Advertisment

ଧରା ପଡ଼ିଲା ମନ୍ଦିର ଚୋର; ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଶ୍ରୀଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର...

ଘନଶ୍ୟାମ ଚୋରି ଆରମ୍ଭ କରିଥିଲା ଆନ୍ଧ୍ରପ୍ରଦେଶରୁ। ସେ ବିଜୟୱାଡ଼ାର ପ୍ରତିଷ୍ଠିତ କନକଦୁର୍ଗା ମନ୍ଦିରରୁ ପ୍ରଥମ ଚୋରି କରିଥିଲା। ତା’ପରେ ସେ ୨୦୧୫ ମସିହାରେ ଆନ୍ଧ୍ରପ୍ରଦେଶରେ ସାଇବାବା ମନ୍ଦିରରୁ ଚୋରି କରିଥିଲା।

author-image
Manoranjan Sial
Crime

Crime

ଧରା ପଡ଼ିଲା କୁକ୍ଷାତ ମନ୍ଦିର ଚୋର। ୧୮ ବର୍ଷରୁ ସେ ଚୋରି ଆରମ୍ଭ କରିଥିଲା। ଏବେ ତାଙ୍କୁ ୪୫ ବର୍ଷ ହୋଇଛି। ଏହାରି ଭିତରେ ସେ ୪୭ଟି ମନ୍ଦିରରୁ ଚୋରି କରିଛି! ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଶ୍ରୀଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପର୍ଯ୍ୟନ୍ତ, ସବୁ ମନ୍ଦିରରେ କଳାକନା ବୁଲାଇ ଦେଇଛି। କୋରାପୁଟ୍‌ ଜୟପୁର ସହରରେ ଥିବା କନ୍ୟକା ପରମେଶ୍ୱରୀ ମନ୍ଦିରରୁ ଚୋରି ଘଟଣାର ଖିଅ ଖୋଜି ଖୋଜି ମନ୍ଦିର ଚୋର ଘନଶ୍ୟାମ ଦାସଙ୍କ ପାଖରେ ପହଞ୍ଚିଛି ପୁଲିସ୍‌। ଆଉ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଘନଶ୍ୟାମ ଦାସ ଓରଫ ପ୍ରକାଶ କୁମାର ସାହୁ ଓରଫ ସନ୍ତୋଷ ଦାସଙ୍କ ଘର ନୟାଗଡ଼ ଜିଲ୍ଲାରେ। ଅତି ସାଦାସିଧା ଦେଖାଯାଉଥିବା ଘନଶ୍ୟାମଙ୍କୁ ୧୮ ବର୍ଷ ହୋଇଥିଲା। ସେହି ସମୟରେ ଅର୍ଥାତ ୧୯୮୦ ମସିହାରେ ସେ ଚୋରି କରିବା ଆରମ୍ଭ କରିଥିଲା। ଏକା ଏକା ଚୋରି କରୁଥିଲା। ଚୋରିରେ ସ୍କୃ ଡ୍ରାଇଭର, ଗ୍ୟାସ୍‌ କଟର ଓ ଲୁହା ରଡ୍‌ ବ୍ୟବହାର କରୁଥିଲା। ରାତିରେ ଯେତେବେଳେ ପୂରା ସହର ଶୋଇଯାଉଥିଲା, ସେହି ସମୟରେ ସେ ମନ୍ଦିରରେ କଳାକନା ବୁଲାଉଥିଲା।

ଘନଶ୍ୟାମ ଚୋରି ଆରମ୍ଭ କରିଥିଲା ଆନ୍ଧ୍ରପ୍ରଦେଶରୁ। ସେ ବିଜୟୱାଡ଼ାର ପ୍ରତିଷ୍ଠିତ କନକଦୁର୍ଗା ମନ୍ଦିରରୁ ପ୍ରଥମ ଚୋରି କରିଥିଲା। ତା’ପରେ ସେ ୨୦୧୫ ମସିହାରେ ଆନ୍ଧ୍ରପ୍ରଦେଶରେ ସାଇବାବା ମନ୍ଦିରରୁ ଚୋରି କରିଥିଲା। ସେହି ମନ୍ଦିରରୁ ୧୮କେଜି ଗହଣା ନେଇଯାଇଥିଲା। ସେହିବର୍ଷ ପୁରୀ ଜଗନ୍ନାଥ ମନ୍ଦିର, ଅନୁଗୋଳ ଅମଲାପଡ଼ା ଜଗନ୍ନାଥ ମନ୍ଦିର, ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲ୍ଲାର ଶ୍ରୀଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରୁ ବଡ଼ ଧରଣର ଚୋରି କରିଥିଲା। ସେହି ସମୟରେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଥିଲା।

Advertisment

ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘନଶ୍ୟାମକୁ ଗିରଫ କରିଥିଲା। ତାଙ୍କଠାରୁ ପାଖାପାଖି ୬୦ କେଜି ରୁପା ଗହଣା ଓ ନଗଦ ୨୫ ଲକ୍ଷ ଟଙ୍କା ଜବତ କରିଥିଲା। ଗରଫ ପରେ ପୁଲିସ୍‌ ତାଙ୍କୁ ଜେଲ୍‌ ପଠାଇ ଦେଇଥିଲା। ଜେଲ୍‌ରେ କିଛି ଦିନ ରହିବା ପରେ ସେ ବାହାରିଥିଲା। ହେଲେ ମନ୍ଦିର ଚୋରି ନିଶା ଛାଡ଼ିପାରିନଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ସେ ବୁଲି ବୁଲି ଚୋରି କରୁଥିଲା। ଆଜି ପର୍ଯ୍ୟନ୍ତ ସେ ୪୭ଟିରୁ ଅଧିକ ଧନୀ ମନ୍ଦିରରୁ ଚୋରି କରିଛନ୍ତି। ଯେଉଁଥିରେ ଆନ୍ଧ୍ରପ୍ରଦେଶରେ ୨୪ଟି, ଓଡ଼ିଶାରେ ୧୪ଟି ଓ କର୍ଣ୍ଣାଟକରେ ୯ଟି ମାମଲା ରହିଛି।

ଜୟପୁର ଏସ୍‌ଡିପିଓ ଅଙ୍କିତ ବର୍ମାଙ୍କ କହିବା ଅନୁସାରେ ୨୦୨୪ ଫେବ୍ରୁଆରୀ ୩ ତାରିଖରେ ଜୟପୁର ସହରରେ ଥିବା କନ୍ୟକା ପରମେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିଲା। ଘନଶ୍ୟାମ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ପୂଜା ସାମଗ୍ରୀ, ସୁନା ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲା। ଏପରିକି ସିସିଟିଭି ଡିଭିଆର୍‌ ନେଇ ଯାଇଥିଲା। ଲୁଟ୍‌ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ମନ୍ଦିର ପକ୍ଷରୁ କୁହାଯାଥିଲା। ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସିସିଟିଭିର ଡିଭିଆର୍‌ ନେଇଯାଇଥିବାରୁ ତଦନ୍ତରେ ପୁଲିସ୍‌ ପାଇଁ କାଠିକର ପାଠ ହୋଇଥିଲା। ତେବେ ମନ୍ଦିର ବାହାରେ ଲାଗିଥିବା ସିସିଟିଭିରେ ତାଙ୍କର ଫଟୋ କଏଦ ହୋଇଥିଲା। ସେହି ଫଟୋକୁ ଆଧାର କରି ପୁଲିସ୍‌ ତାଙ୍କ ଘର ନୟାଗଡ଼ରେ ପହଞ୍ଚିଥିଲା। ସେଠାରୁ ତାଙ୍କୁ ଗିରଫ କରିବା ସହିତ ତାଙ୍କ ଘରୁ ଲୁଟ୍‌ ହୋଇଥିବା ରୁପା ଅଳଙ୍କାର ଓ ୨ ଲକ୍ଷ ଟଙ୍କା ଜବତ କରାଯାଇଛି। ଦରକାର ପଡ଼ିଲେ ଆଉ ଥରେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

ରିପୋର୍ଟ- ଜୟପୁରରୁ ଟି.ଗୌରୀଶଙ୍କର

Loot Koraput