ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା; ଭରତପୁର ଥାନା ଆଇଆଇସିଙ୍କ ସମେତ ୫ ନିଲମ୍ବିତ

ଗତକାଲି ଭରତପୁର ଥାନାର IIC, ଜଣେ ASI ଓ କନଷ୍ଟେବଲଙ୍କୁ ବଦଳି କରାଯାଇଥିଲା।

IIC ଦୀନକୃଷ୍ଣ ମିଶ୍ର

  • Published: Wednesday, 18 September 2024
  • , Updated: 18 September 2024, 12:04 PM IST

ଭୁବନେଶ୍ୱର ଅଧୀନ ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି ୱାଇ.ବି. ଖୁରାନିଆ। ଭରତପୁର ଥାନାର ତତ୍କାଳୀନ IIC ଦୀନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି। ସେହିପରି SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କରାଯାଇଛି। ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି।

ଗତକାଲି ଭରତପୁର ଥାନାର IIC, ଜଣେ ASI ଓ କନଷ୍ଟେବଲଙ୍କୁ ବଦଳି କରାଯାଇଥିଲା। ଆଜି IIC ସମେତ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି।  

ଅଭିଯୋଗ ଅନୁସାରେ, ଗତ ଶନିବାର ବିଳମ୍ବିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଥାନାରେ ନିର୍ଯାତନା ହେଇଥିଲା। ଏପରିକି ମେଜର ଗୁରୁବଂଶ ସିଂଙ୍କୁ ଲକ୍‌ଅପରେ ରାତିତମାମ ରଖିଥିଲା ପୁଲିସ। ଏହାସହ ତାଙ୍କ ବାନ୍ଧବୀଙ୍କୁ ଅର୍ଦ୍ଧନଗ୍ନ କରି ମାଡ଼ ମାରିବା ସହ ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଭରତପୁର ଥାନାର ତତ୍କାଳୀନ ଆଇଆଇସି ମେଜରଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ। ଭରତପୁର ଥାନା ଏକ ମଡେଲ ଥାନା ହୋଇଥିଲେ ବି ସେଠାରେ ସିସିଟିଭି କ୍ୟାମେରା ନାହିଁ।ଯାହାକୁ ନେଇ ସାଧାରଣରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story