Advertisment

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଳିଲା ଇଡି ସମନ୍‌

ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କୁହାଯାଇଛି।

author-image
Niharika Rout
Hemant Soren

Hemant Soren

ବିରୋଧୀ ମେଣ୍ଟରେ ଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ଇଡି ସମନ । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଘେରିଛି ଇଡି। ଏହି ମାମଲାରେ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିବା ବେଳେ ହେମନ୍ତ ସୋରେନ ଏହାକୁ ଏଡ଼ାଇ ଯାଇଥିଲେ। ତେଣୁ ତାଙ୍କୁ ପୁଣି ଥରେ ସମନ ଜାରି କରାଯାଇ । ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

Advertisment

 ପୂର୍ବରୁ ଗତ ୧୪ ତାରିଖରେ ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ପଚରାଉଚରା ପାଇଁ ଡାକିଥିଲା ଇଡି। କିନ୍ତୁ କିଛି ଜରୁରୀ କାମ ଥିବା କହି ଇଡି ସମ୍ମୁଖରେ ହାଜର ହୋଇ ନ ଥିଲେ ହେମନ୍ତ ସୋରେନ । ଏହାପରେ ଇଡି ପକ୍ଷରୁ ତାଙ୍କୁ ପୁଣି ଥରେ ସମନ ଜାରି କରାଯାଇଛି।

ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଇଡି ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଡାକି ସାରିଛି। ଏହା ପୂର୍ବରୁ ୨୦୨୨ ମସିହା ନଭେମ୍ବରରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଅବୈଧ ଖନନ ମାମଲାରେ ଗୁଡ଼ାଇ ତୁଡ଼ାଇ ପଚରାଉଚରା କରିଥିଲା। ୨ ଭିନ୍ନ ମାମଲାରେ ଇଡି ଏବେ ହେମନ୍ତ ସୋରେନଙ୍କୁ ଘେରିଛି।

Advertisment

ଜମି ଦୁର୍ନୀତି ମାମଲାରେ ଏ ଯାବତ ୧୪ ଜଣ ଗିରଫ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ବହୁ ଜଣ ମୁଖ୍ୟମନ୍ତ୍ରୀଙ୍କ ଖାସ ଲୋକ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ରାଞ୍ଚିର ଚେଶାୟର ହୋମ ରୋଡରେ ଥିବା ସରକାରୀ ଓ ସେନାର ଜମିକୁ ମିଥ୍ୟା ଦଲିଲ ଦେଇ କିଣିବା ସହ ବିକିଥିବା ନେଇ ମାମଲା ରୁଜୁ ହୋଇଛି। ଏହାର ଯାଞ୍ଚ ହୋଇ ସେନା ଜମିକୁ ଅବୈଧ ରୂପେ କବଜା କରାଯାଇଥିବା ରିପୋର୍ଟ ଦିଆଯାଇଛି। ଏନେଇ ରାଞ୍ଚି ନଗର ନିଗମ ମାମଲା ରୁଜୁ କରିଥିବା ବେଳେ ପରେ ଏହା ଇଡି ହାତକୁ ଚାଲି ଯାଇଛି।

ବିରୋଧୀ ମେଣ୍ଟ ଗଠନ କରିଥିବା ଇଣ୍ଡିଆର ଜଣେ ସକ୍ରିୟ ଦଳ ହେଉଛି ଜେଏମଏମ। ଏହାର ମୁଖ୍ୟ ହେଉଛନ୍ତି ହେମନ୍ତ ସୋରେନ। ତେଣୁ ବିଜେପି ଏବେ ହେମନ୍ତଙ୍କୁ ଜାଣିଶୁଣି ହଇରାଣ କରିବାକୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି।

ED Raid Jharkhand Hemant Soren