Advertisment

ପଶ୍ଚିମବଙ୍ଗରେ ରହି ଓଡ଼ିଶାରୁ ଲୁଟିଥିଲା, ମାଡ଼ି ବସିଲା ପୁଲିସ

ମଳୟଙ୍କ କଥାକୁ ବିଶ୍ୱାସ କରି ମାନସୀ ଜିଲ୍ଲାର ପ୍ରାୟ ୧୦ ଜଣ ଲୋକଙ୍କୁ ଠିକ୍‌ କରିଥିଲେ। ସେମାନଙ୍କଠାରୁ ଅଗ୍ରୀମ ୧୫ରୁ ୨୦ ହଜାର ଟଙ୍କା ଲେଖାଏଁ ଆଣି ମଳୟଙ୍କୁ ଫୋନ୍‌ପେରେ ପଠାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Koraput

Koraput

ପଶ୍ଚିମବଙ୍ଗରେ ରହି ଓଡ଼ିଶାରୁ ଲୁଟିଥିଲା ମହାଠକ। ପୁଲିସକୁ ଚକ୍‌ମା ଦେଇ ଘୂରି ବୁଲୁଥିଲା। ଆଜି କୋରାପୁଟ୍‌ ପୁଲିସ୍‌ ମହାଠକକୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ଏଥିସହ ୨ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

Advertisment

ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଖଡମବାଡି ଗାଁର ମଳୟ ମାଇତି। କମ୍ପାନୀରେ ଚାକିରି ଦେବା ପାଇଁ ଏକ ଦୈନିକ ଖବର କାଗଜରେ ବିଜ୍ଞାପନ ଦେଇଥିଲେ। ସେହି ବିଜ୍ଞାପନ ପଢ଼ି ବୋରିଗୁମ୍ମା ଅଞ୍ଚଳର ମାନସୀ ମିଶ୍ର ତାଙ୍କ ସହ ଯୋଗାଯୋଗ କରିଥିଲେ। ଖବର କାଗଜ ବିଜ୍ଞାପନରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଫୋନ୍‌ କରିଥିଲେ। ଫୋନ୍‌ ଉଠାଇଥିଲେ ମଳୟ। ଆଉ ତାଙ୍କ ସହ କଥା ହୋଇଥିଲେ। ଏଥିସହ ହ୍ୱାଟ୍ସଆପ୍‌ରେ କମ୍ପାନୀର ଡୁପ୍ଲିକେଟ୍‌ ମୁଖ୍ୟାଳୟ ଠିକଣା ପଠାଇଥିଲେ ମଳୟ। ତା’ଛଡ଼ା କୋରାପୁଟ ଜିଲ୍ଲାରେ ହିଟାଚି କମ୍ପାନୀର ଏଟିଏମ୍‌ ମେସିନ ଇନଷ୍ଟଲ ପାଇଁ ସ୍ଥାନ ନିରୂପଣ ସହିତ ଗ୍ରାହକ ଠିକ କରିବାକୁ ମାନସୀ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମଳୟଙ୍କ କଥାକୁ ବିଶ୍ୱାସ କରି ମାନସୀ ଜିଲ୍ଲାର ପ୍ରାୟ ୧୦ ଜଣ ଲୋକଙ୍କୁ ଠିକ୍‌ କରିଥିଲେ। ସେମାନଙ୍କଠାରୁ ଅଗ୍ରୀମ ୧୫ରୁ ୨୦ ହଜାର ଟଙ୍କା ଲେଖାଏଁ ଆଣି ମଳୟଙ୍କୁ ଫୋନ୍‌ପେରେ ପଠାଇଥିଲେ। ତା’ପରେ ମଳୟ ଆଉ ମାନସୀଙ୍କ ଫୋନ୍‌ ଉଠାଇ ନଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ମାନସୀ ଗତବର୍ଷ ୨୦୨୩ ଡ଼ିସେମ୍ବର ୨୭ ତାରିଖରେ କୋରାପୁଟ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ସାଇବର ଥାନା ପୁଲିସ ମାମଲା ରୁଜୁ ତଦନ୍ତ ଚଳାଇଥିଲା।

Advertisment

କୋରାପୁଟ୍‌ ଏସପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ସାଇବର ଥାନା ଅଧିକାରିଣୀ ଭବାନୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ପଶ୍ଚିମବଙ୍ଗ ଯାଇଥିଲା। ସେଠାରୁ ମଳୟଙ୍କୁ ଗିରଫ କରି କୋରାପୁଟ ଆଣିଛନ୍ତି। ପୁଲିସ୍‌ ତାଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା, ଦୁଇଟି ମୋବାଇଲ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ୨୦୦ ଲୋକଙ୍କ ନାଁ ଓ ମୋବାଇଲ ନମ୍ବର ରହିଛି। ମଳୟ ସେହି ଲୋକଙ୍କୁ ଟାର୍ଗେଟରେ ରଖିଥିବା ଚର୍ଚ୍ଚା ହେଉଛି। ଆଜି ଏନେଇ ସୂଚନା ଦେଇଛନ୍ତି ଆଇପିଏସ୍‌ ପ୍ରୋବେସନର ପାର୍ଥ ଜଗଦୀଶ କାଶ୍ୟପ ଓ ସାଇବର ଥାନା ଅଧିକାରିଣୀ ଭବାନୀ ପ୍ରଧାନ।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟ ନାରୟଣ ପଣ୍ଡା

Cyber Fraud Koraput