/odisha-reporter/media/post_attachments/uploadimage/library/16_9/16_9_0/Congress_1691239305.jpg)
Congress
କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ଅଡ଼ୁଆ ବଢ଼ିଛି। ୩୯ ବର୍ଷ ପୁରୁଣା ଶିଖ ଦଙ୍ଗା ଘଟଣାରେ ସିବିଆଇ ତାଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଛି। ଜଗଦୀଶ ଟାଇଟଲର ହିଁ ଶିଖମାନଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉସକାଇଥିଲେ। ଦିଲ୍ଲୀର ଗୁରୁଦ୍ୱାର ପୁଲ ବାଙ୍ଗାଶ ଠାରେ ହୋଇଥିବା ଶିଖ ନରସଂହାର ପାଇଁ ସିବିଆଇ ଟାଇଟଲରଙ୍କୁ ଦାୟୀ କରିଛି। ତାଙ୍କ ନାଁରେ ହତ୍ୟା ଦଫା ମଧ୍ୟ ଲାଗିଛି।
ମେ’ ୨୦ରେ ସିବିଆଇ ଦାଖଲ କରିଥିବା ଚାର୍ଜଶିଟ୍ରେ କହିଛି ଯେ “ଟାଇଟଲର ଶିଖମାନଙ୍କୁ ହତ୍ୟା କରିବା ପାଇଁ ଉସକାଇଥିଲେ। ତାଙ୍କ କଥାରେ ଲୋକମାନେ ଗୁରୁଦ୍ୱାର ପୁଲ ବାଙ୍ଗାଶରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ୧.୧୧.୧୯୮୪ରେ ଜଗଦୀଶଙ୍କୁ ଯୋଗୁ ୩ ଜଣ ଶିଖ ସଂପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଇଥିଲା।
ଟାଇଟଲର କେମିତି କାର୍ରୁ ବାହାରି ଭିଡ଼କୁ ଆକ୍ରମଣ ପାଇଁ ଉସକାଇଥିଲେ, ସେକଥା ଜଣେ ମହିଳା ଦେଖିଥିଲେ। ମହିଳା ଜଣଙ୍କ ଗୋଟିଏ ଦୋକାନ କରିଥିଲେ। ଏହାକୁ ଲୋକମାନେ ଲୁଟ କରିଥିଲେ। ମହିଳା ଜଣଙ୍କ ଦୋକାନ ଆଡ଼କୁ ଯାଉଥିବା ବେଳେ ଗୁରୁଦ୍ୱାର ପୁଲ ବାଙ୍ଗାଶ ନିକଟରେ ଗୋଟିଏ ଧଳା ରଙ୍ଗର କାର୍ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ।
ଏହା ଭିତରୁ ଅଭିଯୁକ୍ତ ଟାଇଟଲର ବାହାରିଥିଲେ। ସେ ଶିଖମାନଙ୍କୁ ପ୍ରଥମେ ହତ୍ୟା କରିବାକୁ ଉସକାଇବା ସହ ଲୁଟ ପାଇଁ ପ୍ରବର୍ତ୍ତାଇ ଥିଲେ। ଏହା ଦେଖି ସେ ନିଜ ଘରକୁ ଚାଲି ଆସିଥିଲେ ଓ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବାଦଲ ସିଂହ ଓ ଗୋରଚରଣ ସିଂହଙ୍କ ମୃତଦେହ ଛାତ ଉପରୁ ତଳକୁ ଫୋପାଡ଼ା ଯାଇଥିଲା। ଏହାପରେ ଗୋଟିଏ କାଠ ଗାଡ଼ିରେ ଏହାକୁ ନିଆଯାଇଥିଲା। ଟାୟାର ଦ୍ୱାରା ମୃତଦେହକୁ ବିଚ୍ ରାସ୍ତାରେ ପୋଡ଼ା ଯାଇଥିଲା। ଲୋକମାନେ ଗୁରୁଦ୍ୱାରକୁ ମଧ୍ୟ ନିଆଁ ଲଗାଉଥିବା ସେ ନିଜ ଆଖିରେ ଦେଖିଥିବା କହିଛନ୍ତି।
ଆଉ ଜଣେ ବ୍ୟକ୍ତି ବିକ୍ଷୋଭ କରୁଥିବା ଲୋକମାନେ କେମିତି ପେଟ୍ରୋଲ, କାଠ ଫାଳିଆ, ଖଣ୍ଡା ଓ ଲୁଡା ରଡ୍ ନେଇ ଯାଉଥିଲେ, ସେକଥା ଦେଖିଥିବା କହିଛନ୍ତି। ଜଗଦୀଶ ଟାଇଟଲର ସେତେବେଳେ ସାଂସଦ ଥିଲେ ଓ ସେ ମଧ୍ୟ ଗୁରୁଦ୍ୱାର ସମ୍ମୁଖରେ ଉପସ୍ଥିତ ରହିଥିଲେ। ଲୋକମାନଙ୍କୁ ଗୁରୁଦ୍ୱାର ଉପରେ ଆକ୍ରମଣ କରିବାକୁ ଟାଇଟଲର ଉସକାଇଥିବା ଏହି ବ୍ୟକ୍ତି ଜଣଙ୍କ ମଧ୍ୟ କହିଛନ୍ତି।”
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅପରେସନ ବ୍ଲୁ ଷ୍ଟାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଶ୍ରୀମତୀ ଗାନ୍ଧିଙ୍କୁ ତାଙ୍କ ଦୁଇ ଶିଖ ବଡିଗାର୍ଡ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସମଗ୍ର ଦେଶରେ ଶିଖ ବିରୋଧୀ ଦଙ୍ଗା ଦେଖିବାକୁ ମିଳିଥିଲା। ଏଥିରେ ପ୍ରାୟ ୧୭ ହଜାର ଲୋକ ପ୍ରାଣ ହରାଇଥିଲେ।
କେବଳ ଦିଲ୍ଲୀରେ ଏହି ସଂଖ୍ୟା ୩ ହଜାର ରହିଥିଲା। ସିବିଆଇ ଘଟଣାର ତଦନ୍ତ କରି ଟାଇଟଲରଙ୍କୁ ୩ଥର କ୍ଲିନଚିଟ୍ ଦେଇଥିଲା। ହେଲେ କୋର୍ଟ ସିବିଆଇକୁ ପୁଣିଥରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
୭୮ ବର୍ଷୀୟ ଟାଇଟଲର ଏକଦା ଦିଲ୍ଲୀ କଂଗ୍ରେସର ପ୍ରମୁଖ ଚେହେରା ଥିଲେ। ଶିଖ ବିରୋଧୀ ଦଙ୍ଗାର ତଦନ୍ତ କରୁଥିବା ନାନାବତୀ କମିଶନ ଦେଇଥିବା ରିପୋର୍ଟରେ ତାଙ୍କ ନାଁ ରହିଥିଲା। ୨୦୦୪ ମନମୋହନ ସିଂହ ସରକାର ସମୟରେ ଟାଇଟଲରଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ହେଲେ ବିରୋଧ ଯୋଗୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ବିରୋଧ ଯୋଗୁ ସେ କଂଗ୍ରେସର ପ୍ରମୁଖ କାର୍ଯ୍ୟକ୍ରମରୁ ମଧ୍ୟ ଦୂରେଇ ରହୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
