Advertisment

ଇଡକୋ ସିଜିଏମଙ୍କ ଘରୁ ପୁଳାପୁଳା ସମ୍ପତ୍ତି ଓ ଅଟା କଳ ଠାବ

ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଆଜି ଶ୍ରୀ ମହାନ୍ତିଙ୍କ ସରକାରୀ ବାସଭବନ ସମେତ ମୋଟ ୭ଟି ସ୍ଥାନରେ ଚଢ଼ଉ କରି କୋଟି କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି ଠାବ କରିଛି।

author-image
Ordigital Desk
Vigilance Raid

Vigilance Raid

ବରିଷ୍ଠ ଓଏଏସ୍ ଅଧିକାରୀ ତଥା ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ସରୋଜକାନ୍ତ ମହାନ୍ତିଙ୍କ ଘରୁ ପୁଳାପୁଳା ଟଙ୍କା ଓ ସମ୍ପତ୍ତି ଠାବ କରିଛି ରାଜ୍ୟ ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଆଜି ଶ୍ରୀ ମହାନ୍ତିଙ୍କ ସରକାରୀ ବାସଭବନ ସମେତ ମୋଟ ୭ଟି ସ୍ଥାନରେ ଚଢ଼ଉ କରି କୋଟି କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି ଠାବ କରିଛି।

Advertisment

ଏହି ସମ୍ପତ୍ତିଗୁଡ଼ିକର ପରିମାଣ ବହୁ କୋଟି ଟଙ୍କା ହେବ ବୋଲି ପ୍ରାରମ୍ଭିକ ଆକଳନ କରାଯାଉଛି । ଏହାସହିତ ତାଙ୍କର ବ୍ୟାଙ୍କ, ବୀମା ଆଦିବରେ ୭୦.୫୫ଲକ୍ଷ ଟଙ୍କାର ଡିପୋଜିଟ୍‌, ୭୦୩ଗ୍ରାମ ସୁନା ଓ ୮୬୯ଗ୍ରାମ ରୂପା, ତାଙ୍କର ଗୋଟିଏ ଅଟା କଳ ମଧ୍ୟ ଥିବା ଭିଜିଲାନ୍ସ ଚଢ଼ଉବେଳେ ଜାଣିବାକୁ ପାଇଛି ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଢ଼ଉବେଳେ ଶ୍ରୀ ମହାନ୍ତି ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ମିଳିଛି । କଟକସ୍ଥିତ ମହାନଦୀ ବିହାର ଅଂଚଳରେ ୬୨୦୦ବର୍ଗଫୁଟର ଏକ ତିନିମହଲା ଘର, ଯାଜପୁରର ଧର୍ମଶାଳାର ବ୍ରହ୍ମବରଦାଠାରେ ୩୩୦୦ବର୍ଗଫୁଟର ଗୋଟିଏ ଦୁଇମହଲା କୋଠା,ଶୈଳଶ୍ରୀ ବିହାରର ଅମ୍ରିତ ଆଳୟମରେ ୩ବେଡରୁମ୍ ଫ୍ଲାଟ, ବାରଙ୍ଗର ପାଟପୁରସ୍ଥିତ ମେଟ୍ରୋ ଗ୍ରୀନ୍ ୱୁଡସରେ ୩ବେଡରୁମ ଫ୍ଲାଟ ସମେତ କଟକ ଓ ଭୁବନେଶ୍ୱରର ୭ଟି ପ୍ଲଟ ସହ ମୋଟ ୧୦ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି ।

Advertisment

ଏସବୁ ପ୍ଲଟ ଭିତରେ ଭୁବନେଶ୍ୱରର ପାଣ୍ଡରାଠାରେ ୪୬ ଡିସିମିଲ, ବାରଙ୍ଗରେ ୨୦୦ଡେସିମିଲ, ବାରଙ୍ଗର ରତାଗଡ଼ ମୌଜାରେ ୮୨ ଡିସିମିଲ ଓ ୪୯ ଡିସିମିଲ, କଟକ ସଦର ତହସିଲର ନଛିପୁର ମୌଜାରେ ୨୧୦ ଡିସିମିଲ ଓ ୪୫ ଡିସିମିଲ, ଟାଙ୍ଗୀଚୌଦ୍ୱାରରେ ହଜାରେ ଡିସିମିଲ, ଯାଜପୁରର ଧର୍ମଶାଳା ଅନ୍ତର୍ଗତ ନୂଆଗାଁରେ ୩୦ ଡିସିମିଲ ଜମି, ଯାଜପୁରର ବ୍ରହ୍ମବରଦା ଓ ସାରଙ୍ଗପୁରରେ ଗୋଟିଏ ଲେଖାଏଁ ପ୍ଲଟ୍ ମଧ୍ୟ ଥିବା ଭିଜିଲାନ୍ସ ଜାଣିବାକୁ ଯାଇଛି ।
ଏସବୁ ମୂଲ୍ୟବାନ ସମ୍ପତ୍ତି ବ୍ୟତୀତ ତାଙ୍କର ଗୋଟିଏ ଅଟା କଳ ଥିବା ମଧ୍ୟ ଜଣାପଡ଼ିଛି । ନଗଦ ୮ଲକ୍ଷ ଟଙ୍କା ତାଙ୍କ ଘରୁ ଜବତ ହୋଇଥିବାବେଳେ ଗୋଟିଏ ମାରୁତି ବାଲେନୋ ଗାଡ଼ି ଓ ୨ଚକିଆ ଗାଡ଼ି ସହ ୨୦.୮୮ଲକ୍ଷ ଟଙ୍କାର ମୂଲ୍ୟବାନ ଘରୋଇ ଉପକରଣ ମଧ୍ୟ ଭିଜିଲାନ୍ସ ଜବତ କରିଛି ।
ଅଧିକ ତଦନ୍ତ ପାଇଁ ଚଢ଼ଉ ଜାରି ରହିଛି । ଆସନ୍ତାକାଲି ମଧ୍ୟ ଏହି ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି।

ଆଜି ଶ୍ରୀ ମହାନ୍ତିଙ୍କର କଟକ,ଭୁବନେଶ୍ୱର ଓ ଯାଜପୁରସ୍ଥିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା । ୧୦ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ସମେତ ମୋଟ ୭ଟି ଟିମ୍ ଏହି ଚଢ଼ଉ କରିଥିଲେ । ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ ହୋଇଥିଲା । ଶ୍ରୀ ମହାନ୍ତିଙ୍କୁ ଭିଜିଲାନ୍ସ ଏବେ ଅଟକ ରଖିଥିବା ଜଣାପଡ଼ିଛି ।

Vigilance Raid Odisha Vigilanace