Advertisment

୧୫ ବର୍ଷ ପରେ ସାମ୍ବାଦିକ ସୌମ୍ୟାଙ୍କ ହତ୍ୟା ଘଟଣାରେ ଆସିଲା ରାୟ, ୫ ଦୋଷୀ ସାବ୍ୟସ୍ତ

ହେଡଲାଇନ୍ସ ଟୁଡେ ନାମକ ନ୍ୟୁଜ ଚ୍ୟାନେଲରେ ସୌମ୍ୟା କାମ କରୁଥିଲେ। ୨୦୦୮ ମସିହା ସେପ୍ଟେମ୍ବର ମାସରେ ସେ ଅଫିସରୁ କାମ ସାରି ଘରକୁ ଫେରୁଥିଲେ।

author-image
Hemant Lenka
Journalist

Journalist

ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ଘଟଣାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ୫ ଜଣଙ୍କୁ ଆଜି ଦିଲ୍ଲୀର ସାକେତ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

ଆଇପିସି ବ୍ୟତୀତ ସମସ୍ତଙ୍କୁ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜିଡ କ୍ରାଇମ ଆକ୍ଟ ଅନୁସାରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ହେଡଲାଇନ୍ସ ଟୁଡେ ନାମକ ନ୍ୟୁଜ ଚ୍ୟାନେଲରେ ସୌମ୍ୟା କାମ କରୁଥିଲେ।

୨୦୦୮ ମସିହା ସେପ୍ଟେମ୍ବର ମାସରେ ସେ ଅଫିସରୁ କାମ ସାରି ଘରକୁ ଫେରୁଥିଲେ। କିନ୍ତୁ ତାଙ୍କୁ ଦିଲ୍ଲୀର ନେଲସନ ମାଣ୍ଡେଲା ମାର୍ଗରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦିଲ୍ଲୀର ସାକେତ କୋର୍ଟ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ଅଜୟ କୁମାର, ବଲଜୀତ ମଲିକ ଓ ଅଜୟ ସେଠୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

ଆଜି ରାୟ ଆସିବା ପରେ ସୌମ୍ୟାଙ୍କ ମା’ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ଆମ ଝିଅ ଆଉ ନାହିଁ। କିନ୍ତୁ ଏପରି କାମ କରିବାକୁ ଅନ୍ୟମାନେ ରାୟ ଆସିବା ପରେ ପଛାଇବେ। ନଚେତ ବାରମ୍ବାର ଏପରି ଘଟଣା ଘଟି ଚାଲିଥିବ। ଅତି କମରେ ଗୋଟିଏ ଗ୍ୟାଙ୍ଗର ମୂଳପୋଛ ହେବ।”

୨୦୦୮ ମସିହା ସେପ୍ଟେମ୍ବର ୩୦ରେ ଯୁବ ସାମ୍ବାଦିକ ସୌମ୍ୟାଙ୍କ ମୃତଦେହ ତାଙ୍କ କାର ଭିତରୁ ମିଳିଥିଲା। ପ୍ରାଥମିକ ଭାବେ ଏହି ଘଟଣାକୁ କାର୍‌ ଦୁର୍ଘଟଣା ଜନିତ ମାମଲା ଭାବେ ବିବେଚନା କରାଯାଇଥିଲା। ହେଲେ ଫରେନ୍ସିକ ଯାଞ୍ଚ ପରେ ସୌମ୍ୟାଙ୍କ ମୁଣ୍ଡରେ ଗୁଳି ମାଡ଼ର ଚିହ୍ନ ଥିବା ଜଣାପଡ଼ିଥିଲା। ଫଳରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଥିଲା।

ପୁଲିସ୍‌ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ଯେ ଘଟଣା ଦିନ ସୌମ୍ୟାଙ୍କ କାର୍‌କୁ ଆଉ ଗୋଟିଏ ଗାଡ଼ି ଅନୁସରଣ କରୁଥିଲା। ତା’କୁ ଆଧାର କରି ପୁଲିସ୍‌ ରବି କପୁର ଓ ଅମିତ ଶୁକ୍ଳାକୁ ଧରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲେ। ପୂର୍ବରୁ ମଧ୍ୟ ଏହି ଦୁଇ ଜଣ ସମାନ ଢଙ୍ଗରେ ଗୋଟିଏ କଲ ସେଣ୍ଟର୍‌ର ଅଫିସରଙ୍କୁ ହତ୍ୟା କରିଥିଲେ।

ଜେରା ବେଳେ ଅମିତ ଓ ରବି ସେପ୍ଟେମ୍ବର ୩୦ରେ ସୌମ୍ୟାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏଥିସହ ଅଜୟ କୁମାର, ବଲଜୀତ ମଲିକ ଓ ଅଜୟ ସେଠୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା।

ପୁଲିସ୍‌ ୨୦୧୦ ମସିହା ଜୁନରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ସୌମ୍ୟାଙ୍କ ହତ୍ୟା ପଛରେ ଲୁଟ ହିଁ ଏକମାତ୍ର କାରଣ ଥିଲା ବୋଲି କହିଥିଲା। ସମସ୍ତଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରିଥିଲା। ୨୦୧୦ ନଭେମ୍ବର ମାସରୁ ଘଟଣାର ଶୁଣାଣି ଆରମ୍ଭ ହୋଇଥିଲା। ୨୦୧୬ ଜୁଲାଇ ମାସରେ ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରହିଥିଲା। ଆଜି ଘଟଣାରେ ଚୂଡ଼ାନ୍ତ ରାୟ ଆସିଛି। ସମସ୍ତ ଅଭିଯୁକ୍ତ ୨୦୧୦ରୁ ହିଁ ଜେଲରେ ଅଛନ୍ତି।

Delhi Crime Journalist Death News