Advertisment

ଝିଅ ହେଲେ ଘରକୁ ଆଣିଥାନ୍ତେ; ପୁଅ ଜନ୍ମ ହେବାରୁ ବିକିଦେଲେ

ମେଡିକାଲ୍‌ ଗଲା ବେଳେ ଧର୍ମୁ ନିଜ ମନର କଥା ପତ୍ନୀ ଶାନ୍ତିଙ୍କୁ କହିଥିଲେ। ଏଥର ଝିଅ ହେଲେ ତାକୁ ଧରି ଘରକୁ ଫେରିବି। ପୁଅ ଜନ୍ମ ହେଲେ ଘରକୁ ଫେରିବା ବାଟରେ କାହାକୁ ବିକିଦେବି ବୋଲି ଧର୍ମୁ କହିଥିବା ଅଭିଯୋଗ ହେଉଛି। ସତକୁ ସତ ମେଡିକାଲ୍‌ରେ ଭର୍ତ୍ତି ପରେ ଶାନ୍ତି ପୁଅଟିଏ ପ୍ରସବ କରିଥିଲେ।

Child

Child

Advertisment

ଝିଅ ଜନ୍ମ ହେଲେ ଘରକୁ ଆଣିଥାଆନ୍ତେ! ହେଲେ ଦୁର୍ଭାଗ୍ୟକୁ ପୁଅଟିଏ ଜନ୍ମ ହେଲା। ତେଣୁ ସେହି ପୁଅକୁ ୬୦ ହଜାର ଟଙ୍କାରେ ବିକି ଦେଲେ ବାପା। ଆଉ ସେହି ଟଙ୍କାରେ ମାଂସ କିଣି ରାତିରେ ଭୋଜ କଲେ। ୩୦ ହଜାର ଟଙ୍କା ଡାଉନ୍‌ ପେମେଣ୍ଟ ଦେଇ ଗୋଟିଏ ବାଇକ୍‌ କିଣିଲେ। ସେହି ଘଟଣା ପ୍ରଚାରିତ ହେବା ପରେ ଧରା ପଡ଼ିଯିବା ଭୟରେ ଘରେ ତାଲା ପକାଇ ଲୋଚି ବୁଲୁଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନଟାକଟା ପଞ୍ଚାୟତ ହଦମୌଦ ଗାଁର ଶାନ୍ତି ବେହେରା। ତିନି ବର୍ଷ ତଳେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ତୋଟାପଡ଼ା ଗାଁର ଧର୍ମୁ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ଶାନ୍ତିଙ୍କର ଏକ ଶିଶୁପୁତ୍ର ଥିବା ବେଳେ ଧର୍ମୁଙ୍କୁ ବିବାହ କରିବା ପରେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଶାନ୍ତି ତୃତୀୟ ଥର ଗର୍ଭବତୀ ହୋଇଥିଲେ। ତେଣୁ ସ୍ୱାମୀ ଧର୍ମୁ ତାଙ୍କୁ ୧୯ ତାରିଖରେ ବାରିପଦା ପିଆର୍‌ଏମ୍‌ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ନେଉଥିଲେ।

ମେଡିକାଲ୍‌ ଗଲା ବେଳେ ଧର୍ମୁ ନିଜ ମନର କଥା ପତ୍ନୀ ଶାନ୍ତିଙ୍କୁ କହିଥିଲେ। ଏଥର ଝିଅ ହେଲେ ତାକୁ ଧରି ଘରକୁ ଫେରିବି। ପୁଅ ଜନ୍ମ ହେଲେ ଘରକୁ ଫେରିବା ବାଟରେ କାହାକୁ ବିକିଦେବି ବୋଲି ଧର୍ମୁ କହିଥିବା ଅଭିଯୋଗ ହେଉଛି। ସତକୁ ସତ ମେଡିକାଲ୍‌ରେ ଭର୍ତ୍ତି ପରେ ଶାନ୍ତି ପୁଅଟିଏ ପ୍ରସବ କରିଥିଲେ। ମେଡିକାଲ୍‌ ଚେକ୍‌ଅପ୍‌ ପରେ ଶାନ୍ତି ଗତ ୨୨ ତାରିଖରେ ଡିସ୍‌ଚାର୍ଜ ହୋଇଥିଲେ।

Advertisment

ପତ୍ନୀଙ୍କୁ କଥା ଦେଇଥିବା ଧର୍ମୁ ସତକୁ ସତ ଶିଶୁ ପୁତ୍ରକୁ ବିକି ଦେଇଥିଲେ। ଉଦଳା ଉପଖଣ୍ଡ ଅଧିନସ୍ଥ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ନିଃସନ୍ତାନ ଦମ୍ପତିଙ୍କୁ ବିକି ଦେଇଥିଲେ। ଏଥିପାଇଁ କୁଆଡେ ଧର୍ମୁ ୬୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହେଉଛି। ସେଥିରୁ ୩୦ ହଜାର ଟଙ୍କା ଡାଉନ୍‌ ପେମେଣ୍ଟ ଦେଇ ଏକ ବାଇକ୍‌ କିଣି ଥିଲେ। ବାଇକ୍‌ ଓ ମାଂସ ଧରି ଘରେ ପହଞ୍ଚିଥିଲେ ଧର୍ମୁ। ସାଥୀରେ ଥିଲେ ପତ୍ନୀ ଶାନ୍ତି। ରାତିରେ ମାଂସ ରୋଷେଇ କରି ଖାଇଥିଲେ!

ସକାଳେ ଗାଁ ଲୋକେ ଧର୍ମୁଙ୍କୁ ଶିଶୁ କଥା ପଚାରିଥିଲେ। ମେଡିକାଲ୍‌ରେ ଶିଶୁ ମରି ଯାଇଥିବା ଧର୍ମୁ କହିଥିଲେ। ହେଲେ ରାତିରେ ମାଂସ ଭୋଜି ଓ ଘରେ ବାଇକ ଦେଖି ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପିଲା ବିଷୟରେ ତନାଘନା କରିଥିଲେ। ଶେଷରେ ଛୁଆ ବିକିଥିବା ଧର୍ମୁ ସ୍ୱୀକାର କରିଥିଲେ। ଏନେଇ ଖବର ସାମ୍ନାକୁ ଆସିବା ପରେ ମୟୂରଭଞ୍ଜ ଜିଲ୍ଲା ଶିଶୁଅଧିକାରୀ ମମତାମୟୀ ବିଶ୍ୱାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଖୁଣ୍ଟା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ଅଭିଯୋଗ ପରେ CWC ଓ CDPO ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମର୍ଧୁଙ୍କ ଘରେ ପହଞ୍ଚିଥିଲେ ପୁଲିସ୍‌, CWC ଓ CDPO କର୍ମଚାରୀ। ହେଲେ ସେମାନେ ଘରେ ତାଲା ପକାଇ ଚମ୍ପଟ ମାରିଥିଲେ। ଏପରିକି ଛୁଆ କିଣିଥିବା ପମ୍ପତି ମଧ୍ୟ ଘରୁ ପଳାଇ ଯାଇଛନ୍ତି। ପୁଲିସ୍‌ ଧର୍ମୁଙ୍କ ମୋବାଇଲ ନମ୍ୱର ଟ୍ରାକ୍‌ କରିଥିଲେ। ଆଜି ସନ୍ଧ୍ୟା ବେଳେ ତାଙ୍କ ମୋବାଇଲ୍‌ ଲୋକେସନ୍‌ ବାରିପଦା ଷ୍ଟେସନ୍‌ ବଜାର ବସ୍ତିରୁ ଆସିଥିଲା। ଏହା ପରେ ପୁଲିସ୍‌, CWC ଓ CDPO ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ପୂର୍ବରୁ ସେମାନେ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳୁନି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ ଓ ବାରିପଦାରୁ ମାନିକ୍‌ଲାଲ ପାଣି

Balasore Crime Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe