/odisha-reporter/media/post_attachments/uploadimage/library/16_9/16_9_0/murder_1698910859.jpg)
murder
ଜଟଣୀ ବେଣାପଞ୍ଜରୀ ଗାଁର ନବମ ଛାତ୍ର ଶୁଭମ ପାଲଟାସିଂଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଶୁଭମଙ୍କୁ ବକେୟା ଟିଉସନ୍ ଫି’ ପାଇଁ ହତ୍ୟା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିବା ବେଳେ ଅନ୍ୟପକ୍ଷରେ ମୃତ ଛାତ୍ରଙ୍କ ବାପା ମନୋଜ ପାଲଟାସିଂ ଡିସିପିଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି, ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ।
ମୃତ ଛାତ୍ରଙ୍କ ବାପା କହିଛନ୍ତି, ଟିଉସନ୍ ଫି’ ପାଇଁ ମୋ ପୁଅକୁ ହତ୍ୟା କରାଯାଇ ନାହିଁ। ଏଗୁଡ଼ାକ ସବୁ ମିଛ କଥା। ମୁଁ କାହାକୁ ଟିଉସନ୍ ଫି’ ମାଗେ ନାହିଁ। ସଂପୃକ୍ତ ଛାତ୍ରକୁ ମୁଁ କାହିଁକି ଟିଉସନ୍ ଫି ମାଗିବି? ଦୂର ସଂପର୍କୀୟ ଚିହ୍ନା ପରିଚିତ ହୋଇଥିବାରୁ କେବେ ବି ଟଙ୍କା ମାଗିନି। ସେ ତା’ର ଟିଉସନ ଫି କେତେ ଦିଏ, ଆଉ କେତେ ବାକି ରୁହେ ନିଜେ ହିସାବ କରି ରଖେ। ମୁଁ ତ କାହାରିକୁ ପଇସା ମାଗେ ନାହିଁ ତାକୁ କିପରି ମାଗିବି? ସଂପୃକ୍ତ ଛାତ୍ର ଜଣକ ପ୍ରାୟ ୨ ବର୍ଷ ପୂର୍ବେ ମୋ ପାଖରେ ଟିଉସନ ହେଉଥିଲା।
ସେ ଆହୁରି କହିଛନ୍ତି, ମୋ ପୁଅ ଭଲ ପଢ଼େ। ମୋର ବା ମୋ ପୁଅର କେହି ଶତ୍ରୁ ନାହାନ୍ତି। ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି। ସାମାନ୍ୟ ଟଙ୍କା ୩ ହଜାର ପାଇଁ ମୋ ପୁଅକୁ ହତ୍ୟା କରାଯାଇଥିବା କଥା ବିଶ୍ୱାସ ହେଉନାହିଁ। ଡିସିପି ଯାହା କହୁଛନ୍ତି ମୁଁ ତାଙ୍କ କଥାକୁ ଆଦୌ ଗ୍ରହଣ କରିପାରୁନି। ଘଟଣା ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ। ଏହି ଘଟଣାରେ ଏକାଧିକ ଲୋକଙ୍କର ସଂପୃକ୍ତି ରହିଛି ଏଥିପାଇଁ ସିବିଆଇ ତଦନ୍ତ ହେଉ, ପ୍ରକୃତ ସତ ସାମ୍ନାକୁ ଆସିବ।
ଅନ୍ୟପକ୍ଷରେ ଅଭିଯୁକ୍ତ ଯୁକ୍ତ ଦୁଇ ଛାତ୍ରର ମାମୁ ସୌମ୍ୟରଂଜନ ଗୁରୁ ପୁଲିସର କଥାକୁ ବିଶ୍ୱାସ କରି ନାହାନ୍ତି। ସେ କହିଛନ୍ତି, ମୁଁ ନେଇ ମନୋଜ ସାର୍ଙ୍କ ପାଖରେ ମୋ ଭଣଜାକୁ ଟିଉସନ୍ ପଢ଼ାଉଥିଲି। ସାର୍ ଯଦି ପଇସା ମାଗିଥାନ୍ତେ ମୋତେ ମାଗିଥାନ୍ତେ, ତାକୁ ନୁହେଁ। ସାର୍ ବହୁତ ଭଦ୍ରଲୋକ। ଟିଉସନ୍ ଫି’ କେବେ ମାଗି ନଥିବେ। ପୁଲିସ ମିଛ କହୁଛି, ଟିଉସନ୍ ଫି’ ନେଇ ହତ୍ୟା ହୋଇନଥିବ। ଏହା ପଛରେ ଆଉ କିଛି କାରଣ ଓ ଆଉ କିଛି ଲୋକ ଥିବେ। ଘଟଣାର ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ।
ସୂଚନାଯୋଗ୍ୟ, ଗତକାଲି ଶୁଭମ ଏକୁଟିଆ ରୁମ୍ରେ ବସି ପାଠ ପଢ଼ୁଥିବା ବେଳେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ପରିବାର ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା। ପାଖରେ ଗୋଟିଏ ଛୁରୀ ପଡ଼ିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
