Advertisment

ଟ୍ୱିନ ସିଟିରେ ଲୁଟେରା ବଢ଼ାଇଛନ୍ତି ଚିନ୍ତା

ଭୁବନେଶ୍ୱରରେ ଘର ଭିତରୁ ଓ କଟକରେ ରାସ୍ତା ଉପରେ ଲୁଟ୍‌।

Loot

Loot

Advertisment

କମିଶନରେଟ୍ ପୁଲିସର ନିଦ ହଜାଇଛି ଟ୍ୱିନ ସିଟିରେ ଲୁଟ୍‌। କେତେବେଳେ ଘରେ ପଶୁଛନ୍ତି ତ କେତେବେଳେ ବାଟରେ ଝାମ୍ପି ନେଉଛନ୍ତି। ଚୋରି, ଲୁଟ୍ ଓ ରାହାଜାନିକୁ ନେଇ ଟ୍ୱିନ ସିଟି ବାସିନ୍ଦ ଆତଙ୍କିତ ହୋଇଯାଇଥିବା ବେଳେ ଏହା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଇନଫୋସିଟି ଥାନା ଅଧୀନରେ ଥିବା ଶ୍ରୀଗଣେଶ ବିହାରରୁ ହୋଇଛି ଲୁଟ୍। ବଂଶୀଧର ଗୌଡ଼ଙ୍କ ଘରର ଝରକା ଗ୍ରୀଲ୍ ତାଡ଼ି ପଶିଥିବା ଲୁଟେରା ନେଇଯାଇଛନ୍ତି ୨୦ ଭରି ସୁନା ଗହଣା ସହ ଟଙ୍କା। ସକାଳେ ଉଠି ଲୁଟ୍ ହୋଇଥିବା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ ବଂଶୀଧର। ଏହାପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କାର୍ଡ ସହ ଇନଫୋସିଟି ପୁଲିସ ପହଞ୍ଚି ତଦନ୍ତ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଚୋରଙ୍କ ଟେର୍ ପାଇପାରିନି ପୁଲିସ।

୧୫ ଦିନ ତଳେ ବି ସମାନ ଢଙ୍ଗରେ ବଂଶୀଧରଙ୍କ ଘର ସାମ୍ନାରେ ଥିବା ଆଉ ଏକ ଘରୁ ଲୁଟ୍ ହୋଇଥିଲା। ଯେଉଁଥିରେ ଏବେଯାଏ ପୁଲିସର ହାତ ଖାଲି ପଡ଼ିଛି। ବାରମ୍ବାର ଏଭଳି ଲୁଟ୍‌କୁ ନେଇ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ।

Advertisment

ଅନ୍ୟପକ୍ଷରେ କଟକର ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ବି ହୋଇଛି ଲୁଟ୍। ଗତକାଲି ରାତିରେ ସ୍କୁଟରରେ ଯାଉଥିବା ଯୁବକ-ଯୁବତୀଙ୍କୁ ଅଟକାଇ ଛିନତାଇ କରିଥିଲେ ୬ ଦୁର୍ବୃତ୍ତ। ଉଭୟଙ୍କ ପାଖରୁ କିଛି ଟଙ୍କା ପଇସା ନପାଇବାରୁ ଯୁବତୀଙ୍କ ବେକରୁ ସୁନା ଚେନ୍ ଛଡ଼େଇ ନେଇଥିଲେ ଦୁର୍ବୃତ୍ତମାନେ। ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ିକୁ ଭାଙ୍ଗି ଥିବା ନେଇ ଅଭିଯୋଗ ହୋଇଛି। ବିଚ୍ ରାସ୍ତାରେ ଏଭଳି ଘଟଣା ଦେଖି କିଛି ଟ୍ରକ ଡ୍ରାଇଭର ଅଟକିଥିଲେ। ମାତ୍ର ଦୁର୍ବୃତ୍ତମାନେ ୨ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ସମସ୍ତଙ୍କୁ ଭୟଭୀତ କରିବା ସହ ଫେରାର ମାରିଥିଲେ। ଏନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ବାରଙ୍ଗ ଥାନା ପୁଲିସ ପହଞ୍ଚି ତଦନ୍ତ କରିଥିଲା। ଦୁଇଦିନ ପୂର୍ବରୁ ସିଡିଏ ସେକ୍ଟର-୧୧ ଅଞ୍ଚଳରେ ଜଣେ ଆଇନଜୀବୀଙ୍କ ଠାରୁ ସମାନ ଢଙ୍ଗରେ ଲୁଟ କରିଥିଲେ ଦୁର୍ବୃତ୍ତ। 

Loot Twin City
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe