Advertisment

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ ଆଇଆଇସି!

ପିସିଆର ପଠାଇବା ରୋଡ୍‌ ରୋମିଓଙ୍କୁ ଧରିବା ପାଇଁ ନିବେଦନ କରିଥିଲେ ଗୁରୁବଂଶ ଓ ତାଙ୍କ ବାନ୍ଧବୀ। କିନ୍ତୁ ପୁଲିସ୍ ରୋଡ୍‌ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା। ଏହାକୁ ନେଇ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ।

author-image
Manoranjan Sial
IIC

IIC

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। କମିଶନରେଟ୍‌ ପୁଲିସ୍‌ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ଥଳସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଯାହାକୁ ନେଇ ହଲଚଲ୍ ପୂରା କମିଶନରେଟ୍‌ ପୁଲିସ। ଅଭିଯୋଗ ଅନୁସାରେ ଭରତପୁର ଥାନା ପୁଲିସ୍‌ ରାତି ତମାମ ସେନା ଅଧିକାରୀଙ୍କୁ ଲକ୍‌ଅପରେ ରଖିଲେ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଲେ। ଏପରିକି ଦୁଷ୍କର୍ମ ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସେନା ଉଦ୍‌ବେଗ ପ୍ରକାଶ କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।

Advertisment

୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ହେଉଛନ୍ତି ମେଜର ଗୁରୁବଂଶ ସିଂ। ତାଙ୍କ ଘର ଦିଲ୍ଲୀରେ। ସେ ବୁଲିବା ପାଇଁ ଭୁବନେଶ୍ୱର ଆସିଥିଲେ। ତାଙ୍କ କହିବା ଅନୁସାରେ ସେ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ ବାନ୍ଧବୀଙ୍କ ସହ କାରରେ ଯାଉଥିଲେ। କିନ୍ତୁ ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେ ଭରତପୁର ଥାନାକୁ ଯାଇଥିଲେ।

ପିସିଆର ପଠାଇବା ରୋଡ୍‌ ରୋମିଓଙ୍କୁ ଧରିବା ପାଇଁ ନିବେଦନ କରିଥିଲେ ଗୁରୁବଂଶ ଓ ତାଙ୍କ ବାନ୍ଧବୀ। କିନ୍ତୁ ପୁଲିସ୍ ରୋଡ୍‌ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା। ଏହାକୁ ନେଇ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ। ତାହାରି ଭିତରେ ଗୁରୁବଂଶଙ୍କୁ ରାତିତମାମ୍‌ ଲକ୍‌ଅପ୍‌ରେ ରଖିଥିଲା ପୁଲିସ୍‌। ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

Advertisment

ପରବର୍ତ୍ତୀ ସମୟରେ ଗୁରୁବଂଶ ନିଜ ସହଯୋଗୀଙ୍କ ସହାୟତାରେ ବାନ୍ଧବୀଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ। କେବଳ ଏତିକି ନୁହେଁ, ପୁଲିସ ମେଡିକାଲ ରିପୋର୍ଟକୁ ଅଦଳବଦଳ କରିଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ଅଭିଯୋଗକାରୀ ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କୁ ଗିରଫ କରିଥିଲା କମିଶରେଟ୍‌ ପୁଲିସ୍। ଅପରପକ୍ଷେ ପୁଲିସ କହିଛି, ଗୁରୁବଂଶ ଓ ତାଙ୍କ ବାନ୍ଧବୀ ପୁଲିସକୁ ଦୁର୍ବ୍ୟବହାର କରିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, ଗୁରୁବଂଶ ଓ ତାଙ୍କ ବାନ୍ଧବୀ ଯଦି ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ, ଉଭୟଙ୍କୁ ପୁଲିସ ଦୁର୍ବ୍ୟବହାର ସହ ଥାର୍ଡ ଡିଗ୍ରୀ ଦେବା ପଛର କାରଣ କ’ଣ ? କେଉଁ ଆଧାରରେ ଗୁରୁବଂଶ ଓ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ୍? ମଡର୍ଣ୍ଣ ପୁଲିସ୍ ଷ୍ଟେସନ କୁହାଯାଉଥିବା ଭରତପୁର ଥାନାରେ କୁଆଡ଼େ ଗଲା ସିସିଟିଭି? ଏଭଳି ନାନା ପ୍ରଶ୍ନ ଭିତରେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି ସେନା। ସେନାର ସେଣ୍ଟ୍ରାଲ କମାଣ୍ଡ ଏହାକୁ ଗୁରୁତ୍ୱର ସହ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୋଶାଲ୍‌ ମିଡ଼ିଆରେ ପୋଷ୍ଟ କରିଥିଲା।

ସେନା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ପରେ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜିପି। ଡିଏସପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଭରତପୁର ଥାନାରେ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ ଟିମ୍। ସେତେବେଳେ ଥାନାରେ ଥାନା ଅଧିକାରୀ ନଥିବା ବେଳେ ଥାନାରେ ସିସିଟିଭି ନଥିବାରୁ ଖାଲି ହାତରେ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଡିଏସପି କହିଛନ୍ତି, ଥାନାର ସମସ୍ତ ପୁଲିସ୍ କର୍ମଚାରୀଙ୍କ ବୟାନ ରେକର୍ଡ କରାଯିବ। ଆବଶ୍ୟକ ପଡ଼ିଲେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ମଧ୍ୟ ପଚରାଉଚରା କରାଯିବ।

ଅପରପକ୍ଷେ ଗିରଫ ପରେ ହାଜତରେ ଥିବା ଗୁରୁବଂଶଙ୍କ ବାନ୍ଧବୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି କରିବେ ହାଇକୋର୍ଟ। ତା’ସହିତ ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ପର୍ଯ୍ୟନ୍ତ ଯାଇଛି।

Odisha Police Bhubaneswar Bhubaneswar News