Advertisment

କର୍ଣ୍ଣିସେନା ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା: ୩୧ଟି ସ୍ଥାନରେ ରେଡ୍‌ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଗତମାସରେ ଗୋଗାମେଡିଙ୍କୁ ରାଜସ୍ଥାନର ଜୟପୁର ସ୍ଥିତ ତାଙ୍କ ଘର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ଏଯାଏ ୯ ଜଣଙ୍କୁ ଗିରଫ କରି ସାରିଲାଣି।

author-image
Hemant Lenka
NIA

NIA

କର୍ଣ୍ଣିସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ୍‌। ହତ୍ୟାକାଣ୍ଡ ପଛରେ ଥିବା ଅଶୋକ ମେଘୱାଲକୁ ପୁଲିସ୍‌ ୩୧ଟି ସ୍ଥାନରେ ରେଡ କରିବା ପରେ ଗିରଫ କରିଛି।

Advertisment

ଗତମାସରେ ଗୋଗାମେଡିଙ୍କୁ ରାଜସ୍ଥାନର ଜୟପୁର ସ୍ଥିତ ତାଙ୍କ ଘର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ଏଯାଏ ୯ ଜଣଙ୍କୁ ଗିରଫ କରି ସାରିଲାଣି।

ଆଜି ରାଜସ୍ଥାନର ପିଲାନିରେ ଥିବା ଗୋଟିଏ ଗାଁରେ ଏନଆଇଏ ପ୍ରାୟ ୧୦ ଘଣ୍ଟା ଧରି ରେଡ କରିଥିଲେ। ସେହିପରି ରାଜସ୍ଥାନ ଓ ହରିୟାଣର ୩୧ଟି ସ୍ଥାନରେ ମଧ୍ୟ ଏନଆଇଏ ଯାଞ୍ଚ କରିଥିଲା। ଏହାପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମେଘୱାଲକୁ ଗିରଫ କରାଯାଇଛି।

Advertisment

ରେଡ ବେଳେ ବିପୁଳ ପରିମାଣର ପିସ୍ତଲ, ଗୁଳିଗୋଳା, ଡିଜିଟାଲ ଡିଭାଇସ ସମେତ ଏକାଧିକ ମୋବାଇଲ ଫୋନ, ସିମ କାର୍ଡ ଓ ଡିଭିଆର ମଧ୍ୟ ଜବତ କରାଯାଇଛି। ଏହାବାଦ ବେଆଇନ ଆର୍ଥିକ କାରବାର ସମ୍ପର୍କିତ କିଛି ଦସ୍ତାବିଜ ମଧ୍ୟ ଏନଆଇଏ ଠାବ କରିଛି।

ଜଣେ ଅଧିକାରୀ କହିଛନ୍ତି, ରେଡ ବେଳେ ଅଶୋକ ମେଘୱାଲର ପାଖରୁ ୮ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ସେହିପରି ଜେରା ବେଳେ ତା’ ଠିକଣାରୁ ଆଉ ୨୨ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ମେଘୱାଲ ନିୟମିତ ଭାବେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଲିଙ୍କରେ ଥିଲା। ରୋହିତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ। ଗୋଗାମେଡି ହତ୍ୟାକାଣ୍ଡ ପାଇଁ ରୋହିତ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା।

ଡିସେମ୍ବର ୫ରେ ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ ଏହି ଘଟଣା ଘଟିଥିଲା। ସୁଖଦେବ ସିଂହ ନିଜ ଘରେ ସୋଫାରେ ବସିଥିବା ବେଳେ ତାଙ୍କ ସାମ୍ନା ଆଉ ୪ ଜଣ ବସି ରହିଥିଲେ। କଥାବାର୍ତ୍ତା ମଝିରେ ୪ ଜଣଙ୍କ ମଧ୍ୟରୁ ୨ ଜଣ ଯୁବକ ହଠାତ୍ ଉଠି ପଡ଼ି ତାଙ୍କ ଉପରକୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ ସୁଖଦେବ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହୋଇଥିଲା।

ସୁଖଦେବଙ୍କ ସହଯୋଗୀମାନେ ଗୁଳି ମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ୩ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ନବୀନ ସିଂହ ଶେଖାୱତ ଦେହରେ ଗୁଳିମାଡ଼ ହୋଇଥିଲା। ଏଥିଯୋଗୁ ତା’ର ମୃତ୍ୟୁ ମଧ୍ୟ ହୋଇଥିଲା। ଘଟଣା ପରେ ରୋହିତ ଗୋଟିଏ ଭିଡିଓ ଜାରି କରି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।

ପୁଲିସ୍‌ର କହିବା କଥା ଯେ ରୋହିତ ରାଜସ୍ଥାନରେ ଥିବା ବଡ଼ବଡ଼ ବ୍ୟବସାୟୀଙ୍କ ଠାରୁ ୫ରୁ ୧୭ କୋଟି ଟଙ୍କା ମଧ୍ୟରେ ବଟି ଆଦାୟ କରେ। ଗତବର୍ଷ ଜୁନ ୧୩ରେ ସେ ନକଲି ପାସପୋର୍ଟ ଦ୍ୱାରା ନିଜକୁ ପବନ କୁମାର ଭାବେ ପରିଚୟ ଦେଇ ଦୁବାଇ ଚାଲି ଯାଇଛି। ସେଠାରେ ରହି ସେ ତା’ର ନେଟୱର୍କ ଭାରତରେ ଚଳାଇଛି।

Murder Rashtriya Rajput Karni Sena