Advertisment

କେତେ ନାଁ, କେତେ ରୂପ ଓ କେତେ ସ୍ୱାମୀ; ଚର୍ଚ୍ଚାରେ ବିଷ୍ଣୁପ୍ରିୟା, ହର୍ଷିତା ଓ ହଂସିକା!

ଠକେଇର ପ୍ରଥମ ପାହାଚ ରାଜଧାନୀ ଭୁବନେଶ୍ୱରରେ ଚଢ଼ିଥିଲେ। ବହୁରୂପୀ ଏଣ୍ଡୁଅ ପରି ସିଏ ପ୍ରଥମେ ନିଜର ରୂପ ଓ ବେଶ ପରିବର୍ତ୍ତନ କରିଥିଲେ। ନିଜର ପୃଥୁଳକାୟ ଶରୀରକୁ କମାଇ ସ୍ଲିମ୍‌ଟ୍ରିମ୍‌ ହୋଇଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

କେତେ ରୂପ? କେତେ ନାଁ? କେତେ ସ୍ୱାମୀ? ଚର୍ଚ୍ଚାରେ ବିଷ୍ଣୁପ୍ରିୟା ଚାନ୍ଦ-ହର୍ଷିତା ମିଶ୍ର-ହଂସିକା ଅଭିଲିପ୍ସା। ଇଏ ଜଣିଏ ନାରୀ। ହେଲେ ଠକେଇ ପାଇଁ ନାଁ ବଦଳାଇ ସ୍ୱାମୀ ଚୟନ କରୁଥିଲେ। ଆଉ ତା’ପରେ ବିଛାଉଥିଲେ ଜାଲ। ପୂରା ଅପରାଧରେ ପତ୍ନୀଙ୍କୁ କ୍ୟାରମ୍‌ ବୋର୍ଡର ରାଣୀ ସଜାଇଥିଲେ ସ୍ୱାମୀ ସରୋଜ ସାହୁ! ତାଙ୍କ ଇସାରାରେ ଶିକାର କରୁଥିଲେ ହଂସିକା! ଏକଥା ଜାଣିବା ପରେ ହତବାକ ହୋଇଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ଆଉ ଜାଣିପାରୁନି କେଉଁ ଦିଗରୁ ତଦନ୍ତ ଆଗକୁ ବଢ଼ାଇବ। ଏବେ ହଂସିକା ଅଭିଲିପ୍ସାଙ୍କ ଅପରାଧ ଦୁନିଆର ତଦନ୍ତ କମିଶନରେଟ୍‌ ପୁଲିସ୍‌ କରୁଥିବା ବେଳେ ଅର୍ଥନୈତିକ କାରବାର ମାମଲାର ତଦନ୍ତ ଆୟକର ବିଭାଗ କରୁଛି।

Advertisment

କଳାହାଣ୍ଡି ନର୍ଲାର ବିଷ୍ଣୁପ୍ରିୟା ଚାନ୍ଦ। ମାଆଙ୍କ ମୃତ୍ୟୁ ପରେ ଭୁବନେଶ୍ୱରରେ ପାଠ ପଢ଼ିଥିଲେ! ଆଉ ବାହା ହୋଇଥିଲେ ବ୍ରହ୍ମପୁରର ପ୍ରତିଷ୍ଠିତ ମଦ ବ୍ୟବସାୟୀ ସରୋଜ ସାହୁଙ୍କୁ। ବିବାହ ପରେ ଉଭୟଙ୍କ ଔରସରୁ ଗୋଟିଏ ପୁଅ ହୋଇଥିଲା। ଉଚ୍ଚାଭିଳାଷୀ ବିଷ୍ଣୁପ୍ରିୟା କୋଟିପତି ହେବା ପାଇଁ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ଏଥିରେ ତାଙ୍କୁ ତାଙ୍କ ସ୍ୱାମୀ ସରୋଜ ସାହୁ ସହଯୋଗ କରିଥିବା ଅଭିଯୋଗ ହେଉଛି।

ଠକେଇର ପ୍ରଥମ ପାହାଚ ରାଜଧାନୀ ଭୁବନେଶ୍ୱରରେ ଚଢ଼ିଥିଲେ। ବହୁରୂପୀ ଏଣ୍ଡୁଅ ପରି ସିଏ ପ୍ରଥମେ ନିଜର ରୂପ ଓ ବେଶ ପରିବର୍ତ୍ତନ କରିଥିଲେ। ନିଜର ପୃଥୁଳକାୟ ଶରୀରକୁ କମାଇ ସ୍ଲିମ୍‌ଟ୍ରିମ୍‌ ହୋଇଥିଲେ। ୨୦୧୭ ମସିହାରେ ୧୦୭ କେଜିରୁ ୫୮ କେଜି ହୋଇଥିଲେ। ମୁଖମଣ୍ଡଳର ରୂପ ମଧ୍ୟ ବଦଳାଇଥିଲେ। ତା’ପରେ ବିଛାଇ ଚାଲିଲେ ଠକେଇ ଜାଲ୍‌। ଓଜନ ଓ ରୂପ ବଦଳାଇଥିବା ବିଷ୍ଣୁପ୍ରିୟା ନିଜର ନାଁ ରଖିଥିଲେ ହର୍ଷିତା ମିଶ୍ର। ନିଜକୁ ହର୍ଷିତା ମିଶ୍ର ରୂପେ ଗଢ଼ିବା ପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପି.କେ ମିଶ୍ରଙ୍କ ଝିଅର ପରିଚୟ ଦେଇ କର୍ପୋରେଟ୍‌ ଠକେଇ ଆରମ୍ଭ କରିଥିଲେ। ଅଭିଯୋଗ ଅନୁସାରେ ସିଏ କୁଆଡେ କୋଟି କୋଟି ଟଙ୍କା ଠକେଇ କରିଥିଲେ।

Advertisment

ଧରା ପଡ଼ିବା ଭୟରେ ହର୍ଷିତା ମିଶ୍ରରୁ ସେ ପାଲଟି ଯାଇଥିଲେ ହଂସିକା ଅଭିଲିପ୍ସା। ଆଉ ବଡ଼ବଡ଼ ବିଲ୍‌ଡର, ଖଣି ବ୍ୟବସାୟୀ ଓ ଧନୀ ଶ୍ରେଣୀର ଲୋକଙ୍କୁ ଠକି ଚାଲିଥିଲେ। କାହାକୁ ଛାଡ଼ିଲେ ନାହିଁ। ଅଭିଯୋଗ ହେଉଛି ହଂସିକା ଅଭିଲିପ୍ସା ଯେଉଁଠିକି ଯାଉଥିଲେ ସେଠାରେ ଗୋଟାଏ ଲେଖାଏଁ ସ୍ୱାମୀ ଚୟନ କରୁଥିଲେ। ଆଉ ତା’ପରେ ବଡ଼ବଡ଼ିଆଙ୍କ ସହରରେ କର୍ପୋରେଟ୍‌ ଅଫିସ୍‌ ଖୋଲି ଖୁଲମ୍‌ଖୋଲା ଠକୁଥିଲେ। ଯାହାର ହିସାବ କାହା ପାଖରେ ନାହିଁ। ବର୍ତ୍ତମାନ ସୁଦ୍ଧା ତାଙ୍କ ନାଁରେ ଓଡ଼ିଶା ସମେତ ଝାରଖଣ୍ଡ ଓ ଛତିଶଗଡ଼ରୁ ଅଭିଯୋଗ ଆସିଲାଣି। ସେଠାରେ ମଧ୍ୟ ସେ ଅଲଗା ଅଲଗା ସ୍ୱାମୀଙ୍କ ନାଁରେ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ, ଠକେଇ ପାଇଁ ଛତିଶଗଡ଼ରେ ଖୋଲିଥିଲା କର୍ପୋରେଟ୍‌ ଅଫିସ। ସେହି ଅଫିସରୁ ମିଳିଥିବା କାଗଜପତ୍ରରେ ହଂସିକା ଅଭିଲିପ୍ସାଙ୍କ ସ୍ୱାମୀ ମନୋଜ ଆଚାର୍ଯ୍ୟଙ୍କ ନାଁ ରହିଛି। ବିଭିନ୍ନ କାମରେ ଟେଣ୍ଡର ପାଇଁ ସେ ଠକେଇ କରୁଥିବା ଅଭିଯୋଗ ହୋଇଛି। ଠିକ୍‌ ସେହିପରି ଠକେଇ ପାଇଁ ଝାରଖଣ୍ଡରେ ଖୋଲିଥିଲା କର୍ପୋରେଟ୍‌ ଅଫିସ। ସେଠାରେ ଖୋଲିଥିବା ଅଫିସ୍‌ରେ ହଂସିକା ଅଭିଲିପ୍ସାଙ୍କ ସ୍ୱାମୀ ସରୋଜ ସାହୁ ଲେଖା ଯାଇଛି। ସେହି ଅଫିସ୍‌ରୁ ମିଳିଥିବା କାଗଜପତ୍ରରୁ ତଥ୍ୟ ମିଳିଛି। ସେହିପରି ଭୁବନେଶ୍ୱରରେ ଖୋଲିଥିବା କର୍ପୋରେଟ୍‌ ଅଫିସରେ ହଂସିକା ଅଭିଲିପ୍ସାଙ୍କ ସ୍ୱାମୀ ଅନୀଲ ମହାନ୍ତି ବୋଲି ଲେଖା ରହିଥିବା ଅଭିଯୋଗ ହୋଇଛି।

କମିଶନରେଟ୍‌ ପୁଲିସ୍‌ ହାତରେ ହଂସିକା ଅଭିଲିପ୍ସା ଧରା ପଡ଼ିବା ଠକେଇର ଗୁମର ଖୋଲିଥିଲା। ହଂସିକା ଅଭିଲିପ୍ସା କୋଟି କୋଟି ଟଙ୍କା ଠକେଇ କରିଥିବା କମିଶନରେଟ୍‌ ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ମାମଲାର ତଦନ୍ତ କମିଶନରେଟ୍‌ ପୁଲିସ୍‌ ଓ ଆୟକର ବିଭାଗ ମିଳିତ ଭାବେ କରୁଛନ୍ତି। ତଦନ୍ତ ବେଳେ ହଂସିକା ଅଭିଲିପ୍ସାଙ୍କ ପ୍ରକୃତ ସ୍ୱାମୀ ମଦ ବ୍ୟବସାୟୀ ସରୋଜ ସାହୁ ବୋଲି ଜାଣିବାକୁ ପାଇଥିଲା ଆୟକର ବିଭାଗ। ପୂରା ଲୁଟ୍‌ରେ ସିଏ ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଥିଲା। ଆଉ ତା’ପରେ ସରୋଜଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲା ଆୟକର ବିଭାଗ। ହେଲେ ଧରିପାରିନଥିଲା।

ସେପଟେ ଚର୍ଚ୍ଚା ହେଉଛି ଧରାପଡ଼ିଯିବା ଭୟରେ ସରୋଜ ନିଜର ସହଯୋଗୀଙ୍କ ସହ ଚାରିଆଡେ ବୁଲୁଛନ୍ତି। ଘରେ ରହୁନାହାନ୍ତି। କୌଣସି ଗୋଟିଏ ହେଲେ ସ୍ଥାନରେ ରହୁନାହାନ୍ତି। ଆଜି ସିଏ ନିଜର ୩ ସାଙ୍ଗଙ୍କ ସହ ଖଣ୍ଡଗିରି ପର୍ଯ୍ୟଟନ ବସ୍‌ଷ୍ଟାଣ୍ଡ ନିକଟରେ କାର୍‌ ଭିତରେ ବସିଥିଲେ। ଏ ସମ୍ପର୍କରେ ଆୟକର ବିଭାଗ ଜାଣିପାରି ତାଙ୍କୁ ଚାରି ପାର୍ଶ୍ୱରୁ ଘେରି ଯାଇଥିଲେ। ଆଉ ତା’ପରେ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କୁ ଧରି ଜେରା କରୁଛି ଆୟକର ବିଭାଗ।

Crime Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe