Advertisment

ଗାର୍ଲଫ୍ରେଣ୍ଡଙ୍କ ସହ ପରିବାରର ୫ ଜଣଙ୍କୁ କାହିଁକି ନିର୍ମମ ଭାବେ ହତ୍ୟା କଲେ ଯୁବକ?

ପୁଲିସ୍‌କୁ ସେ ତାଙ୍କ ମା’ ଓ ଭାଇଙ୍କ ସମେତ ୬ ଜଣଙ୍କୁ ହତ୍ୟା କରିଥିବା କହିଥିଲେ। ସେ ନିଜେ ମଧ୍ୟ ମୂଷା ମରା ଔଷଧ ଖାଇ ଦେଇଥିବା ଜଣାଇଥିଲେ।

author-image
Hemant Lenka
Afan

Afan

ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ୨୩ ବର୍ଷୀୟ ଯୁବକ। ସେ ନିଜର ଗାର୍ଲଫ୍ରେଣ୍ଡଙ୍କ ସମେତ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। କେରଳର ଥିରୁଅନନ୍ତପୁରମରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଞ୍ଜାରାମୁଡୁ ନିକଟ ପେରୁମାଲାରେ ରହୁଥିବା ୨୩ ବର୍ଷୀୟ ଅଫାନ ୫ ଜଣଙ୍କୁ ମାରିବା ପରେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Advertisment

ପୁଲିସ୍‌କୁ ସେ ତାଙ୍କ ମା’ ଓ ଭାଇଙ୍କ ସମେତ ୬ ଜଣଙ୍କୁ ହତ୍ୟା କରିଥିବା କହିଥିଲେ। ସେ ନିଜେ ମଧ୍ୟ ମୂଷା ମରା ଔଷଧ ଖାଇ ଦେଇଥିବା ଜଣାଇଥିଲେ। ତେବେ ପୁଲିସ୍‌ ୫ ଜଣଙ୍କ ମୃତ୍ୟୁଦେହ ଜବତ କରିଥିବା ବେଳେ ଗୁରୁତର ଅବସ୍ଥାରେ ଅଫାନଙ୍କ ମା’ଙ୍କୁ ଘରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ଥିରୁଅନନ୍ତପୁରମ(ଗ୍ରାମୀଣ)ର ପୁଲିସ୍‌ ମୁଖ୍ୟ ସୁଦର୍ଶନ କେଏସ୍‌ କହିଛନ୍ତି ଯେ ଅଫାନ ଓ ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଏଥିପାଇଁ ଅଫାନ ଏତେ ଭୟଙ୍କର କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଘଟଣାକୁ ସବୁ ଦିଗରୁ ତଦନ୍ତ କରାଯାଉଛି। ପୂରା ଘଟଣା ୨ଟି ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ୩ଟି ସ୍ଥାନରେ ଘଟିଛି।

Advertisment

ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅଫାନ ୫ ଜଣଙ୍କୁ ମାରିଛନ୍ତି ଓ ଆକ୍ରମଣରେ ତାଙ୍କ ମା’ ଗୁରୁତର ଆହତ ହୋଇଛନ୍ତି। ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ୩ଟି ସ୍ଥାନରୁ ଜବତ କରାଯାଇଛି। ଅଭିଯୁକ୍ତ ଅଫାନ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅଫାନ ତାଙ୍କ ସାନ ଭାଇ, ଜେଜେ ମା’, ବଡ଼ ବାପା, ବଡ଼ ବୋଉ ଓ ନିଜର ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିଛନ୍ତି। ଅଫାନ ପୁଲିସ୍‌କୁ କହିଛନ୍ତି ଯେ ତାଙ୍କ ବାପା ଗଲ୍ଫ ଦେଶରେ ବ୍ୟବସାୟୀ କରନ୍ତି। ତାଙ୍କ ବାପା ଜଣେ ଏନଆରଆଇ। ବେଶ କିଛି ଦିନ ହେବା ବାପାଙ୍କ ବ୍ୟବସାୟରେ କ୍ଷତି ହୋଇ ଚାଲିଛି। ପୂରା ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଥିବା ବେଳେ ଅଫାନ ଏଠାରେ ଟଙ୍କା ଯୋଗାଡ଼ କରିବାରେ ଲାଗିଥିଲେ। କିନ୍ତୁ ତାଙ୍କୁ କିଛି ବି ଲାଭ ମିଳି ନଥିଲା।

ଦିନକୁ ଦିନ ପରିବାର ଲୋକ ଓ ଗାର୍ଲଫ୍ରେଣ୍ଡଙ୍କ ଡିମାଣ୍ଡ ଯୋଗୁ ତାଙ୍କ ମୁଣ୍ଡ ଉପରେ ଋଣ ଭାର ବଢ଼ି ଚାଲିଥିଲା। ତେଣୁ ସେ ନିଜ ସହ ସମସ୍ତଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ସୋମବାର ସକାଳୁ ନିଜର ଅଭିଯାନ ଆରମ୍ଭ କରିଥିଲେ। ବେଞ୍ଜାରାମୁଡୁର ୩ଟି ସ୍ଥାନରେ ସେ ୫ ଜଣଙ୍କୁ ମାରିବା ପରେ ସନ୍ଧ୍ୟା ବେଳେ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ। ପୁଲିସ ତାଙ୍କ ଠାରୁ ୬ ଜଣଙ୍କୁ ହତ୍ୟା କରିଥିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା।

ତେବେ ଏହି ସମୟରେ ପେରୁମାଲା ସ୍ଥିତ ଘରେ ଅଫାନଙ୍କ ମା’ ଶେମ୍ମି ଜୀବନ ସହ ସଂଘର୍ଷ କରୁଥିବା ପୁଲିସ୍‌ ଦେଖିବାକୁ ପାଇଥିଲା। ମୁଣ୍ତରେ ଗଭୀର ଆଘାତ ଲାଗିଥିବାରୁ ପୁଲିସ୍‌ ଶେମ୍ମିଙ୍କୁ ଥିରୁଅନନ୍ତପୁରମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଶେମ୍ମି କର୍କଟ ରୋଗରେ ମଧ୍ୟ ଆକ୍ରାନ୍ତ। ‍ଅଫାନଙ୍କ ୧୩ ବର୍ଷୀୟ ସାନ ଭାଇ ଅଫସାନ ଓ ଅଫାନଙ୍କ ଗାର୍ଲଫ୍ରେଣ୍ଡଙ୍କ ମୃତଦେହକୁ ମଧ୍ୟ ପୁଲିସ୍‌ ଘର ଭିତରୁ ଠାବ କରିଛି।

ପାନଗୋଡେ ସ୍ଥିତ ଘରୁ ଅଫାନଙ୍କ ୮୦ ବର୍ଷୀୟ ଜେଜେ ମା’ ସଲମା ବିବିଙ୍କ ମୃତଦେହ ମିଳିଥିବା ବେଳେ ଚୁଲ୍ଲାଡ ସ୍ଥିତ ଘରୁ ବଡ଼ ବାପା ଲତିଫ ଓ ତାଙ୍କ ପତ୍ନୀ ଶାହିଦାଙ୍କ ମୃତଦେହ ପୁଲିସ ଠାବ କରିଛି। ଅଫାନ ମୂଷା ମରା ଔଷଧ ଖାଇ ଦେଇଥିବା ଦାବି କରିବାରୁ ପୁଲିସ୍‌ ତାଙ୍କୁ ଥିରୁଅନନ୍ତପୁରମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛି।

ପୁଲିସ୍‌ ଷ୍ଟେସନ ଯିବା ପୂର୍ବରୁ ଅଫାନ ଘରରେ ଥିବା ଏଲପିଜି ସିଲିଣ୍ଡରକୁ ଖୋଲି ଦେଇଥିଲେ। ସେହିପରି ଘଟଣା ପୂର୍ବରୁ ସେ ନିଜ ସାନ ଭାଇଙ୍କୁ ଗୋଟିଏ ଭଲ ହୋଟେଲକୁ ନେଇଥିଲେ ଓ ଭାଇର ଇଚ୍ଛାରେ ଖାଇବା କିଣିଥିଲେ। ବାପାଙ୍କ ଋଣକୁ ନେଇ ପରିବାରରେ କିଛି ବିବାଦ ଲାଗି ରହିଥିଲା। ଋଣ ଭାର ବଢ଼ୁଥିବା ବେଳେ ସମ୍ପର୍କୀୟମାନେ ସହଯୋଗ କରିବାକୁ ମନା କରି ଦେଇଥିଲେ। ଏହି କାରଣ ପାଇଁ ଅଫାନ ଏତେ ବଡ଼ କାଣ୍ଡ ଘଟାଇଥିବା କୁହାଯାଉଛି।

Crime Kerala Thiruvananthapuram