Advertisment

ଚାକିରିକୁ ଦେଢ଼ ବର୍ଷ ପୂରିନି, ୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

ଲାଞ୍ଚ ନେଇ ଧରାପଡ଼ିବା ପରେ ଅଭିଯୁକ୍ତ ଜେଆରଏଙ୍କ ଦୁଇଟି ଠିକଣା ଉପରେ ଚଢ଼ାଉ କରିଛି ଭିଜିଲାନ୍ସ।

author-image
Jitendra Garnayak
Sourabh Tripathy

Sourabh Tripathy

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଲଗାତାର ଭାବେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ କରାଯାଉଛି ଓ ସେମାନଙ୍କୁ ଗିରଫ କରାଯାଉଛି। ସେହିପରି ଲାଞ୍ଚ ନେଲା ବେଳେ ବିଭିନ୍ନ ବିଭାଗର ବିଭିନ୍ନ ସ୍ତରର କର୍ମଚାରୀ ଓ ଅଧିକାରୀଙ୍କୁ ଗିରଫ କରାଯାଉଛି। ତଥାପି ଲାଞ୍ଚୁଆ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ବୋଧହୁଏ ଭୟ ଲାଗୁନି। ସେମାନେ ଲାଞ୍ଚ ନେବାରୁ ବିରତ ହେଉ ନାହାନ୍ତି। ଆଜି ଏଭଳି ଜଣେ ଲାଞ୍ଚୁଆ ଯୁବ ସରକାରୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କ ନାଁ ସୌରଭ ତ୍ରିପାଠୀ।

Advertisment

ଗିରଫ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସରେ ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଭାବେ ନିଯୁକ୍ତ ହୋଇଛନ୍ତି।

ଏକ ସାର୍ଟିଫିକେଟ୍‌ ମାମଲା ଦୀର୍ଘଦିନରୁ ପଡ଼ି ରହିଥିବା ବେଳେ ଫାଇଲ ପ୍ରୋସେସିଂ ପାଇଁ ଅଭିଯୋଗକାରୀଙ୍କ (ଭିଜିଲାନ୍ସରେ ଅଭିଯୋଗ କରିଥିବା ବ୍ୟକ୍ତି)ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଜେଆରଏ ସୌରଭ ତ୍ରିପାଠୀ।

Advertisment

କାମଟିକୁ କରିଦେବାକୁ ତାଙ୍କୁ ବାରମ୍ବାର ବହୁ ଅନୁରୋଧ କରିଥିଲେ ଅଭିଯୋଗକାରୀ। କିନ୍ତୁ ଶ୍ରୀ ତ୍ରିପାଠୀ ଆଦୌ ଶୁଣି ନଥିଲେ। ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ପ୍ରକାରେ ଆଜି ଅଭିଯୋଗକାରୀ ଶ୍ରୀ ତ୍ରିପାଠୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ସେମାନେ ଶ୍ରୀ ତ୍ରିପାଠୀଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି।

ଜେଆରଏ ଶ୍ରୀ ତ୍ରିପାଠୀଙ୍କୁ ନିଜ ହେପାଜତକୁ ନେବା ପରେ ଭିଜିଲାନ୍ସ ତାଙ୍କର ଦୁଇଟି ଠିକଣା ଉପରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ସୌରଭ ତ୍ରିପାଠୀ ସରକାରୀ ଚାକିରି କରିବାର ଦେଢ଼ ବର୍ଷ ପୂରିନି। ୨୦୨୪ ମାର୍ଚ୍ଚ ମାସରେ ସେ ଜେଆରଏ ଭାବେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ ନିଯୁକ୍ତି ପାଇଥିଲେ।

Bribe Odisha Vigilance