Advertisment

ନକ୍ସଲ ନୁହେଁ, ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ଦମ୍ପତିଙ୍କୁ ହତ୍ୟା ପାଇଁ ଫୁଲବାଣୀରେ ରହୁଥିବା ଗୁମାନଦଣୀ ଗାଁ ସୁନୀଲ ଦିଗାଲଙ୍କୁ ନିୟୋଜିତ କରିଥିଲେ। ସେଥିପାଇଁ ତାଙ୍କୁ ଅଗ୍ରୀମ ୪୫ ହଜାର ଟଙ୍କା ଦେଇଥିଲେ।

Phulbani

Phulbani

Advertisment

ନକ୍ସଲ ନୁହେଁ। ଗୁଣି ଗାରେଡ଼ି ସନ୍ଦେହରେ ହୋଇଛି ଦମ୍ପତିଙ୍କୁ ହତ୍ୟା। କନ୍ଧମାଳ ଜିଲ୍ଲାରେ ଘଟିଥିଲା ଏଭଳି ବୀଭତ୍ସ ହତ୍ୟାକାଣ୍ଡ। ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଥିବା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।

Advertisment

ଗୁମାନଦଣୀ ଗାଁର ଡାହିରା କହଁର ଓ ତାଙ୍କ ପତ୍ନୀ ବତାଶି କହଁର ନିୟମିତ ଭାବେ ଦେବାଦେବୀଙ୍କୁ ପୂଜା କରନ୍ତି। ସେମାନଙ୍କ ପୂଜାକୁ ଗାଁ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ଦମ୍ପତି ଗୁଣି ଗାରେଡି କରୁଥିବା ଗାଁ ଲୋକେ ସନ୍ଦେହ କରୁଥିଲେ। ତେଣୁ ଦମ୍ପତିଙ୍କୁ ହଟାଇବା ପାଇଁ ଗାଁ ଲୋକେ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଗତ ୩ ତାରିଖରେ ବସିଥିଲା ଗୁପ୍ତ ବୈଠକ। ନିଷ୍ପତ୍ତି ଅନୁସାରେ ହତ୍ୟା ପାଇଁ ସୁପାରୀ କିଲର ନିୟୋଜିତ କରିଥିଲେ। ସୁପାରୀ କିଲର ଦେବା ପାଇଁ ଘର ପିଛା ୧୦ ହଜାର ଲେଖାଏଁ ଟଙ୍କା ଚାନ୍ଦା ଆଦାୟ କରିଥିଲେ।

ଦମ୍ପତିଙ୍କୁ ହତ୍ୟା ପାଇଁ ଫୁଲବାଣୀରେ ରହୁଥିବା ଗୁମାନଦଣୀ ଗାଁ ସୁନୀଲ ଦିଗାଲଙ୍କୁ ନିୟୋଜିତ କରିଥିଲେ। ସେଥିପାଇଁ ତାଙ୍କୁ ଅଗ୍ରୀମ ୪୫ ହଜାର ଟଙ୍କା ଦେଇଥିଲେ। ଯୋଜନା ମୁତାବକ ଗତ ୮ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ସୁନୀଲ୍‌ ଓ ଅଜୟ କହଁର ନାମକ ଜଣେ ଗାଁର ଯୁବକ ଡାହିରା କହଁରଙ୍କ ଘରକୁ ଯାଇଥିଲେ। ବିଭିନ୍ନ ବାହାନା କରି ଉଭୟଙ୍କୁ କାଲିବିହାରୀଗାଟା ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ହାତୁଡିରେ ପିଟି ପିଟି ହତ୍ୟା କରିଥିଲେ।

Advertisment

ହତ୍ୟାକାଣ୍ଡ ଭିଆଇବା ସୁନୀଲ୍‌ ଓ ଅଜୟ କହଁର ସେଠାରୁ ଚମ୍ପଟ ମାରିଥିଲେ। ନିଜର ରକ୍ତ ଭିଜା କନାକୁ ନିକଟସ୍ଥ ଜଙ୍ଗଲରେ ପକାଇ ଦେଇଥିଲେ। ସେହି ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ଦମ୍ପତିଙ୍କୁ ନକ୍ସଲମାନେ ହତ୍ୟା କରିଥିବା ପ୍ରଚାରିତ ହୋଇଥିଲା। ତେଣୁ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା। ପୁଲିସ୍‌ ମାମଲାର ଚଳାଇଥିବା ବେଳେ ଗାଁର ଭରତ ଦିଗାଲ୍‌ ଓ ସୁନୀଲ୍‌ ଦିଗାଲର ଗତିବିଧି ଉପରେ ନଜର ରଖିଥିଲା।

ପୁଲିସ୍‌ ପ୍ରଥମେ ଭରତ ଦିଗାଲ୍‌ ଓ ସୁନୀଲ୍‌କୁ ଅଟକ ରଖି ଜେରା କରିଥିଲା। ଜେରା ବେଳେ ସେ ସବୁ କଥା କହି ପକାଇଥିଲା। ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ଆଜି ଭୀମ କହଁର, ରିଙ୍ଗ କହଁର, ଉଗ୍ରସେନ୍‌ ଗହଁର, ନାଇବ କହଁର, ନାବସିଙ୍ଗ କହଁର, ବୃଷଭ କହଁର, ଗନ୍ଦରା କଅଁର ଓ ରୀନା କହଁରଙ୍କୁ ପୁଲିସ୍‌ ଗିରଫ କରିଛି। କିନ୍ତୁ ଅଜୟ ଫେରାର ଅଛି। ତାକୁ ଖୁବ୍‌ଶୀଘ୍ର ଗିରଫ କରାଯିବା ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Crime Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe