍କୁଲ ଅପଗ୍ରେଡେସନ କାମ ଦେଇଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ।

author-image
Debadatta Aryashrestha
IAS Bishnupada Sethi

IAS Bishnupada Sethi (File Photo)

ବ୍ରିଜ ଆଣ୍ଡ ରୁଫ୍ କଂପାନୀ ସହ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍ ସାମ୍ନାକୁ ଆସିବା ପରେ ଖୋଲିଛି ଆଉ କିଛି ଗୁମର। ବିଷ୍ଣୁପଦ ଏବେ ଏସଟି-ଏସସି ବିଭାଗର ପ୍ରମୁଖ ସଚିବ ଥିବାବେଳେ ବିଭାଗ ଅଧିନରେ ଥିବା ହାଇସ୍କୁଲ କାମଗୁଡ଼ିକୁ କାହିଁକି ରାଜ୍ୟ ଉଦ୍ୟୋଗକୁ ଦିଆନଯାଇ କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ ଦିଆଗଲା, ତାକୁ ନେଇ ଛିଡା ହେଲାଣି ପ୍ରଶ୍ନ। ଏମିତି କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ବି କିଛି ହାଇସ୍କୁଲ ଅପଗ୍ରେଡେସନ କାମକୁ ବିଜୁଳି କ୍ଷେତ୍ରରେ କାମ କରୁଥିବା ରାଷ୍ଟ୍ରୀୟ ଉଦ୍ୟୋଗକୁ ଦିଆଯାଇଛି।

Advertisment

ସନ୍ଦେହରେ ଆଇଏଏସ୍ ବିଷ୍ଣୁପଦ ସେଠୀ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ। ଏସଟି-ଏସସି ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍? ରାଜ୍ୟ ସରକାରଙ୍କ ସଂସ୍ଥାକୁ ବାଦ୍ ଦେଇ କାହିଁକି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ ଦେଲେ ସ୍କୁଲ କାମ? ଏମିତି କି ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗକୁ ବି ସ୍କୁଲ କାମ ଦେଇଛନ୍ତି ବିଷ୍ଣୁପଦ। ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀ ସହ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍ ସାମ୍ନାକୁ ଆସିବା ପରେ ଉଠିଛି ଏଭଳି ପ୍ରଶ୍ନ।

ନୟାଗଡ଼ ଏବଂ ବୌଦ୍ଧର ହାଇସ୍କୁଲ ଓ ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ପାଇଁ ବ୍ରିଜ ଆଣ୍ଡ ରୁଫ୍ କଂପାନୀକୁ ଚିଠି ଲେଖିଥିଲେ ବିଷ୍ଣୁପଦ। ତେବେ ଓଟିଭି ହାତରେ ଲାଗିଛି ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। ସମାନ ଅକ୍ଟୋବର ୧୯ ତାରିଖରେ କଳାହାଣ୍ଡି ଏବଂ ବାଲେଶ୍ୱରର ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ଦେବାକୁ କେନ୍ଦ୍ରୀୟ ଉଦ୍ୟୋଗ NBCCକୁ ଚିଠି ଲେଖିଛନ୍ତି ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। ଖାଲି NBCC ନୁହେଁ, ଏମିତିକି ଜଳଶକ୍ତି ବିଭାଗ ଅଧୀନରେ ଥିବା ଉଦ୍ୟୋଗ WAPCOS ଲିମିଟେଡକୁ ବି ଅନୁଗୁଳ, ଗଞ୍ଜାମ, ରାୟଗଡ଼ାର ହାଇସ୍କୁଲ ଏବଂ ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ଦେବାକୁ ସେ ଚିଠି ଲେଖିଛନ୍ତି।

Advertisment

ଏପେଟ ଓଡ଼ିଶା ଠିକାଦାର ମହାସଂଘ ସାଂଘାତିକ ଅଭିଯୋଗ ଆଣି କହିଛି ଯେ ଓଡ଼ିଆ ଠିକାଦରଙ୍କୁ କାମ ନଦେବାକୁ କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ କାମ ଦେଇଛନ୍ତି। ସେମାନଙ୍କ ଜରିଆରେ ବ୍ୟାପକ ଟଙ୍କା କାରବାର ହେଉଥିବା ମଧ୍ୟ ମହାସଂଘ ଅଭିଯୋଗ କରିଛି।

ଆଉ ଆଖି ତରାଟି ଦେଲା ଭଳି ତଥ୍ୟ ହେଉଛି, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଅପଗ୍ରେଡେସନ କାମ ବି କେନ୍ଦ୍ରୀୟ ଉଦ୍ୟୋଗକୁ ଦିଆଯାଇଛି। ସେଣ୍ଟ୍ରାଲ ଇଲେକ୍ଟ୍ରୋନିକସ୍ ଲିମିଟେଡ୍ ଯାହାକି କେବଳ ବିଦ୍ୟୁତ କ୍ଷେତ୍ରରେ କାମ କରେ। କିନ୍ତୁ ଏହି କଂପାନୀକୁ ବି କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲ କାମ ବାଣ୍ଟିଛନ୍ତି ବିଷ୍ଣୁପଦ। ଯାହାକୁ ନେଇ ଗତ ୬ ତାରିଖରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ। ବ୍ଲାକ ଲିଷ୍ଟେଡ୍ ସଂସ୍ଥା WAPCOSକୁ କିଭଳି କାମ ଦିଆଗଲା ବୋଲି ଅଭିଯୋଗ କରିଥିଲା କଂଗ୍ରେସ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ମନ୍ତ୍ରୀ କହିଛନ୍ତି ଯେ ତଦନ୍ତ ଚାଲିଛି, ସତ୍ୟାସତ୍ୟ ସାମ୍ନାକୁ ଆସିବ। କାହାକୁ କାମ ଦିଆଯିବ ସରକାର ବିଚାର କରୁଛନ୍ତି।

ଏସବୁ ଭିତରେ ବଡ଼ ପ୍ରଶ୍ନ, କାହିଁକି ସ୍କୁଲ କାମଗୁଡିକ କେନ୍ଦ୍ରୀୟ ଉଦ୍ୟୋଗ ଗୁଡିକୁ ବଣ୍ଟାଗଲା? ଯଦି ବିଭାଗ ନିଜେ କରିନପାରିଲା, OBCC ମାଧ୍ୟମରେ ବି କରିପାରିଥାନ୍ତେ ସରକାର। କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ କାମ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ ନା ନିଜେ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏହି ନିଷ୍ପତ୍ତି ନେଇଗଲେ? ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏସବୁ ହୋଇଥିଲା ତ? ଏ ବାବଦରେ ବିଷ୍ଣୁପଦ ସେଠୀଙ୍କ ପ୍ରତିକ୍ରିୟା ପାଇଁ ଯୋଗଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।

ସେପଟେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଘନ ଘନ ଜେରା କରୁଛି ସିବିଆଇ। ରିମାଣ୍ଡରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ ଗ୍ରୁପ୍ ଓଡ଼ିଶା ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କଠାରୁ ଅଧିକ ତଥ୍ୟ ଉଗାରିବାରେ ଲାଗିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ସେପଟେ ପୁଣିଥରେ ଆଜି ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଉପରେ ବି ହୋଇଛି ରେଡ୍। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ପାଇଁ ଚଢ଼ାଉ କରାଯାଇଛି। ଚଞ୍ଚଲ ମୁଖାର୍ଜୀଙ୍କ ସହ ମିଡିଲ ମ୍ୟାନ୍ ତଥା ‘ଆଦିତ୍ୟଦେବ ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଏବଂ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ୍ କନଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ସହ କେମିତି ପରିଚୟ ହେଲା, ତାର ଖୋଳତାଡ଼ କରୁଛି ସିବିଆଇ। ତେଣେ ସିସିଟିଭି ଫୁଟେଜ୍ ଆଧାରରେ ଏକ ତାରକା ହୋଟେଲର ଜେନେରାଲ ମ୍ୟାନେଜରଙ୍କୁ ବି ଡାକି ସିବିଆଇ ପଚରାଉଚରା କରୁଛି। ଘଟଣାଦିନ କେଉଁମାନେ ତାରକା ହୋଟେଲ ବାହାରେ ଏକାଠି ହୋଇଥିଲେ ତାହା ଜାଣିବାକୁ ଚେଷ୍ଟା କରୁଛି ସିବିଆଇ।

CBI Bridge And Roof Company IAS Bishnupada Sethi High School Upgradation