Advertisment

ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍‌, ଥାନାଠାରୁ ୨୦୦ ମିଟର ଦୂରରେ ଘଟିଛି ଘଟଣା

ଲୁଟେରାଙ୍କ ମାଡ଼ରେ ବ୍ୟାଙ୍କ ଶାଖା ପରିଚାଳକ ଓ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି।

SBI

SBI

Advertisment

ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଗଲେ ୫ ଲୁଟେରା। ମୟୂରଭଞ୍ଜ ଜିଲ୍ଲା ବହଳଦାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ରେ ଘଟିଛି ଏହି ଘଟଣା। ଲୁଟେରାଙ୍କ ସଂପର୍କରେ କିଛି ଜଣାପଡ଼ି ନଥିବା ବେଳେ ସେମାନେ କେତେ ଟଙ୍କା ନେଇ ଯାଇଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ।

Advertisment

ସବୁଦିନ ଭଳି ଆଜି ମଧ୍ୟ ସଠିକ୍ ସମୟରେ ଖୋଲିଥିଲା ବହଳଦା ଏସ୍‌ବିଆଇ। ‍ବ୍ୟାଙ୍କରେ ସ୍ୱାଭାବିକ ଧାରାରେ ଚାଲିଥିଲା କାର୍ଯ୍ୟ। କର୍ମଚାରୀମାନେ ନିଜ ନିଜ ସିଟ୍‌ରେ ବସି କାମ କରୁଥିଲେ। ବ୍ୟାଙ୍କରେ ପ୍ରାୟ ୨୦ ଜଣ ଗ୍ରାହକ ଉପସ୍ଥିତ ଥିଲେ। ଦିନ ପ୍ରାୟ ୧୧ଟା ବେଳେ ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶିଥିଲେ। ସେମାନଙ୍କ ମୁହଁ ଦେଖାଯାଉ ନଥିଲା। ସେମାନେ ସମସ୍ତେ ହେଲ୍‌ମେଟ୍ ପିନ୍ଧିଥିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା।

ଦୁର୍ବୃତ୍ତମାନେ ବ୍ୟାଙ୍କରେ ପଶିବା ପରେ ଭିତର ପଟୁ ତାଲା ପକାଇ ଦେଇଥିଲେ। ତା’ପରେ ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକରେ ବ୍ୟାଙ୍କ ଶାଖା ପରିଚାଳକଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଫଳରେ ତାଙ୍କର ରକ୍ତସ୍ରାବ ହୋଇଥିଲା। ଏହା ପରେ ପରେ ଦୁର୍ବୃତ୍ତମାନେ ଅନ୍ୟ ଜଣ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡ ଲୁହା ରଡ୍‌ରେ ପିଟି ଲହୁଲୁହାଣ କରି ଦେଇଥିଲେ।

Advertisment

ଏତକ କାଣ୍ଡ କରିବା ଭିତରେ ସେମାନେ ବନ୍ଧୁକ ମୁନରେ ଅନ୍ୟ କର୍ମଚାରୀ ଓ ଗ୍ରାହକମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ରଖିଥିଲେ। ପ୍ରାୟ ୩୦ ମିନିଟ୍ ଧରି ସେମାନେ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଡରାଇ ରଖିବା ସହିତ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଥିଲେ ଓ ପରେ ଫେରାର ହୋଇଯାଇଥିଲେ।

ଆଶ୍ଚର୍ଯ୍ୟର କଥା ବ୍ୟାଙ୍କଟି ବହଳଦା ବଜାରରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ବେଳେ ଏଭଳି ଏକ ଘଟଣା ଘଟିଯାଇଛି। ସେହିପରି ବହଳଦା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ବ୍ୟାଙ୍କ ଥିବା ବେଳେ ସେଠାରେ ପ୍ରାୟ ଅଧାଘଣ୍ଟା ଧରି ଲୁଟ୍‌ପାଟ୍ ଚାଲିଥିଲା।

ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ବ୍ୟାଙ୍କ କର୍ମଚାରୀମାନଙ୍କର ଚିକିତ୍ସା କରାଯାଇଥିବା ବେଳେ ପୁଲିସ ଘଟଣାର ଖୋଳତାଡ଼ କରୁଛି।

Loot SBI Bank Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe