Advertisment

କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ

୩ଟି ବହୁତଳ କୋଠା, ୨ଟି ଫ୍ଲାଟ୍ ଓ ୧୪ଟି ପ୍ଲଟ ସହିତ ଅନ୍ୟାନ୍ୟ ସଂପତ୍ତି ଅଛି ଏହି ଖଣି ଅଧିକାରୀଙ୍କର।

author-image
Jitendra Garnayak
Padmanav Hota

Padmanav Hota

ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ଓ ଭବାନୀପାଟଣା ସ୍ଥିତ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ସେ ପୁଳା ପୁଳା ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।

Advertisment

କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କର ୩ଟି ବହୁତଳ କୋଠା ରହିଥିବା ବେଳେ ସେଥିରୁ ଗୋଟିଏ ଚାରି ମହଲା ବିଶିଷ୍ଟ ଯାହା ଭୁବନେଶ୍ୱରରେ ଅଛି। ତାଙ୍କର ୨ଟି ବେନାମୀ ଫ୍ଲାଟ୍‌ ଓ ୧୪ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ୧୪ଟି ପ୍ଲଟ୍ ମଧ୍ୟରୁ ୪ଟି କଟକ ଓ ଭୁବନେଶ୍ୱରରେ ଥିବା ବେଳେ ବାକି ୧୦ଟି ଯାଜପୁର ଜିଲ୍ଲାର ଦାନଗଦିରେ ଅଛି। କେନ୍ଦୁଝର ଜିଲ୍ଲା ଘଷିପୁର ତହସିଲର ମଦନପୁରରେ ତାଙ୍କର ଏକ ଫାର୍ମ ହାଉସ୍ ଅଛି ଯାହା ୫ ଏକର ଜାଗା ଉପରେ ରହିଛି। ଫାର୍ମ ହାଉସ୍‌ରେ ହୋଇଥିବା ନିର୍ମାଣ କାର୍ଯ୍ୟ ଓ ଅନ୍ୟାନ୍ୟ ସଂପତ୍ତିର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବ୍ୟାଙ୍କରେ ସେ ୫୩ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ତାଙ୍କ ଘରୁ ନଗଦ ୧ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କ ଘରୁ ୩୦୦ ଗ୍ରାମ ସୁନା ଅଳଙ୍କାର ମିଳିଥିବା ବେଳେ ତାଙ୍କର ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି।

ଏତେ ସଂପତ୍ତି ସେ କେମିତି ଠୁଳ କରିପାରିଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା। ସେଥିପାଇଁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

Advertisment

ସୂଚନାଯୋଗ୍ୟ, ଗତକାଲି ଭିଜିଲାନ୍ସ ପକ୍ଷରୁ ଶ୍ରୀ ହୋତାଙ୍କର କେନ୍ଦୁଝରର ଜଗନ୍ନାଥପୁର ସ୍ଥିତ ଦୁଇ ମହଲା ଘର, ଭୁବନେଶ୍ୱରର କୋରଡୋକଣ୍ଟା ସ୍ଥିତ ୪ ମହଲା କୋଠା, କେନ୍ଦୁଝରର ଘଷିପୁରା ତହସିଲର ମଦନପୁର ସ୍ଥିତ ଫାର୍ମ ହାଉସ୍, କେନ୍ଦୁଝରର ସ୍ଥିତ ଅଫିସ୍ ଚ୍ୟାମ୍ବର, ଭବାନୀପାଟଣାସ୍ଥିତ ଭଡ଼ା ଘର ସହିତ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବଳରାମପୁରରେ ତାଙ୍କ ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା।  

Vigilance Raid Vigilance Net