Advertisment

ପରକୀୟା ପ୍ରୀତିରୁ ଯୁବକଙ୍କୁ ଧରି ବିରୂପା ନଦୀକୁ ଫିଙ୍ଗି ଦେଲେ

ମୃତ ଯୁବକ ହେଉଛନ୍ତି ମଣ୍ଟୁ ମଲ୍ଲିକ। ପେଶାରେ ସେ ଜଣେ ଟ୍ରାକ୍ଟର ଡ୍ରାଇଭର। ସେ ତାଙ୍କ ସାଙ୍ଗ ଯାଜପୁର କୃଷ୍ଣନଗର ଅଞ୍ଚଳର ଦୀପୁ ଜେନାଙ୍କ ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା।

author-image
Manoranjan Sial
Accuse

Accuse

ପରକୀୟା ପ୍ରୀତିରୁ ଯୁବକଙ୍କୁ ଧରି ବିରୂପା ନଦୀକୁ ଫିଙ୍ଗିଦେଲେ। ଏପରି ଅଭିଯୋଗ କେନ୍ଦ୍ରାପଡ଼ାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଆଉ ଯେଉଁମାନଙ୍କର ଏହି ଘଟଣାର ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି।

Advertisment

ମୃତ ଯୁବକ ହେଉଛନ୍ତି ମଣ୍ଟୁ ମଲ୍ଲିକ। ପେଶାରେ ସେ ଜଣେ ଟ୍ରାକ୍ଟର ଡ୍ରାଇଭର। ସେ ତାଙ୍କ ସାଙ୍ଗ ଯାଜପୁର କୃଷ୍ଣନଗର ଅଞ୍ଚଳର ଦୀପୁ ଜେନାଙ୍କ ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଦୀପୁଙ୍କ ଘରେ ଅଶାନ୍ତିର ଝଡ଼ ବୋହିଥିଲା। ପରିବାର ଭିତରେ ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ତେବେ ଅଗଷ୍ଟ ୧୪ ତାରିଖ ସକାଳେ କୌଣସି କାମରେ ଦୀପୁଙ୍କ ଘରକୁ ମଣ୍ଟୁ ଯାଇଥିଲେ। ଆଉ ତାଙ୍କ ପତ୍ନୀଙ୍କ ସହିତ କଥା ହେଉଥିଲେ। ଯେଉଁ ଲୋକ ପାଇଁ ଘରେ ଅଶାନ୍ତିର ସୃଷ୍ଟି ହେଉଛି, ସେହି ବ୍ୟକ୍ତି ବୋହୂଙ୍କ ସହିତ କଥା ହେଉଥିବା ଦେଖି ତାତି ଯାଇଥିଲେ ଦୀପୁଙ୍କ ବାପା ଟିକିଲି ଜେନା। ଆଉ ମଣ୍ଟୁଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ ମାଡ଼ ମାରିଥିଲେ। ମାଡ ଖାଇବା ପରେ ମଣ୍ଟୁ ସେଠାରୁ ପଳାଇ ଆସିଥିଲେ।

ମଣ୍ଟୁ ଇନ୍ଦୁପୁର ଛକରେ ବୁଲୁଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ସେ ସେହି ଛକରେ ବୁଲୁଥିବା ବେଳେ ଟିକିଲି ଜେନାଙ୍କୁ ଦେଖି ମାଡ଼ ମାରିଥିଲେ। ଟିକିଲି ଘଟଣା ସ୍ଥଳରୁ ତାଙ୍କର ଦୁଇ ପୁଅ ଲିଟୁନା ଓ ବଣ୍ଟିକୁ ଫୋନ କରି ଡାକିଥିଲେ। ବାପ ଓ ଦୁଇ ପୁଅ ମିଶି ମଣ୍ଟୁଙ୍କୁ ମାଡ ମାରିଥିଲେ। ପରେ ତାଙ୍କୁ କୃଷ୍ଣନଗର ନେଇଯାଇଥିଲେ। ସେଠାରେ ଅନ୍ୟ ଦୁଇ ଜଣଙ୍କ ସହ ମିଶି ପୁଣି ମଣ୍ଟୁଙ୍କୁ ମାଡ଼ ମାରିଥିଲେ। ତା’ପରେ ତାଙ୍କୁ ଜୀବନ୍ତ ଅବସ୍ଥାରେ ବ୍ରିଜ୍‌ ଉପରୁ ବ୍ରହ୍ମଣୀର ଶାଖା ନଦୀ ବିରୂପାକୁ ଫିଙ୍ଗି ଦେଇଥିଲେ।

Advertisment

ଅଗଷ୍ଟ ୧୫ ତାରିଖରେ ବ୍ରାହ୍ମଣୀ ନଦୀରୁ ମଣ୍ଟୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ମଣ୍ଟୁ ମଲ୍ଲିକଙ୍କ ଭାଇ ଶରତ ମଲ୍ଲିକଙ୍କ ଅଭିଯୋଗ କ୍ରମେ ନିକିରାଇ ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି ହତ୍ୟା ଘଟଣାରେ ପୁଲିସ୍‌ ଦୀପୁଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟିକିଲି ଜେନା, ଟିକିଲିଙ୍କ ପୁଅ ଲିଟୁନା ଜେନା ଓ ବଣ୍ଟି ଜେନା, ଟିକିଲିଙ୍କ ସମ୍ପର୍କୀୟ ଦୀପୁ ଜେନା, ଅଶ୍ୱିନୀ ଜେନା ଓ କିଶୋର ଜେନା। ସମସ୍ତ ଅଭିଯୁକ୍ତ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Crime Kendrapara