Advertisment

ଗୋଟିଏ ଦିନରେ ରାଜ୍ୟର ଦୁଇଟି ବ୍ୟାଙ୍କରେ ସଶସ୍ତ୍ର ଡକାୟତି

ଗୋଟିଏ ସ୍ଥାନରେ ଭୋରରେ ଓ ଅନ୍ୟଟିରେ ସକାଳ ୧୦ଟା ବେଳେ ଡକାୟତି ହୋଇଛି। ଡକାୟତି ବେଳେ ଉଭୟ ବ୍ୟାଙ୍କରେ କର୍ମଚାରୀ ଉପସ୍ଥିତ ଥିଲେ।

Odisha Grameen Bank, Joda

Odisha Grameen Bank, Joda

Advertisment

ଗୋଟିଏ ଦିନରେ ରାଜ୍ୟର ଦୁଇଟି ବ୍ୟାଙ୍କରେ ଡକାୟତି ହୋଇଛି। ଗୋଟିଏ କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ହୋଇଥିବା ବେଳେ ଅନ୍ୟଟି ଭଦ୍ରକର ତିହିଡ଼ି ବ୍ଲକରେ ଥିବା ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ହୋଇଛି। ଦୁଇଟି ଯାକ ବ୍ୟାଙ୍କରୁ ୧୮ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଲୁଟ୍ ହୋଇଛି।

Advertisment

ଯୋଡ଼ା ସହରର ସେଣ୍ଟ ଟେରେସା ସ୍କୁଲ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଅଛି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ। ଅନ୍ୟାନ୍ୟ କାର୍ଯ୍ୟ ଦିବସ ଭଳି ଆଜି ମଧ୍ୟ ସକାଳ ୧୦ଟା ବେଳେ ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କ ଖୋଲିବାର କିଛି ସମୟ ପରେ ୫ ଜଣ ଡକାୟତ ପଶିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ହାତରେ ବନ୍ଧୁକ ଥିଲା। ସେହିପରି ଅନ୍ୟ ଦୁଇ ଜଣ ଛୁରୀ ଧରିଥିଲେ।

ଡକାୟତମାନେ ବନ୍ଧୁକ ଓ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରିବା ସହିତ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହା ପରେ ସମସ୍ତଙ୍କୁ ବ୍ୟାଙ୍କର ଏକ ରୁମ୍‌ରେ ବନ୍ଦ କରି କ୍ୟାସ୍‌ ବକ୍ସରୁ ସମସ୍ତ ଟଙ୍କା ଓ ସୁନା ପ୍ୟାକେଟ୍ ନେଇ ଫେରାର ହୋଇଯାଇଥିଲେ। ଡକାୟତମାନେ ଲୁଟି ନେଇଛନ୍ତି ୧୧ ଲକ୍ଷରୁ ଅଧିକ ଟଙ୍କା ଓ ସୁନା। ଗଲା ବେଳେ ସିସିଟିଭିର ହାର୍ଡଡିସ୍କ ଖୋଲି ନେଇ ଯାଇଥିଲେ।

Advertisment

ସେମାନେ କେମିତି ଆସିଥିଲେ ଓ କେମିତି ତଥା କେଉଁ ଦିଗରେ ଗଲେ, ତାହା କେହି ଦେଖିନଥିବା ଜଣାପଡ଼ିଛି। ତେବେ ଡକାୟତମାନେ ଫେରାର ହେବାର କିଛି ସମୟ ପରେ ଏକ ରୁମ୍‌ ଭିତରେ ବନ୍ଦ ଥିବା କର୍ମଚାରୀମାନେ କବାଟ ଭାଙ୍ଗି ବାହାରକୁ ଆସିଥିଲେ ଓ ପୁଲିସକୁ ସୂଚନା ଦେଇଥିଲେ।

ଯୋଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି। ବଡ଼ବିଲ ଏସ୍‌ଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ପୁଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଖୋଳତାଡ଼ ଜାରି ରଖିଥିବା ବେଳେ ଡକାୟତମାନେ ଧରାପଡ଼ି ନାହାନ୍ତି କି ସେମାନଙ୍କ ସଂପର୍କରେ କିଛି ସୁରାକ ମିଳିପାରି ନାହିଁ।

ସେହିପରି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେଏକ ବ୍ୟାଙ୍କ ଡକାୟତି ହୋଇଛି। ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଥିବା ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ଡକାୟତି ହୋଇଛି। ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୭ ଲକ୍ଷ ୫୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ତିହିଡ଼ି ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଆଜି ଭୋର ସମୟରେ ଏହି ଡକାୟତି ହୋଇଛି। ବ୍ୟାଙ୍କରେ ୪ ଜଣ କର୍ମଚାରୀ ଥିବା ବେଳେ ଡକାୟତମାନେ ପଶିଥିଲେ। ସେହି କର୍ମଚାରୀମାନେ ସେଠାରେ ରହନ୍ତି ବୋଲି ଜଣାପଡ଼ିଛି। ଡକାୟତମାନେ କ୍ୟାସିୟର ଦେବାଶିଷ୍ ରାଉତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ବାନ୍ଧି ଲୁଟ୍ କରିଥିଲେ। ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ମୋଟ୍ ୭ଲକ୍ଷ ୫୨ ହଜାର ଟଙ୍କା ନେଇଯାଇଛନ୍ତି ଡକାୟତମାନେ।

ଡକାୟତଙ୍କ ମଧ୍ୟରୁ ୩ ଜଣ ହେଲମେଟ୍ ପିନ୍ଧିଥିଲେ ଏବଂ ଅନ୍ୟ ଜଣେ ମୁହଁରେ କପଡ଼ା ବନ୍ଧିଥିଲା। ସମସ୍ତେ ଓଡ଼ିଆରେ କଥାବାର୍ତ୍ତା କରୁଥିଲେ ବୋଲି ବ୍ୟାଙ୍କ କର୍ମଚାରୀମାନେ କହିଛନ୍ତି। ତିହିଡ଼ି ଥାନା ଠାରୁ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ମାତ୍ର ୨ଶହ ମିଟର ଦୂରରେ ଥିବା ବେଳେ ସେଠାରେ ଡକାୟତି ହୋଇଛି। ବ୍ୟାଙ୍କ ମ୍ୟାନେଜର ମଳୟ ସାହୁଙ୍କ ଏତଲା ପରେ ପୁଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ କରିଛି।

Loot Bank Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe