ଗତ ରାତିରୁ ଅପହରଣ ହୋଇଥିବା ଯୁବତୀ ଆଜି ଉଦ୍ଧାର ହୋଇଛନ୍ତି। ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି। ତେବେ କିଏ ଓ କାହିଁକି ଏହି ଅପହରଣ କରିଥିଲା, ଏହା ପଛର କାରଣ କ’ଣ ତା’ ଉପରୁ ପରଦା ହଟି ପାରିନି।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ବେଳେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଲୁମ୍ବିନୀ ବିହାର ଅଞ୍ଚଳରେ ଯାଉଥିଲେ। ଯୁବକଙ୍କ ଘର ନିଳାଦ୍ରି ବିହାର ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଜଣକ ବି ଆଖପାଖ ଅଞ୍ଚଳରେ ରହୁଥିଲେ।
ଉକ୍ତ ସମୟରେ ୪ ଯୁବକ ଏକ କାର୍ରେ ଆସି ଉଭୟଙ୍କୁ ଅଟକାଇଥିଲେ। ସେମାନେ ଯୁବତୀଙ୍କୁ ଟେକି ନେବାକୁ ଉଦ୍ୟମ କରିବା ବେଳେ ତାଙ୍କ ପୁରୁଷ ବନ୍ଧୁ ଏହାର ପ୍ରତିବାଦ କରିଥିଲେ। ଫଳରେ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ପ୍ରାୟ ୧୦ ଘଣ୍ଟା ପରେ ପୁଲିସ୍ ଉକ୍ତ ଯୁବତୀଙ୍କୁ ବରମୁଣ୍ଡା ଥାନା ଅଞ୍ଚଳରୁ ଉଦ୍ଧାର କରିଛି।
ରାଜଧାନୀରେ ପୁଲିସ୍ର ଚେକିଂ, ବ୍ଲକିଂ କଡ଼ାକଡ଼ି ଚାଲିଥିବା ବେଳେ କିପରି ଏପରି ଅପରାଧିକ ଘଟଣାକୁ କାର୍ଯ୍ୟକାରୀ କରାଯାଉଛି, ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।