Sukanta Kumar Singh
୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ଦେଢ଼ ହଜାର ନେଇଥିଲେ। ଆଜି ଦ୍ୱିତୀୟ କିସ୍ତିରେ ଅଢ଼େଇ ହଜାର ନେବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ ଅଧିକାରୀ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ସରକାରୀ କର୍ମଚାରୀଙ୍କ ନାଁ ସୁକାନ୍ତ କୁମାର ସିଂହ। ସେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ସବ୍-ରେଜିଷ୍ଟ୍ରାରଙ୍କ ଅଫିସରେ କନିଷ୍ଠ କିରାଣି ଭାବେ ନିଯୁକ୍ତ ହୋଇଛନ୍ତି। ସୁକାନ୍ତଙ୍କ ସହିତ ତାଙ୍କର ଜଣେ ସହଯୋଗୀ (ସରକାରୀ ଚାକିରିଆ ନୁହନ୍ତି) ମହେନ୍ଦ୍ର ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି।
ଅଭିଯୋଗକାରୀ ଏକ ଟ୍ରଷ୍ଟ ବୋର୍ଡର ସଦସ୍ୟ। ଏକ ରେଜିଷ୍ଟର୍ଡ ଟ୍ରଷ୍ଟ ଡିଡ୍ ହସ୍ତାନ୍ତର କରିବା ପାଇଁ କନିଷ୍ଠ କିରାଣି ସୁକାନ୍ତ କୁମାର ସିଂହ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଗତ ୧୧ ତାରିଖରେ ସୁକାନ୍ତଙ୍କୁ ଦେଢ଼ ହଜାର ଟଙ୍କା ଦେଇଥିଲେ। କିନ୍ତୁ ପୂରା ୫ ହଜାର ଟଙ୍କା ନଦେଲେ କାମ ହେବନି ବୋଲି ସେ କହିଥିଲେ।
ଅନ୍ୟକୌଣସି ଉପାୟ ନପାଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ସେ ଆଜି କିରାଣି ସୁକାନ୍ତ କୁମାର ସିଂହଙ୍କୁ ଅଢ଼େଇ ହଜାର ଟଙ୍କା ଦେଇଥିଲେ। ଶ୍ରୀ ସିଂହ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଶ୍ରୀ ସିଂହଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।
ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଉଭୟ କନିଷ୍ଠ କିରାଣି ଶ୍ରୀ ସିଂହ ଓ ତାଙ୍କ ସହଯୋଗୀ ଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1752674415.jpg)