ରାତି ଅଧରେ ମାଉସୀ ବୋଲି ଡାକିଲେ ଭଡ଼ାଟିଆ। କବାଟ ଖୋଲି ଦେବାରୁ ବୃଦ୍ଧ ଦମ୍ପତିଙ୍କ ବେକରେ ଲଗାଇଦେଲେ ଭୁଜାଲି। ପାଟି ଫିଟାଇଲେ ହାଣି ଦେବାର ଭୟ ଦେଖାଇ ଘରେ ବୁଲାଇଲେ କଳାକନା। ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଛି। ଲୁଟର ଶିକାର ହୋଇଥିବା ବୃଦ୍ଧ ଦମ୍ପତି ହେଲେ ଜୟଦେବ ରାଉତ ଓ ତାଙ୍କ ପତ୍ନୀ ସଜନୀ ରାଉତ ।
ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ନିଛାଟିଆ ସ୍ଥାନରେ ଜୟଦେବ ଘର କରି ରହୁଥିବା ବେଳେ ଭଡ଼ାରେ ବି ଲଗାଇଛନ୍ତି। ଦୁଇ ଦିନ ତଳେ ଧାମରା ରେଳ ଲାଇନରେ ସିକ୍ୟୁରିଟ ଗାର୍ଡ କାର୍ଯ୍ୟ କରୁଥିବା କହି ୩ ଯୁବକ ଘର ଭଡ଼ା ନେଇଥିଲେ।
ଗତ ରାତି ପ୍ରାୟ ୧୨ ଟାରେ ପରେ ସେମାନେ ଘର ମାଲିକଙ୍କ କବାଟ ବାଡ଼େଇ ମାଉସୀ କବାଟ ଖୋଲ ବୋଲି କହିଥିଲେ। ଏହାଶୁଣି ବୃଦ୍ଧ କବାଟ ଖୋଲିବାରୁ ସେମାନେ ହଠାତ୍ ବୃଦ୍ଧ ଦମ୍ପତିଙ୍କ ବେକରେ ଭୁଜାଲି ଲଗାଇ ଦେଇଥିଲେ। ଏହାପରେ ଚୁପଚାପ ସବୁ ସୁନା, ଅଳଙ୍କାର ଓ ଟଙ୍କା ଦେଇଦେବାକୁ ଧମକ ଦେଇଥିଲେ।
ଭୟଭୀତ ହୋଇ ବୃଦ୍ଧ ଦମ୍ପତି ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା, ଟଙ୍କା ସବୁ ଦେଇଥିଲେ। ତାହାକୁ ଧରି ଆଖି ପିଛୁଳାକେ ୩ ଯୁବକ ବାଇକ୍ ଯୋଗେ ଫେରାର ହୋଇ ଯାଇଥିଲେ।
ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇ ପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।