ବିଜୁଳି ଖୁଣ୍ଟରେ ବାନ୍ଧି ନିର୍ଧୁମ ପିଟିଲେ। ତା’ପରେ ତା’ ପାଟିରୁ ଦାନ୍ତ ଉପାଡି ଦେଲେ! ସଂଜ୍ଞ ହରାଇବାରୁ ମରିଥିବା ଭାବି ଯୁବକଙ୍କୁ ପାହାଡ଼ି ନାଳରେ ଫିଙ୍ଗିଦେଲେ। ଏପରି ଲୋମହର୍ଷକାରୀ ଘଟଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପୀଡ଼ିତ ଯୁବକଙ୍କୁ ପାହାଡ଼ି ନାଳରୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛି।
କୁମ୍ଭାରୀ ପଞ୍ଚାୟତ ମାଙ୍କଡଝୋଲା ଗାଁର ବିନାୟକ ତମ୍ବାଡିଆଙ୍କ ବାପା ଅସୁସ୍ଥ ହୋଇଥିଲେ। ଖାଲି ତମ୍ବାଡିଆଙ୍କ ବାପା ନୁହେଁ, ଗାଁର ୪ ଜଣ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇଥିଲେ। ଚିକିତ୍ସା କରିଥିଲେ ମଧ୍ୟ ରୋଗ ଭଲ ହୋଇନଥିଲା। ପରେ ଦେଶୀ ଚିକିତ୍ସା କରାଯାଇଥିଲା। ହେଲେ ତମ୍ବାଡିଆଙ୍କ ବାପା ଆରୋଗ୍ୟ ହୋଇନଥିଲେ। ଯାହାକୁ ନେଇ ତମ୍ବାଡିଆ ଚିନ୍ତାରେ ପଡ଼ିଯାଇଥିଲେ। ତାଙ୍କ ବାପାଙ୍କୁ କେହି ଗୁଣି କରୁଥିବା ସନ୍ଦେହ କରିଥିଲେ।
ପାତ୍ରପଡା ଗାଁର ଯୁଧିଷ୍ଠିର କୁନ୍ଦାରିଆ ଗୁଣିଗାରେଡି କରୁଥିବା ସନ୍ଦେହ କରିଥିଲେ ତମ୍ବାଡିଆ। ଗୁରୁବାର ରାତିରେ ତମ୍ବାଡିଆ ଓ ତାଙ୍କ ଦୁଇ ସାଙ୍ଗ ପାତ୍ରପଡ଼ା ଗାଁକୁ ଯାଇଥିଲେ। ଗୁଣି ସମ୍ପର୍କରେ ତାଙ୍କୁ ପଚାରିଥିଲେ। ଏହା ପରେ ସେମାନେ ଯୁଧିଷ୍ଠିର କୁନ୍ଦାରିଆଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ। ତା’ପରେ ତାଙ୍କୁ ମାଙ୍କଡୋଝୋଲା ଗାଁକୁ ନେଇ ଆସିଥିଲେ। ସେଠି ଏକ ବିଜୁଳି ଖୁଣ୍ଟରେ ତାଙ୍କୁ ବାନ୍ଧି ନିର୍ଧୁମ ପିଟିଥିଲେ। ତାଙ୍କ ପାଟିରୁ ଦାନ୍ତ ଉପାଡି ଦେଇଥିଲେ। ଯେଉଁଥିପାଇଁ ସଂଜ୍ଞାହୀନ ହୋଇଯାଇଥିଲେ ଯୁଧିଷ୍ଠିର। ପରେ ତାଙ୍କୁ ଗାଁ ପାଖରେ ଥିବା ପାହାଡି ନାଳରେ ଫିଙ୍ଗି ଦେଇଥିଲେ।
ସେପଟେ ଯୁଧିଷ୍ଠିର ଘରକୁ ଫେରିନଥିବାରୁ ପରିବାର ଲୋକ ଚିନ୍ତିତ ହୋଇପଡ଼ିଥିଲେ। ଶୁକ୍ରବାର ସକାଳେ ଯୁଧିଷ୍ଠିରଙ୍କ ପତ୍ନୀ ସୀତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲା। ବିନାୟକ ତମ୍ବାଡିଆଙ୍କ ନାଁରେ ସେ ଅଭିଯୋଗକ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ବିନାୟକ ତମ୍ବାଡିଆଙ୍କୁ ଉଠାଇ ଆଣିଥିଲା। ବିନାୟକଙ୍କ ବୟାନ୍ ଆଧାରରେ ପୁଲିସ୍ କ୍ଷେତ୍ର କୁନ୍ଦାରିଆ ଓ ଉପେଦ୍ର କୁନ୍ଦାରିଆକୁ ଉଠାଇ ଆଣିଥିଲା। ତିନି ଜଣଙ୍କୁ ମୁହାଁମୁହିଁ ବସାଇ ଘନଘନ ଜେରା କରିଥିଲା। ଶେଷରେ ସେମାନେ ଦୋଷ ସ୍ୱୀକାର କରିଥିଲା। ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
୩ ଅଭିଯୁକ୍ତଙ୍କ ବୟାନ୍ ଆଧାରରେ ପୁଲିସ୍ ଯୁଧିଷ୍ଠିରଙ୍କ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ଲକ୍ଷ୍ମୀପୁର ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣନାଏକ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁଧିଷ୍ଠିରଙ୍କ ପତ୍ନୀ ଓ ମାଆ ଦାବି କରିଛନ୍ତି।
ରିପୋର୍ଟ-ଲକ୍ଷ୍ମୀପୁରରୁ ଗିରିଧର ଖରା