Advertisment

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି, ୫୦ ଲକ୍ଷ ଟଙ୍କାର ସୁନାଗହଣା ନେଇ ପଳାଇଲା ଚୋର

ରାତି ୨ଟା ୪୦ ମିନିଟ୍‌ରେ ଚୋର ତାଙ୍କ ଘରେ ପଶିଥିଲା। ସିସିଟିଭିରୁ ଏହା ଜଣାପଡ଼ିଛି।

author-image
Jitendra Garnayak
Niranjan and the thief

Niranjan and the thief

ଭୁବନେଶ୍ୱରରେ ଘରୁ ଚୋରି କିଛି ନୂଆ କଥା ନୁହେଁ। ପ୍ରାୟ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଛି। ଆପାର୍ଟମେଣ୍ଟଗୁଡ଼ିକ ମଧ୍ୟ ଏଥିରୁ ବାଦ୍ ପଡୁ ନାହାନ୍ତି। ହେଲେ ଗତକାଲି ରାତିରେ ଯେଉଁ ଚୋରି ହୋଇଛି, ତାହା ଆଜି ଦିନ ତମାମ ଭୁବନେଶ୍ୱରରେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଚୋରି ହୋଇଛି ହାଇପ୍ରୋଫାଇଲ୍ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ। ନୟାପଲ୍ଲୀ IRC ଭିଲେଜ୍ ଭଳି ହାଇସିକ୍ୟୁରିଟି ଜୋନରେ ଥିବା ତାଙ୍କ ଘରୁ ହୋଇଛି ଚୋରି। ଚୋର ୫୦ ଲକ୍ଷ ଟଙ୍କାର ସୁନାଗହଣା ନେଇଯାଇଛି। ତା’ ସହିତ ନଗଦ ଅଢ଼େଇ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛି।

Advertisment

ନିରଞ୍ଜନ ତାଙ୍କ ପରିବାର ସହିତ ଏହି ଘରେ ରହନ୍ତି। ଗତକାଲି ରାତିରେ ତାଙ୍କ ପୁଅ ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ବୋହୂ ଘରେ ନଥିଲେ। ସେମାନେ ସାତପଡ଼ା ଯାଇଥିଲେ। ନିରଞ୍ଜନ ପଟ୍ଟନାୟକ ଘରର ତଳ ମହଲାରେ ତାଙ୍କ ରୁମ୍‌ରେ ଶୋଇଥିଲେ। ଘର ବାହାରେ ସୁରକ୍ଷାକର୍ମୀ ଥିଲେ। ରାତି ୨ଟା ୪୦ ମିନିଟ୍‌ରେ ଚୋର ତାଙ୍କ ଘରେ ପଶିଥିଲା। ସିସିଟିଭିରୁ ଏହା ଜଣାପଡ଼ିଛି। ଚୋର ତା’ ମୁହଁକୁ ଘୋଡ଼ାଇ ଦେଇଥିଲା। ତା’ ହାତରେ ଟର୍ଚ୍ଚ ଥିଲା। ହାତରେ ଗ୍ଲୋବ୍‌ସ ପିନ୍ଧିଥିଲା। ସେ ବେଶ୍ ସନ୍ତର୍ପଣରେ ଘର ଭିତରେ ପଶି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ଦିବ୍ୟଜ୍ୟୋତିଙ୍କ ବେଡ୍‌ରୁମ୍‌ରେ ପଶିଥିଲା। ସେଠାରେ ପହଞ୍ଚି ଆଲମାରୀଗୁଡ଼ିକୁ ଖୋଲି ଦେଖିଥିଲା ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଖୋଜାଖୋଜି କରିଥିଲା। ପ୍ରାୟ ଘଣ୍ଟାଏ ଧରି ସେ ଘର ଭିତରେ ରହିଥିଲା ବୋଲି କୁହାଯାଉଛି। ସୁନାଗହଣା ଓ ନଗଦ ଟଙ୍କା ନେଇ ରାତି ପ୍ରାୟ ୩ଟା ବେଳକୁ ସେ ସେଠାରୁ ଫେରାର ହୋଇଯାଇଥିଲା। ଇମର୍ଜେନ୍‌ସୀ ଏକ୍‌ଜିଟ୍ ପାଇଁ ଉଦ୍ଦିଷ୍ଟ ଏକ ସରୁ ବାଟ ଦେଇ ସେ ପଶିଥିଲା ଓ ସେହି ବାଟ ଦେଇ ଫେରାର ହୋଇଯାଇଥିଲା ବୋଲି ଜଣାପଡ଼ିଛି।

ଚାରିଆଡ଼େ ସିସିଟିଭି ଏବଂ ସିକ୍ୟୁରିଟି ଗାର୍ଡ ଥିବା ଜାଣି ବି ଜଣେ ଭିଭିଆଇପିଙ୍କ ଘରେ ପଶିବାକୁ ଚୋର ଏତେବଡ଼ ସାହସ କଲା କେମିତି ? ସାଧାରଣତନ୍ତ୍ର ଦିବସ ପାଇଁ ରାତି ତମାମ୍ ସହର ସାରା ପୋଲିସ ପଇଁତରା ମାରୁଥିବା ଜାଣି ବି ନିର୍ଭୟରେ ଘଣ୍ଟାଏ ଧରି ନିରଞ୍ଜନଙ୍କ ଘରେ କେମିତି ରଚିପାରିଲା ଏତେବଡ଼ ମିଶନ୍ ? ଏଭଳି ନାନା ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ଉଭୟ ଭୁବନେଶ୍ୱର ଓ କଟକ ଡିସିପି ତାଙ୍କ ଘରେ ପହଞ୍ଚି ଖୋଳତାଡ଼ କରିଛନ୍ତି। ସୁରାଗ୍ ମିଳିଛି ଓ ଚୋର ଖୁବଶୀଘ୍ର ଧରାପଡ଼ିବ ବୋଲି ସେମାନେ କହିଛନ୍ତି।

Advertisment

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ପ୍ରକାଶ କରିବା ସହ ଫୋନ କରି ନିରଞ୍ଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି।

Niranjan Patnaik