/odisha-reporter/media/post_attachments/uploadimage/library/16_9/16_9_0/BBSR_1703678538.jpg)
BBSR
ଭିଜାଲାନ୍ସ ରେଡ୍ର ଦିନକ ପରେ ଗିରଫ ହୋଇଛନ୍ତି ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି। ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଡକୋ ସିଜିଏମ ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଠିକଣାରେ ରେ ରେଡ୍ ହୋଇଥିଲା।
ଯାଜପୁର ଜିଲ୍ଲା ଧର୍ମାଶାଳାସ୍ଥିତ ବ୍ରହ୍ମବରଦା ଗାଁରେ ତାଙ୍କ ପୈତୃକ ଘର, ବାରଙ୍ଗ ଓ କଟକ ନୟାବଜାର ସ୍ଥିତ ଅନ୍ୟ ୨ଟି ଘର ଓ IDCOରେ ତାଙ୍କ ଅଫିସ ରୁମରେ ମଧ୍ୟ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ସମୟରେ ପୁଳାପୁଳା ଟଙ୍କା ଓ ସମ୍ପତ୍ତି ଚିଠା ମିଳିଥିଲା। ଏଥିପାଇଁ ତାଙ୍କୁ ଆଜି ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ସେ ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ କରି ରଖିଥିଲେ।
ପ୍ରାୟ ଅଢ଼େଇ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଙ୍କ ପାଖରୁ ମିଳିଛି। ଏହି ଆୟର ଉତ୍ସ ସମ୍ପର୍କରେ ସେ ସୂଚନା ନ ଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ଏସପି ଅନୁପମା ଜେମ୍ସ କହିଛନ୍ତି, ରେଡ ବେଳେ ସରୋଜଙ୍କ ୧୦ଟି ପ୍ଲଟ, ଭୁବନେଶ୍ୱରେ ୨ଟି ଫ୍ଲାଟ, ଭୁବନେଶ୍ୱରରୁ ଗୋଟିଏ ୩ ମହଲା ବିଲଡିଂ ରହିଛି।
ତାଙ୍କର ବ୍ୟାଙ୍କ, ବୀମା ଆଦିବରେ ୭୦.୫୫ଲକ୍ଷ ଟଙ୍କାର ଡିପୋଜିଟ୍, ୭୦୩ଗ୍ରାମ ସୁନା ଓ ୮୬୯ଗ୍ରାମ ରୂପା, ତାଙ୍କର ଗୋଟିଏ ଅଟା କଳ ମଧ୍ୟ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଚଢ଼ଉ ବେଳେ ଶ୍ରୀ ମହାନ୍ତି ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ମିଳିଥିଲା।
କଟକସ୍ଥିତ ମହାନଦୀ ବିହାର ଅଂଚଳରେ ୬୨୦୦ବର୍ଗଫୁଟର ଏକ ତିନିମହଲା ଘର, ଯାଜପୁରର ଧର୍ମଶାଳାର ବ୍ରହ୍ମବରଦାଠାରେ ୩୩୦୦ବର୍ଗଫୁଟର ଗୋଟିଏ ଦୁଇ ମହଲା କୋଠା, ଶୈଳଶ୍ରୀ ବିହାରର ଅମ୍ରିତ ଆଳୟମରେ ୩ ବେଡରୁମ୍ ଫ୍ଲାଟ, ବାରଙ୍ଗର ପାଟପୁରସ୍ଥିତ ମେଟ୍ରୋ ଗ୍ରୀନ୍ ୱୁଡସରେ ୩ ବେଡରୁମ ଫ୍ଲାଟ ସମେତ କଟକ ଓ ଭୁବନେଶ୍ୱରର ୭ଟି ପ୍ଲଟ ସହ ମୋଟ ୧୦ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି।
ଏସବୁ ପ୍ଲଟ ଭିତରେ ଭୁବନେଶ୍ୱରର ପାଣ୍ଡରାଠାରେ ୪୬ ଡିସିମିଲ, ବାରଙ୍ଗରେ ୨୦୦ଡେସିମିଲ, ବାରଙ୍ଗର ରତାଗଡ଼ ମୌଜାରେ ୮୨ ଡିସିମିଲ ଓ ୪୯ ଡିସିମିଲ, କଟକ ସଦର ତହସିଲର ନଛିପୁର ମୌଜାରେ ୨୧୦ ଡିସିମିଲ ଓ ୪୫ ଡିସିମିଲ, ଟାଙ୍ଗୀଚୌଦ୍ୱାରରେ ହଜାରେ ଡିସିମିଲ, ଯାଜପୁରର ଧର୍ମଶାଳା ଅନ୍ତର୍ଗତ ନୂଆଗାଁରେ ୩୦ ଡିସିମିଲ ଜମି, ଯାଜପୁରର ବ୍ରହ୍ମବରଦା ଓ ସାରଙ୍ଗପୁରରେ ଗୋଟିଏ ଲେଖାଏ ପ୍ଲଟ୍ ରହିଥିଲା।
ତାଙ୍କ ଘରୁ ରେଡ ବେଳେ ନଗଦ ୮ଲକ୍ଷ ଟଙ୍କା, ଗୋଟିଏ ମାରୁତି ବାଲେନୋ ଗାଡ଼ି ଓ ୨ ଚକିଆ ଗାଡ଼ି ସହ ୨୦.୮୮ଲକ୍ଷ ଟଙ୍କାର ମୂଲ୍ୟବାନ ଘରୋଇ ଉପକରଣ ମିଳିଥିଲା।
ଶ୍ରୀ ମହାନ୍ତିଙ୍କର କଟକ,ଭୁବନେଶ୍ୱର ଓ ଯାଜପୁରସ୍ଥିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା । ୧୦ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ସମେତ ମୋଟ ୭ଟି ଟିମ୍ ଏହି ଚଢ଼ଉ କରିଥିଲେ । ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
