Advertisment

ପୁଣି ରାଜଧାନୀରେ ମାତିଲେ ଲୁଟେରା; ସରକାରୀ ବାବୁଙ୍କ ଘରେ ବୁଲାଇଲେ କଳାକନା

ଲୁଟେରାଙ୍କ ଟାର୍ଗେଟ ପାଲଟିଛନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମା । ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ତାଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Loot

Loot

ଦିନକୁ ଦିନ ଅସୁରକ୍ଷିତ ହୋଇ ପଡ଼ିଲାଣି ରାଜଧାନୀ ଭୁବନେଶ୍ୱର । ଏଠାରେ ଚାଲିଛି ଲୁଟେରାଙ୍କ ରାଜ । ପ୍ରତି ରାତିରେ ରାଜୁତି କରୁଛନ୍ତି ଲୁଟେରା। ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ଘରେ ବୁଲାଉଛନ୍ତି କଳାକନା। ପୁଲିସ୍‌ ଲୁଟେରାଙ୍କୁ ଧରି ପାରୁ ନ ଥିବା ବେଳେ ସେମାନଙ୍କ ସ୍କେଚ ଜାରି କରି ନିଜ କାମ ସାରି ଦେଉଛି। ଫଳରେ ଲୁଟେରା ବେଧଡ଼କ ଲୁଟ୍‌ କରୁଥିବା ବେଳେ ଆଶଙ୍କା ଭିତରେ ଦିନ କାଟୁଛନ୍ତି ରାଜଧାନୀବାସୀ। ଏପରି ଏକ ଲୁଟ୍‌ ଗତକାଲି ରାତିରେ ବି ରାଜଧାନୀ ଛାତି ଉପରୁ ହୋଇଛି।

Advertisment

ଏଥର ଲୁଟେରାଙ୍କ ଟାର୍ଗେଟ ପାଲଟିଛନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମା । ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ତାଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ସେମାନେ ତାଙ୍କ ଘରୁ ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଏନେଇ ଛୋଟେଲାଲ ଶର୍ମା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ଟେର ମିଳି ପାରୁଛି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Advertisment

ଗତ ଅକ୍ଟୋବର ମାସରୁ ଏପର୍ଯ୍ୟନ୍ତ ରାଜଧାନୀର ୧୬ଟି ଫ୍ଲାଟ ଓ ୩୨ ଘରେ କଳାକନା ବୁଲାଇ ସାରିଲେଣି ଲୁଟେରା। ମାତ୍ର ପୁଲିସ୍‌ ଲୁଟେରାଙ୍କୁ ଧରିବାକୁ ତତ୍ପରତା ଦେଖାଇବା ବଦଳରେ ନିଜ ଅସହାୟତା ପ୍ରକାଶ କରୁଛି। ସହର ବଢ଼ୁଛି। ଲୋକ ବଢ଼ୁଛନ୍ତି। ପୁଲିସ୍‌ର ମାନବ ବଳ କମ୍‌ ରହୁଛି। ତେଣୁ ଲୋକେ ସଚେତନ ହେବା ଆବଶ୍ୟକ ବୋଲି ପୁଲିସ୍‌ ପକ୍ଷରୁ ସଫେଇ ଦିଆଯାଉଛି।

ଅପରପକ୍ଷେ, ରାଜଧାନୀରେ ଗତ କିଛି ମାସ ହେବ ସିରିଜ ଲୁଟ୍‌ ହେଉଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏପରି ସ୍ଥିତିରେ ପୁଲିସ୍‌ କେବଳ ଲୁଟେରାଙ୍କ ସ୍କେଚ ଜାରି କରି ସେମାନଙ୍କ ପ୍ରତି ସାବଧାନ ରହିବାକୁ ରାଜଧାନୀବାସୀଙ୍କୁ ପରାମର୍ଶ ଦେଉଛି ।

Bhubaneswar Loot