Advertisment

ପରକୀୟା ପ୍ରୀତିରେ ମାତି ଥିଲେ: ମୁହଁରେ ବାରୁଦ ରଖି ବିସ୍ଫୋରଣ କରିଦେଲା ପ୍ରେମିକ, ମାସେ ତଳୁ କରିଥିଲା ଯୋଜନା

ରୁମ ଭିତରେ ଯାହା ଘଟିଥିଲା, ସେସବୁ ଲୋମହର୍ଷଣକାରୀ ଥିଲା। ଦର୍ଶିତା ରକ୍ତରଞ୍ଜିତ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ମୁହଁ ପୂରା ଛିନଛତ୍ର ହୋଇ ଯାଇଥିଲା। ଏହାକୁ ଚିହ୍ନିବା ବେଶ କଷ୍ଟକର ଥିଲା।

author-image
Hemant Lenka
Mysore murder

Mysore murder

ଅଗଷ୍ଟ ୨୩ ତାରିଖ। ସମୟ ଦିନ ୨.୪୫। ଦର୍ଶିତା (୨୨) ଓ ପ୍ରେମିକ ସିଦ୍ଦରାଜୁ ବିଏନ (୨୨) ମହୀଶୂରର ସଲିଗ୍ରାମ ଠାରେ ଥିବା ଗୋଟିଏ ଲଜ୍‌କୁ ଯାଇଥିଲେ। ରୁମରେ ପହଞ୍ଚିବାର ୧୦ ମିନିଟ ପରେ ସିଦ୍ଦରାଜୁ ଓରଫ ଅପ୍ପୁ ଖାଇବା ଆଣିବା ପାଇଁ ବାହାରକୁ ଚାଲି ଆସିଥିଲେ। ୨୦ ମିନିଟ ପରେ ସେ ଲଜ୍‌ର ରୁମକୁ ଫେରିଥିଲେ। କିନ୍ତୁ ସେତେବେଳକୁ କବାଟ ଭିତରୁ ବନ୍ଦ ଥିଲା ଓ ଦର୍ଶିତା କୌଣସି ଜବାବ ଦେଉ ନଥିଲେ।

Advertisment

“ସେ ଆମକୁ କହିଥିଲେ ଯେ ଭିତରକୁ ଯାଇ ପାରୁ ନାହାନ୍ତି। ତେଣୁ ଆମେ ମାଷ୍ଟର ଚାବିରେ ଦ୍ୱାର ଖୋଲି ଥିଲୁ” ବୋଲି ଲଜର ଜଣେ କର୍ମଚାରୀ କହିଛନ୍ତି। ରୁମ ଭିତରେ ଯାହା ଘଟିଥିଲା, ସେସବୁ ଲୋମହର୍ଷଣକାରୀ ଥିଲା। ଦର୍ଶିତା ରକ୍ତରଞ୍ଜିତ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ମୁହଁ ପୂରା ଛିନଛତ୍ର ହୋଇ ଯାଇଥିଲା। ଏହାକୁ ଚିହ୍ନିବା ବେଶ କଷ୍ଟକର ଥିଲା। ଏହାକୁ ଦେଖି ପ୍ରେମିକ ସିଦ୍ଦରାଜୁ କାନ୍ଦି ପକାଇଥିଲେ। ସମ୍ଭବତଃ ମୋବାଇଲ ଫାଟିବା ଯୋଗୁ ଏପରି ହୋଇଥିବା ସିଦ୍ଦରାଜୁ କହିବା ସହ ଦର୍ଶିତାଙ୍କୁ ହସ୍ପିଟାଲ ନେଇଯିବାକୁ ଅନୁରୋଧ କରିଥିଲେ।

ହେଲେ ତାଙ୍କ ବ୍ୟବହାରକୁ ଦେଖି କର୍ମଚାରୀ ସନ୍ଦେହ କରିଥିଲେ। ଦର୍ଶିତା ପ୍ରାଣ ହରାଇ ସାରିଥିବା ସଂପୂର୍ଣ୍ଣ ଭାବେ ଜଣା ପଡ଼ୁଥିବା ବେଳେ ଲଜ ପକ୍ଷରୁ ପୁଲିସ୍‌କୁ ଖବର ଦିଆଯାଇ ସାରିଥିଲା। ତଥାପି ସିଦ୍ଦରାଜୁ ତରବରିଆ ଭାବେ ପ୍ରେମିକାଙ୍କୁ ହସ୍ପିଟାଲ ନେଇ ଯିବାକୁ ଚେଷ୍ଟା କରିଥିଲେ। ଏସବୁ ଭିତରେ ସଲିଗ୍ରାମ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ମାତ୍ର କିଛି ଘଣ୍ଟା ମଧ୍ୟରେ ସିଦ୍ଦରାଜୁଙ୍କ ଅସଲ ମୁଖା ଖୋଲି ଯାଇଥିଲା।

Advertisment

ତଦନ୍ତକାରୀ ଅଧିକାରୀ ଶଶି କୁମାର ଭି ଏସ୍‌ଙ୍କ କହିବା କଥା ଯେ ସିଦ୍ଦରାଜୁ ପୂରା ଡ୍ରାମା କରୁଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ସିଦ୍ଦରାଜୁ ହିଁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦର୍ଶିତାଙ୍କୁ ହତ୍ୟା କରିଥିଲେ। ପ୍ରଥମେ ସେ ତାଙ୍କ ହାତକୁ ବାନ୍ଧି ଦେଇଥିଲେ। ଏହାପରେ ଗୋଟିଏ ବିଦ୍ୟୁତ ଚାଲିକ ଡିଟୋନେଟର ତାଙ୍କ ମୁହଁରେ ଭର୍ତ୍ତି କରିଥିଲେ। ଏହାକୁ ସେ ମୋବାଇଲ ଚାର୍ଜରର ତାରରେ ବାନ୍ଧି ବିସ୍ଫୋରଣ କରାଇଥିଲେ।

ବିସ୍ଫୋରଣ ପରେ ଦର୍ଶିତାଙ୍କ ହାତକୁ ସେ ଖୋଲି ଦେଇଥିଲେ। ଏହାପରେ ସେ ରୁମରୁ ଖାଦ୍ୟ ଆଣିବା ବାହାନାରେ ଚାଲି ଯାଇ ବେଶ ଭଲ ଅଭନୟ କରିଥିଲେ। ରୁମର ଦ୍ୱାର ଆପେଆପେ ଭିତରୁ ବନ୍ଦ ହୋଇଯିବାର ବ୍ୟବସ୍ଥା ଥିବାରୁ ଏହା ସିଦ୍ଦରାଜୁଙ୍କୁ ଆହୁରି ସୁହାଇଥିଲା।

ଦର୍ଶିତା ବିଲିକେରେ ଓ ସିଦ୍ଦରାଜୁ ପେରିୟାପାଟନାର ମୂଳବାସିନ୍ଦା। ଦୁଇ ଗାଁ ମଧ୍ୟରେ ଦୂରତା ୪୦ କିମି। ଉଭୟ ସମ୍ପର୍କୀୟ ଓ ସେମାନଙ୍କ ପ୍ରେମ ସମ୍ପର୍କ ୭ ବର୍ଷ ତଳେ ଗଢ଼ି ଉଠିଥିଲା। କର୍ଣ୍ଣାଟକାର ସଲିଗ୍ରାମ ପୁଲିସ୍‌କୁ ଜଣାନଥିଲା ଯେ କେରଳର କନ୍ନୁର ଅନ୍ତର୍ଗତ କାରିକ୍କୋଟ୍ଟାକରି ପୁଲିସ୍‌ ଶୁକ୍ରବାର ରାତି ଅର୍ଥାତ ଅଗଷ୍ଟ ୨୨ରୁ ଦର୍ଶିତାଙ୍କୁ ଖୋଜୁଛି। କାରଣ ୨୨.୨୫ ଲକ୍ଷର ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷ ଟଙ୍କା ଧରି ଦର୍ଶିତା ତାଙ୍କ ସ୍ୱାମୀଙ୍କ ଘରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।

ସାଢ଼େ ୩ ବର୍ଷ ତଳେ ଦର୍ଶିତା କନ୍ନୁରର ପାଡିୟୋରରେ ରହୁଥିବା ବସ ଡ୍ରାଇଭର ସୁଭାଷ ଏପିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେ ଦୁବାଇରେ ଡ୍ରାଭର ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କର ୨ ବର୍ଷର ଶିଶୁ କନ୍ୟା ମଧ୍ୟ ରହିଛି। ଶୁକ୍ରବାର ସନ୍ଧ୍ୟାରେ ଗ୍ରାନାଇଟ ଖଣିରେ କାମ କରୁଥିବା ସୁଭାଷଙ୍କ ମା’ ସୁମତା ଓ ସାନ ଭାଇ ସରୋଜ ଘରକୁ ଆସିଲା ବେଳକୁ ଦର୍ଶିତା କିମ୍ବା ଛୋଟ ଝିଅ ଘରେ ନଥିଲେ। କିଛି ସମୟରେ କଲ ପରେ ସେମାନେ ଜାଣିବା ପାଇଥିଲେ ଯେ ଦର୍ଶିତା ଶାଶୁ ଘର ଠାରୁ ୧୨୦ କିମି ଦୂର ବିଲିକେରେ ସ୍ଥିତ ବାପ ଘରକୁ ଯାଇଛନ୍ତି।

ତେବେ ବିଳମ୍ବିତ ସନ୍ଧ୍ୟାରେ ସୁମତା ଜାଣିବାକୁ ପାଇଥିଲେ ଯେ ୨୪୦ ଗ୍ରାମର ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷ ଟଙ୍କା ଆଲମାରୀରେ ନାହିଁ। ସେ ତୁରନ୍ତ ଏନେଇ କାରିକ୍କୋଟ୍ଟାକରି ପୁଲିସରେ ଅଭିଯୋଗ କରିଥିଲେ। କାରିକ୍କୋଟ୍ଟାକରି ପୁଲିସ ଷ୍ଟେସନର ଏସଏଚଓ ବିନୟ କହିଛନ୍ତି, “ଶୁକ୍ରବାର ରାତି ଓ ଶନିବାର ଆମେ ଦର୍ଶିତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲୁ।

କର୍ଣ୍ଣାଟକାରେ ଥିବା ତାଙ୍କ ସମ୍ପର୍କୀମାନେ କହିଥିଲେ ଯେ ସେ କନ୍ନୁର ଫେରି ଯାଇଛନ୍ତି। ଦିନ ପ୍ରାୟ ୨.୩୦ରେ ସେ ବିରାଜପେଟରେ ପହଞ୍ଚିଥିବା ସମ୍ପର୍କୀୟ କହିଥିଲେ। କିନ୍ତୁ ଏହାପରେ ତାଙ୍କ ଫୋନ ଆଉ ଜଣେ କିଏ ଉଠାଇଥିଲେ ଓ ପରେ ଏହା ସୁଇଚ ଅ‍ଫ ହୋଇଯାଇଥିଲା। ସେହିଦିନ ରାତିରେ ଗୋଟିଏ ପୁଲିସ୍‌ ଟିମକୁ ଦର୍ଶିତାଙ୍କ ଗାଁକୁ ପଠା ଯାଇଥିଲା। ଆମେ ଯେତେବେଳେ ସକାଳୁ ଗାଁରେ ପହଞ୍ଚିଥିଲୁ ସେତେବେଳେ ଆମକୁ କୁହାଯାଇଥିଲା ଯେ ଗୋଟିଏ ଲଜରେ ଦର୍ଶିତାଙ୍କୁ ହତ୍ୟା କରାଯାଇଛି।”

ଏଯାଏ ଦର୍ଶିତା ସୁନା ଅଳଙ୍କାର ଓ ଟଙ୍କା ଚୋରିର ଅଭିଯୁକ୍ତ ନୁହନ୍ତି। କାରଣ କୌଣସି ସୁନା କିମ୍ବା ଟଙ୍କା ତାଙ୍କ ଘରୁ ମିଳି ନଥିଲା। କର୍ଣ୍ଣାଟକା ପୁଲିସ୍‌ ମଧ୍ୟ ସିଦ୍ଦରାଜୁ ଠାରୁ କିଛି ପାଇ ନଥିବା କହିଥିଲା। ଏବେ କେରଳ ପୁଲିସ୍‌ ସିଦ୍ଦରାଜୁଙ୍କୁ ହେପାଜତକୁ ଆଣି ଚୋରି ମାମଲାର ତଦନ୍ତ କରିବ ବୋଲି ବିନୟ କହିଛନ୍ତି।

ମାସକୁ ତଳକୁ ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର

ସଲିଗ୍ରାମ ପୁଲିସ୍‌ ହତ୍ୟା ମାମଲାର ତଦନ୍ତ କରୁଛି। ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାଣ୍ଡର ଯୋଜନା ମାସକୁ ତଳୁ ଆରମ୍ଭ ହୋଇଥିଲା। ସିଦ୍ଦରାଜୁ ହେଉଛନ୍ତି ଜଣେ ସିମେଣ୍ଟ ଡିଲର। ତାଙ୍କ ପେରିୟାପାଟନାରେ ହୋଇଥିବା ବେଳେ ଏହି ଅଞ୍ଚଳରେ ଅନେକ ଗ୍ରାନାଇଟ ଖଣି ରହିଛି। ସେ ଭଲ ଭାବେ ଜାଣିଥିଲେ ଯେ ଡିଟୋନେଟର କେମିତି କାମ କରେ ଓ ଏହାକୁ କେମିତି ତିଆରି କରାଯାଏ। ସେ ଗୋଟିଏ ପୁରୁଣା ଚାର୍ଜର ଦ୍ୱାରା ଡିଟୋନେଟର ତିଆରି କରିଥିଲେ। ପ୍ରାୟ ମାସକ ତଳେ ଏହାକୁ ତିଆରି କରାଯାଇଥିଲା। ଶନିବାର ଦର୍ଶିତା ଝିଅକୁ ବାପା ମା’ଙ୍କ ଘରେ ଛାଡ଼ି ସକାଳୁ ସିଦ୍ଦରାଜୁଙ୍କ ସହ ସଲିଗ୍ରାମ ସହରକୁ ଚାଲି ଆସିଥିଲେ।

ଦିନ ୨.୪୫ରେ ସେମାନେ ଲଜରେ ଚେକଇନ କରିଥିଲେ। ଏହି ସମୟରେ ଦର୍ଶିତା ଅସୁସ୍ଥ ଅନୁଭବ କରିବା ସହ ଭୋକ ଲାଗୁଥିବା କହିଥିଲେ। ତେବେ ଏହାର କିଛି ମିନିଟ ପୂର୍ବରୁ ରୁମ ଚେକ କରିବା ନାଁରେ ସିଦ୍ଦରାଜୁ ଆଗୁଆ ଭିତରେ ପ୍ରବେଶ କରିଥିଲେ। ସେ ତାର ଓ ଡିଟୋନେଟର ଭିତରେ ରଖି ଦେଇଥିଲେ। ୪ ମିନିଟ ପରେ ସେ ଦର୍ଶିତାଙ୍କୁ ଭିତରକୁ ଆଣିଥିଲେ ଓ ୧୦ ମିନିଟ ପରେ ଖାଇବା ଆଣିବା ବାହାନାରେ ବାହାରକୁ ଚାଲି ଯାଇଥିଲେ। ରୁମରେ ପଶିବା ମାତ୍ରେ ସିଦ୍ଦରାଜୁ ପ୍ରେମିକା ଦର୍ଶିତାଙ୍କୁ ହତ୍ୟା କରିଥିଲା। ୨.୫୩ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍‌ ଜାଣିବାକୁ ପାଇଛି।

ପୁଲିସ୍‌ର କହିବା କଥା ଯେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ବାହାଘର ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କ ଥିଲା। ବାହାଘର ପରେ ମଧ୍ୟ ଉଭୟ ଘଣ୍ଟାଘଣ୍ଟା ଧରି ଗପୁ ଥିଲେ। ଦର୍ଶିତାଙ୍କ ଠାରୁ ସିଦ୍ଦରାଜୁ ୮୦ ହଜାର ଟଙ୍କା ଋଣ କରିଥିଲେ। ଏହାକୁ ଫେରସ୍ତ କରିବା ପାଇଁ ଦର୍ଶିତା ବାରମ୍ବାର ଚାପ ପକାଉଥିଲେ। ଏହାବାଦ ଦର୍ଶିତା ଦୁବାଇ ଯାଇ ସ୍ୱାମୀଙ୍କ ପାଖରେ ରହିବାକୁ ଯୋଜନା କରୁଥିଲେ।

ସମ୍ଭବତଃ ଏହି ସବୁ କାରଣ ପାଇଁ ସିଦ୍ଦରାଜୁ ପ୍ରେମିକା ଦର୍ଶିତାଙ୍କୁ ମାରିଥିବା ସନ୍ଦେହ କରାଯାଉଛି। ଏଥିରେ ସ୍ପଷ୍ଟତା ଆସିତ ସତ, କିନ୍ତୁ ଏହି ହତ୍ୟାକାଣ୍ଡ ଦୁଇ ରାଜ୍ୟରେ ରହୁଥିବା ଦୁଇ ପରିବାରକୁ ସ୍ତବ୍ଧ କରିଦେଇଛି। ପୁଲିସ୍‌ ଏବେ ହତ୍ୟାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି।

Murder Karnataka Crime Kerala