Advertisment

ତୈଳ ବୋଝେଇ ଟ୍ରକ୍‌ ସହ ଡ୍ରାଇଭର ଓ ହେଲ୍‌ପରଙ୍କୁ ଅପହରଣ, ୪ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍

କୋରାପୁଟର ପାରାଦୀପ ତୈଳ ନେବାକୁ ଆସୁଥିବା ବେଳେ ଦୁର୍ବୃତ୍ତମାନେ ଅଟକାଇଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
DCP

DCP

ରାଜଧାନୀ ଭୁବନେଶ୍ୱରର ତମାଣ୍ଡୋ ଛକ ନିକଟ ଗୋହିରିଆରୁ ତୈଳ ବୋଝେଇ ଟ୍ରକ୍‌ ସହ ଡ୍ରାଇଭର ଓ ହେଲ୍‌ପରଙ୍କୁ ଅପହରଣ କରିନେଇଥିଲେ ୯ ଦୁର୍ବୃତ୍ତ। ପ୍ରାୟ ୪ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌ ରଖି ଟ୍ରକ୍‌ ମାଲିକଙ୍କୁ ଫୋନ୍‌ ବି କରିଥିଲେ। ଟଙ୍କା ପାଇବାରେ ବିଳମ୍ବ ହେବାକୁ ଏହି ଟ୍ରକ୍‌ ଓ ଡ୍ରାଇଭରଙ୍କୁ ନିସ୍ତୁକ ପିଟିଥିଲେ। ଦୁହେଁ ଏବେ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ଓ ୯ ଜଣିଆ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ତେବେ ଏହି ଦୁର୍ବୃତ୍ତଙ୍କ ଲୁଟର କାରସାଦି ଦେଖି ପୁଲିସ ତାଜୁବ୍। ଏନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତିକ ସିଂହ।

Advertisment

ସେ କହିଛନ୍ତି, ଗତ ୧୯ ତାରିଖରେ ଟ୍ରକ୍‌ ସହ ଡ୍ରାଇଭର ଓ ହେଲପରଙ୍କୁ ଅପହରଣ ହୋଇଥିଲା। ୨୦ ତାରିଖରେ ଟ୍ରକ୍‌ର ମାଲିକ କୋରାପୁଟର ଶଶିଭୂଷଣ ପାତ୍ର ଏୟାରଫିଲ୍ଡ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଯେତେବେଳେ କି ୨୧ ତାରିଖର ସକାଳେ ଏୟାରଫିଲ୍ଡ ଥାନାର ପିସିଆର ପାଟ୍ରୋଲିଂ କରିବା ସମୟରେ ପ୍ରଧାନସାହି ଜଙ୍ଗଲ ପାଖରେ ଟ୍ରକ୍ ଡ୍ରାଇଭର ମହେଶ ଯାଦବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ପଚରାଉଚରା ବେଳେ ଟ୍ରକ ଡ୍ରାଇଭର ପୂରା ଘଟଣାଚକ୍ର କହିଥିଲା। ସେ ମାଲକାନଗିରିରୁ ଟ୍ରକ୍‌ ନେଇ ଆସୁଥିବା ବେଳେ ଖୋର୍ଦ୍ଧାର ଜଟଣି ପାଖରେ କିଛି ଲୋକ ଅଟକାଇଥିଲେ। ପରେ ତାକୁ ଓ ହେଲପର ମିଥୁନ୍ ଯାଦବଙ୍କୁ କାବୁ କରି ଏକ ଜଙ୍ଗଲକୁ ନେଇ ଯାଇଥିଲେ। ଜଙ୍ଗଲରେ ସେମାନଙ୍କୁ ପ୍ରଚୁର ପିଟିବା ସହ ନିର୍ଯାତନା ଦେଇଥିଲେ। ୪ ଲକ୍ଷ ଟଙ୍କା ନଦେଲେ ଦୁହିଁଙ୍କି ହତ୍ୟା କରିବାକୁ ଧମକ ଦେଇଥିଲେ। ଡ୍ରାଇଭର ଦ୍ୱାରା ଟ୍ରକ୍‌ ମାଲିକଙ୍କ ପାଖକୁ ମଧ୍ୟ ଧମକପୂର୍ଣ୍ଣ ଫୋନ୍ କରାଇଥିଲେ। ଏହି ଟ୍ରକ୍‌ କୋରାପୁଟର ପାରାଦୀପ ତୈଳ ଆଣିବାକୁ ଯାଉଥିଲା।

ଫୋନ୍ ପାଇବା ପରେ ଟ୍ରକ୍ ମାଲିକ କୋରାପୁଟରୁ ଭୁବନେଶ୍ୱର ବାହାରିଥିଲେ। ଏଥିସହ ସେ ହେଲପର ଓ ଡ୍ରାଇଭରଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କା ମଧ୍ୟ ପଠାଇ ଥିଲେ। ତେବେ ଏହି ଟଙ୍କାକୁ ଦୁର୍ବୃତ୍ତମାନେ ଉଠାଇ ନେବା ପୂର୍ବରୁ ଟ୍ରକ୍ ଡ୍ରାଇଭରକୁ ପୁଲିସ ଠାବ କରିଥିବାରୁ ଏହା ହୋଇପାରି ନ ଥିଲା। କୌଣସି ମତେ ଦୁର୍ବୃତ୍ତଙ୍କ ହାବୁଡରୁ ଡ୍ରାଇଭର ଓ ହେଲପର ଖସି ଆସିଥିଲେ।

Advertisment

ଏହା ପରେ ଏୟାରଫିଲ୍ଡ ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ମିଳିତ ଭାବେ ଘଟଣାର ତଦନ୍ତ କରିବା ବେଳେ ଏକ ୯ ଜଣିଆ ଗ୍ୟାଙ୍ଗ ଏହି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଥିଲା। ଗ୍ୟାଙ୍ଗର ମୁଖ୍ୟ ସୁଶାନ୍ତ ଦାସ, ସତ୍ୟପ୍ରିୟ ପଟ୍ଟନାୟକ ଘଟଣାକୁ ରୂପ ଦେବାର ମୁଖ୍ୟ ଖଳନାୟକ ବୋଲି ଜଣାପଡ଼ିଥିଲା। ଏମାନେ ପୂର୍ବରୁ ଗଞ୍ଜେଇ ବେପାର କରୁଥିଲେ ଓ ଏହି ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। କିଛି ଦିନ ତଳେ ସୁଶାନ୍ତ କୋରାପୁଟ ଜେଲ୍‌ରୁ ମୁକୁଳିବା ପରେ ଯୋଜନାବଦ୍ଧ ଭାବେ ମାଲକାନଗିରି ଓ କୋରାପୁଟ ପାର୍ଶ୍ୱରୁ ଆସୁଥିବା ଗାଡ଼ିକୁ ଅଟକାଇବା, ଗାଡ଼ିରେ ଗଞ୍ଜେଇ ଆସୁଥିଲେ ଛଡ଼ାଇ ନେବା ଓ ଟଙ୍କା ଲୁଟ୍ କରିବା ସେମାନଙ୍କର ମୁଖ୍ୟ କାମ ଥିଲା। ଏହି ଗ୍ୟାଙ୍ଗ ସମାନ ଉଦ୍ଦେଶ୍ୟ ରଖି ଉକ୍ତ ଟ୍ରକ୍‌କୁ ଅଟକାଇବା ପରେ ଟ୍ରକ୍ ଚାଳକ ଓ ହେଲପରକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଡ୍ରାଇଭର ଏବେବି ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ହେଲପର କୋଲକାତାରେ ଚିକିତ୍ସିତ ହେଉଛନ୍ତି।

ଏହି ଗ୍ୟାଙ୍ଗକୁ ଧରାଯିବା ପରେ ସେମାନଙ୍କ ଭିତରୁ ୨ ଜଣ ନାବାଳକ ରହିଥିବା ଗଣାପଡ଼ିଛି। ଅନ୍ୟ ୭ ଜଣ ହେଲେ ଖୋର୍ଦ୍ଧା ବେଗୁନିଆର ସତ୍ୟପ୍ରିୟ ପଟ୍ଟନାୟକ, ଖୋର୍ଦ୍ଧାର ଦୀପକ ଜାଲି, ନିଶ୍ଚିନ୍ତକୋଇଲର ପ୍ରିୟରଞ୍ଜନ ସ୍ୱାଇଁ, ଜଗତସିଂହପୁରର ଅମ୍ରିତ କୁମାର ଓରଫ ଚନ୍ଦନ, ଭୁବନେଶ୍ୱରର ସ୍ୱାଗତ ପଟ୍ଟନାୟକ, ନୟାଗଡ଼ର ସୁଶାନ୍ତ ଦାସ ଓ ଭୁବନେଶ୍ୱରର ଅଶୋକ ନାୟକ।

ଏହି ଗ୍ୟାଙ୍ଗର ଅଧିକାଂଶ ସଦସ୍ୟ ଭାରୀଯାନଗୁଡ଼ିକ ପିଛା କରିଥାନ୍ତି। ପୁଲିସ ଗାଡ଼ି ଉପରେ ବିକନ(ହଳଦିଆ ଲାଇଟ୍) ଜଳିବା ଭଳି ଏକ ଲାଇଟ୍‌କୁ ଏମାନେ ପାଖରେ ରଖି ବ୍ୟବହାର କରୁଥିଲେ। ଏହି ଲୁଟେରାମାନେ ନିଜ ଗାଡ଼ିରେ ଏହାକୁ ବ୍ୟବହାର କରି ଓ ନିଜକୁ ପୁଲିସ ବୋଲି ଦର୍ଶାଇ ଲୋକଙ୍କୁ ଅଟକାଉଥିଲେ। ପରେ ସେମାନଙ୍କ ଠାରୁ ଟଙ୍କା ଲୁଟ୍ କରୁଥିଲେ। ଏମାନଙ୍କ ପାଖରୁ ଏହି ଲାଇଟ୍‌ ସହ ଗୋଟାଏ ବନ୍ଧୁକ, ୩ ଦାମୀ କାର୍, ୧୦ ହଜାର ଟଙ୍କା, ୮ଟି ମୋବାଇଲ ଜବତ କରାଯାଇଛି। ଏହାଛଡ଼ା ଟ୍ରକ୍ ମାଲିକ ଟ୍ରାନ୍ସଫର କରିଥିବା ୪ ଲକ୍ଷ ଟଙ୍କାକୁ ବ୍ୟାଙ୍କରେ ଫ୍ରିଜ୍ କରାଯାଇଛି।

ଦୁର୍ବୃତ୍ତମାନେ ପୁଲିସ ଲାଇଟ ବ୍ୟବହାର କରି ପୂର୍ବରୁ ମଧ୍ୟ ଏଭଳି ଲୁଟ୍ ଚଳାଇଥିବା ତଦନ୍ତ ବେଳେ ଜଣାପଡ଼ିଛି। କେଉଁମାନେ ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି ପୁଲିସ ତାହାର ଅଧିକ ତଦନ୍ତ ଚଳାଇଛି।

Loot Bhubaneswar Crime Kidnapping Cases