ବେଆଇନ ମଦ କାରବାର: ୨୬୦୬ ଜଣଙ୍କୁ ଗିରଫ କଲାଣି ଅବକାରୀ ବିଭାଗ

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୨୦ତାରିଖରୁ ଜାରି ରହିଥିବା ଚଢ଼ଉ ଅଭିଯାନରେ ଏପର୍ଯ୍ୟନ୍ତ ୧୯୦୨ଟି ସ୍ଥାନରେ ଚଢ଼ଉ କରି ୨୬୦୬ଜଣଙ୍କୁ ଗିରଫ କରାଯାଇଛି ।

Representative Image

  • Published: Monday, 09 September 2024
  • , Updated: 09 September 2024, 10:28 PM IST

ରାଜ୍ୟରୁ ବେଆଇନ ମଦ କାରବାରକୁ ମୂଳପୋଛ କରିବା ପାଇଁ ଗତ ଅଗଷ୍ଟ ୨୦ତାରିଖରୁ ରାଜ୍ୟରେ ଦୀର୍ଘତମ ଚଢ଼ାଉ ଅଭିଯାନରେ ଆଜି ସୁଦ୍ଧା ୨୬୦୬ଜଣ ଲୋକଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରୁ ବେଆଇନ ମଦ କାରବାରକୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିବା ସହ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଜାରି କରିଛନ୍ତି ।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୨୦ତାରିଖରୁ ଜାରି ରହିଥିବା ଚଢ଼ଉ ଅଭିଯାନରେ ଏପର୍ଯ୍ୟନ୍ତ ୧୯୦୨ଟି ସ୍ଥାନରେ ଚଢ଼ଉ କରି ୨୬୦୬ଜଣଙ୍କୁ ଗିରଫ କରାଯାଇଛି ।  ପ୍ରାୟ ୨.୩୭ଲକ୍ଷ ଲିଟର ମଦ ଜବତ କରଯାଇଛି । ଏହାସହିତ ମଦ କାରବାରରେ ଉପଯୋଗ ହେଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଜବତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ପୂର୍ବରୁ ଚାଲି ଆସିଥିବା ସମସ୍ତ ବେଆଇନ ମଦ କାରବାର ଉପରେ ରାଜ୍ୟ ସରକାର ବୁଲଡୋଜର ଚଳାଇବାକୁ କଦାପି ପଛଘୁଂଚା ଦେବେ ନାହିଁ । ଆଗକୁ ଏଭଳି ଅଭିଯାନକୁ ଅଧିକ ଜୋରଦାର କରାଯିବ । ସମସ୍ତ ବେଆଇନ କାରବାର ଉପରେ ରୋକ୍ ଲଗାଯିବ ।

ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଅବକାରୀ ବିଭାଗର ବିଭିନ୍ନ ଟିମ୍ ଖୋଜି ବାହାର କରିବା ସହ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି ।

Related story